ଶୁକ୍ରବାରଠାରୁ ପ୍ରଥମ ଟେଷ୍ଟ: କିୱି ଚ୍ୟାଲେଞ୍ଜ୍ ପାଇଁ ଭାରତ ପ୍ରସ୍ତୁତ

ୱେଲିଂଟନ୍‌: ଟି-୨୦ ଓ ଦିନିକିଆ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୱେଲିଂଟନର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯିବ। ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଏପର୍ଯ୍ୟନ୍ତ ଖେଳିଥିବା ସବୁଯାକ ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ଏଠାକାର ଗ୍ରୀନ୍ ପିଚରେ କିୱି ଟିମ୍ ଆଗରେ ଭାରତର ଅସଲ ପରୀକ୍ଷା ହେବ। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଟେଷ୍ଟ ଚାମ୍ପିୟନଶିପରେ ୩୬୦ […]

Untitled-1

Untitled-1

Ranjit Kumar Jena
  • Published: Thursday, 20 February 2020
  • Updated: 20 February 2020, 06:06 PM IST

Sports

Latest News

ୱେଲିଂଟନ୍‌: ଟି-୨୦ ଓ ଦିନିକିଆ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୱେଲିଂଟନର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯିବ। ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଏପର୍ଯ୍ୟନ୍ତ ଖେଳିଥିବା ସବୁଯାକ ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ଏଠାକାର ଗ୍ରୀନ୍ ପିଚରେ କିୱି ଟିମ୍ ଆଗରେ ଭାରତର ଅସଲ ପରୀକ୍ଷା ହେବ।

ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଟେଷ୍ଟ ଚାମ୍ପିୟନଶିପରେ ୩୬୦ ପଏଣ୍ଟ ସହ ଶୀର୍ଷରେ ରହିଛି। କାଗଜ କଲମରେ ତ ଭାରତର ପଲା ଭାରୀ ଲାଗୁଛି, କିନ୍ତୁ କେନ୍ ୱିଲିୟମସନଙ୍କ କିୱି ଟିମ୍ ବିପକ୍ଷରେ କୋହଲିଙ୍କୁ ସତର୍କତାର ସହ ପରିସ୍ଥିତିକୁ ପରଖିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ୍ ଶେଷଥର ପାଇଁ ୨୦୧୭ରେ ନିଜ ମାଟିରେ ଟେଷ୍ଟ ସିରିଜ୍ ହାରିଥିଲା। ଏହା ପରଠାରୁ କିୱି ଟିମ୍ ଏଠାରେ ୧୦ଟିରୁ ୫ଟି ଟେଷ୍ଟରେ ବିଜୟୀ ହୋଛି। ଅଷ୍ଟ୍ରେଲିଆରେ ୩-୦ରେ ହାରିବା ପରେ ନ୍ୟୁଜିଲ୍ୟାଣ୍ଡ୍ ବିଜୟ ସହ ଟ୍ରାକକୁ ଫେରିବାକୁ ଚାହିଁବ। ନ୍ୟୁଜିଲ୍ୟାଣ୍ଡରେ ଆଗାମୀ ଦୁଇ ସପ୍ତାହରେ ଖେଳାଯିବାକୁଥିବା ଟେଷ୍ଟ ସିରିଜରେ (୨-୦, ୦-୨, ୧-୦, ୦-୧, ୧-୧, ୦-୦) କିଛି ବି ହୋଇପାରେ।

ଉଭୟ ଦଳର ପେସ୍ ଆଟାକ ବେଶ୍ ମଜଭୁତ୍। ଅଷ୍ଟ୍ରେଲିଆରେ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ଯାହା ରହିଥିଲା, ତାହା ଏବେ ଅତୀତ ହୋଇସାରିଛି। ଭାରତ ବିପକ୍ଷ ଟି-୨୦ ସିରିଜରେ କ୍ଲିନସୁଇପ୍ ହେବା ପରେ ନ୍ୟୁଜିଲ୍ୟାଣ୍ଡ୍ ଦିନିକିଆରେ ଯେଉଁଭଳି କମବ୍ୟାକ୍ କଲା, ତାହା ପ୍ରଶଂସାଯୋଗ୍ୟ। ବିପରୀତ ଦିଗରୁ ଆସୁଥିବା ପବନ କାରଣରୁ ବେସିନ୍ ରିଜର୍ଭ ଗ୍ରାଉଣ୍ଡ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜିଂ ସୃଷ୍ଟି କରିବ। ଏଭଳି ସ୍ଥିତିରେ ଭାରତର ନୂଆ ଓପନିଂ ଯୋଡ଼ି ଯଥା ପୃଥ୍ୱୀ ଶ' ଓ ମୟଙ୍କ ଅଗ୍ରୱାଲଙ୍କୁ ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦୀ ଓ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିବାକୁ ଯାଉଥିବା କାଇଲ୍ ଜେମିସନଙ୍କ ଭଳି ପେସ୍ ବୋଲରଙ୍କୁ ସାମ୍ନା କରିବାକୁ ପଡ଼ିବ।

ବାମହାତୀ ପେସ୍ ବୋଲର ନିଲ୍ ୱାଗନରଙ୍କ ଅନୁପସ୍ଥିତିରେ ଭାରତୀୟ ମଧ୍ୟକ୍ରମ ସାମାନ୍ୟ ଆଶ୍ୱସ୍ତି ଥିବ। ୱାଗନର ନିଜର ପ୍ରଥମ ସନ୍ତାନ ଜନ୍ମ ହେବା କାରଣରୁ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ଟିମରେ ଅଲରାଉଣ୍ଡର ଡାରିଲ୍ ମିଚେଲ୍ ଓ ବାମହାତୀ ସ୍ପିନର୍ ଏଜାଜ ପଟେଲଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବ। ଏଠାକାର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାପଟେନ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି, ଯଦ୍ଦ୍ୱାରା ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ଓ ମହମ୍ମଦ ଶାମି ପିଚରୁ ମିଳିବାକୁଥିବା ପ୍ରାରମ୍ଭିକ ସୁଇଂର ଫାଇଦା ଉଠାଇପାରିବେ।

ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ଚାରିଜଣ ପେସର ଓ ଜଣେ ପେସ୍ ବୋଲର ଅଲରାଉଣ୍ଡର ସହ ଓହ୍ଲାଇପାରେ। ଅନ୍ୟପକ୍ଷରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଖେଳାଇପାରେ। ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ନ୍ୟୁଜିଲ୍ୟାଣ୍ଡର ବୋଲିଂ ଆକ୍ରମଣ ଅଧିକ ମଜଭୁତ୍ ହୋଇଛି।

ଭାରତର ମିଡିଲ୍ ଅର୍ଡର ଚେତେଶ୍ୱର ପୂଜାର, କୋହଲି, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀଙ୍କୁ ନେଇ ଦୃଢ଼ ହୋଇଛି। କ୍ୟାପଟେନ୍ କୋହଲି ୱିକେଟକିପିଙ୍ଗରେ ବଡ଼ ପରିବର୍ତ୍ତନ କରିପାରନ୍ତି। ଏଠାକାର ପିଚକୁ ଦେଖି କୋହଲି ହୁଏତ ଋଦ୍ଧିମାନ ସାହାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ୱିକେଟକିପର ଭାବେ ସାମିଲ୍ କରିପାରନ୍ତି। ତେବେ ଅନ୍ତିମ ଅନ୍ତିମ ନିଷ୍ପତ୍ତି ଶୁକ୍ରବାର ସକାଳେ ଜଣାପଡିବ।

ସମ୍ଭାବ୍ୟ ଏକାଦଶ
ନ୍ୟୁଜିଲ୍ୟାଣ୍ଡ୍‌: ଟମ୍ ଲାଥମ, ଟମ୍ ବ୍ଲଣ୍ଡେଲ୍‌, କେନ୍ ୱିଲିୟମସନ୍ (କ୍ୟାପଟେନ୍‌), ରସ୍ ଟେଲର୍‌, ହେନରୀ ନିକୋଲ୍ସ, ବିଜେ ୱାଟଲିଙ୍ଗ୍ (ୱିକେଟକିପର), କଲିନ୍ ଡି'ଗ୍ରାଣ୍ଡହୋମ୍‌, ଡାରିଲ୍ ମିଚେଲ୍‌/ଏଜାଜ ପଟେଲ୍‌, ଟିମ୍ ସାଉଦୀ, କାଇଲ୍ ଜେମିସନ୍‌, ଟ୍ରେଣ୍ଟ ବୋଲ୍ଟ।

ଭାରତ: ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ', ଚେତେଶ୍ୱର ପୂଜାର, ବିରାଟ୍ କୋହଲି (କ୍ୟାପଟେନ୍‌), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ/ଋଦ୍ଧିମାନ ସାହା (ୱିକେଟକିପର), ଆର୍ ଅଶ୍ୱିନ୍‌, ଈଶାନ୍ତ ଶର୍ମା/ଉମେଶ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos