'ଆମେ ବି କୌଣସି ଗୁଣରେ କମ୍ ନୁହଁ'

ଦିନ ଥିଲା ବାରବାଟୀରେ ଚାଲିଥିଲା ଆଶୀର୍ବାଦ ରାଜ୍। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ମଙ୍ଗ ସମ୍ଭାଳିଥିବା ଆର୍ଶୀବାଦ ବେହେରାଙ୍କ ସ୍ଥାନରେ ଏବେ ପୁଅ ସଞ୍ଜୟ ବେହେରାଙ୍କୁ ମିଳିଛି ଏହି ବଡ଼ ଦାୟିତ୍ୱ। ସଞ୍ଜୟଙ୍କ ପାଇଁ ନିର୍ବାଚନ ଜିତିବା ଯେତିକି ଚ୍ୟାଲେଞ୍ଜିଂ ଥିଲା, ତା’ଠାରୁ ଅଧିକ ଚ୍ୟାଲେଞ୍ଜିଂ ହେଉଛି, ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚର ଆୟୋଜନ କରିବା। ଦାୟିତ୍ୱ ସମ୍ଭାଳିବାର ମାତ୍ର ଦୁଇମାସ ଭିତରେ ହିଁ ସଞ୍ଜୟ ଯେଉଁଭଳି ଭାବେ ଯୁଦ୍ଧକାଳୀନ […]

sanjay

sanjay

Ranjit Kumar Jena
  • Published: Monday, 16 December 2019
  • Updated: 17 December 2019, 08:40 AM IST

Sports

Latest News

ଦିନ ଥିଲା ବାରବାଟୀରେ ଚାଲିଥିଲା ଆଶୀର୍ବାଦ ରାଜ୍। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ମଙ୍ଗ ସମ୍ଭାଳିଥିବା ଆର୍ଶୀବାଦ ବେହେରାଙ୍କ ସ୍ଥାନରେ ଏବେ ପୁଅ ସଞ୍ଜୟ ବେହେରାଙ୍କୁ ମିଳିଛି ଏହି ବଡ଼ ଦାୟିତ୍ୱ। ସଞ୍ଜୟଙ୍କ ପାଇଁ ନିର୍ବାଚନ ଜିତିବା ଯେତିକି ଚ୍ୟାଲେଞ୍ଜିଂ ଥିଲା, ତା'ଠାରୁ ଅଧିକ ଚ୍ୟାଲେଞ୍ଜିଂ ହେଉଛି, ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚର ଆୟୋଜନ କରିବା। ଦାୟିତ୍ୱ ସମ୍ଭାଳିବାର ମାତ୍ର ଦୁଇମାସ ଭିତରେ ହିଁ ସଞ୍ଜୟ ଯେଉଁଭଳି ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ବାରବାଟୀକୁ ପ୍ରସ୍ତୁତ କରିଛନ୍ତି, ତାହା ଖୁବ୍ ପ୍ରଶଂସନୀୟ। ଏହି ପରିପ୍ରେକ୍ଷୀରେ ଆମେ ଓସିଏର ନବନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରାଙ୍କୁ ସାକ୍ଷାତ କରିଥିଲୁ।

ବାରବାଟୀ ଦିନିକିଆ ପାଇଁ କେତେ ବାଟରେ ପହଞ୍ଚିଛି ପ୍ରସ୍ତୁତି?
: ବାତ୍ୟା 'ଫୋନି'ରେ ଷ୍ଟାଡିୟମ ଯେଉଁଭଳି କ୍ଷତିଗ୍ରସ୍ତ ହୋଇଥିଲା, ଆମେ ଭାବିନଥିଲୁ ଯେ ୬ମାସର ରିନୋଭେସନ୍ କାମକୁ ଆମେ ୨୦ ଦିନରେ ଶେଷ କରିପାରିବୁ। କିନ୍ତୁ ଏପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ କାମ ଶେଷ ହୋଇଛି ଏବଂ ବାକି କାମ ଆଗାମୀ ଦିନେ ଦୁଇଦିନ ଭିତରେ ସରିଯିବ ବୋଲି ଆଶା କରୁଛି। ବିଶେଷକରି ମୁଁ ସବୁ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ବିଶେଷକରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ, ଯିଏ ଆମକୁ ପୂରା ସମର୍ଥନ ଦେଇଥିଲେ। କ୍ରିକେଟ୍ ଆସୋସିଏସନ୍ ଯେଉଁ ସ୍ଥାଣୁ ଅବସ୍ଥାରେ ଥିଲା, ସେଥିରୁ ବାହାରି ଷ୍ଟାଡିୟମକୁ ପୁଣିଥରେ ରିନୋଭେଟ୍ କରାଇବା ଏବଂ ଏହାକୁ ପୁଣିଥରେ ଛିଡ଼ା କରାଇବା ଆମକୁ ବହୁତ କଷ୍ଟ କରିବାକୁ ପଡ଼ିଛି। ତେଣୁ ମୁଁ ଆଶା କରୁଛି ସବୁ କାମ ନିର୍ଦ୍ଧାରିତ ସମୟରେ ଶେଷ ହୋଇଯିବ।

ବାରବାଟୀରେ ଏଥର ମୁଖ୍ୟ ଆକର୍ଷଣ କ'ଣ?
: ବାତ୍ୟାରେ ଷ୍ଟାଡିୟମର କ୍ଲକ୍ ଟାୱାର ଓ ପ୍ଲେୟର୍ ଡ୍ରେସିଂ ରୁମର ବିଲ୍ଡିଂ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଏହାକୁ ଆମେ ନୂଆ ରୂପରେ ରିନୋଭେଟ୍ କରୁଛୁ। କ୍ଲକ୍ ଟାୱାରକୁ ଆମେ ରୋମାନ୍ କନସେପ୍ଟରେ ଡେଭେଲପ୍ କରୁଛୁ, ଏହାର କାମ ଆର୍କିଟେକ୍ଟରଙ୍କୁ ଦିଆଯାଇଛି। ଏହାଛଡ଼ା ଘଣ୍ଟାରେ ଯେଉଁ ଲେଟର୍ ଥିଲା, ତାକୁ ସମ୍ପୂର୍ଣ୍ଣ ବଦଳାଇ ରୋମାନ୍ ଲେଟରରେ ଦୃଶ୍ୟମାନ୍ ହେବ। ତେଣୁ ଚାରିପଟେ ଚାରୋଟି ନୂଆ ଘଣ୍ଟା ଲାଗିବ।

ଓସିଏ ନିର୍ବାଚନ ଜିତିବା ପରେ ଅନ୍ତର୍ଜାତୀୟ ମ୍ୟାଚକୁ ଆୟୋଜନ କରିବା କେତେ ଚ୍ୟାଲେଞ୍ଜିଂ?
: ନିର୍ବାଚନ ଜିତିବା ନୂଆ ଦାୟିତ୍ୱ ସମ୍ଭାଳିବାରେ ଦୁଇମାସରୁ ଅଧିକ ସମୟ ହୋଇ ଗଲାଣି। ଏହି ଦୁଇମାସ ଭିତରେ ଆମକୁ ଦିନିକିଆ ମ୍ୟାଚ୍ ଆୟୋଜନ କରିବାର ଯେଉଁ ଦାୟିତ୍ୱ ମିଳିଲା, ତାହା ସମସ୍ତଙ୍କୁ ପାଇଁ ଚ୍ୟାଲେଞ୍ଜିଂ ଥିଲା। ସମସ୍ତେ ଭାବୁଥିଲେ ଯେ, ଓସିଏର ନୂଆ ସଦସ୍ୟ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିପାରିବେ କି ନାହିଁ, କିନ୍ତୁ ଏବେ ସେସବୁ ଦ୍ୱନ୍ଦ୍ୱ ଦୂର ହୋଇସାରିଛି। ବର୍ତ୍ତମାନ ଆମର ମୂଳ ଲକ୍ଷ୍ୟ ହେଉଛି, କିପରି ସାଧାରଣ ଲୋକେ ମ୍ୟାଚକୁ ଉପଭୋଗ କରିବେ।

ଶେଷଥର ଭଳି ଏଥର ମଧ୍ୟ ବାରବାଟୀରେ ହାଇସ୍କୋରିଂ ମ୍ୟାଚ୍ ହେବ କି?
: ଆମର ପ୍ରାୟ ସମାନ ପିଚ୍। ଆମର ପିଚ୍ କ୍ୟୁରେଟର୍ ପଙ୍କଜ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ପିଚରେ ପୁଣିଥରେ ରନ୍ ବର୍ଷିବ। ପିଚରେ ସେଭଳି କୌଣସି ପରିବର୍ତ୍ତନ କରାଯାଇନାହିଁ। ଦର୍ଶକଙ୍କୁ ମନୋରଞ୍ଜନ କରାଇବା ପାଇଁ ପିଚକୁ ବ୍ୟାଟିଂ ଉପଯୋଗୀ କରାଯାଇଛି। ଏହାଛଡ଼ା ଆଉଟଫିଲ୍ଡ ମଧ୍ୟ ସର୍ବୋପରି ବହୁତ ଫାଷ୍ଟ୍ ରହିବ।

ଫୁଟବଲ ସେକ୍ରେଟାରୀ ଏବଂ କ୍ରିକେଟ୍ ସେକ୍ରେଟାରୀ ମଧ୍ୟରେ ଫରକ କ'ଣ?
: କୌଣସି କ୍ରୀଡ଼ା ସଂଘରେ ପରସ୍ପରର ସମର୍ଥନ ନିହାତି ଆବଶ୍ୟକ। ଫାଓର ସମ୍ପାଦକ ଥିଲା ବେଳେ ମୋର ସଦସ୍ୟ ମୋତେ ଯେଉଁଭଳି ସମର୍ଥନ କରିଥିଲେ, ଠିକ୍ କ୍ରିକେଟରେ ସେଭଳି ସମର୍ଥନ ମଧ୍ୟ ମିଳିଛି। ନିର୍ବାଚନ ଜିତିବା ପରେ ହିଁ ଜଣେ ସମ୍ପାଦକଙ୍କର ଅସଲ ପରୀକ୍ଷା ଆରମ୍ଭ ହୋଇଥାଏ। ଗୋଟିଏ ଆସୋସିଏସନକୁ ଚଳାଇବାକୁ ହେଲେ ସବୁ ସଦସ୍ୟଙ୍କର ସହଯୋଗ, ସରକାରଙ୍କର ସହଯୋଗ ଏବଂ ସବୁ ଶୁଭେଚ୍ଛକାରୀଙ୍କ ସହଯୋଗ ବିନା କୌଣସି କାମ ସଫଳ ହୁଏନି। ବିଗତ ଦିନରେ କିଛି ଘଟଣା କାରଣରୁ ଓଡ଼ିଶା ବଦନାମ ହୋଇଛି, ତେଣୁ ମୁଁ ସାଧାରଣ ଲୋକଙ୍କୁ ଏତିକି ନିବେଦନ କରିବି ଯେ ମ୍ୟାଚରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାନଯାଉ। ଆଜି ଓଡ଼ିଶା ସ୍ପୋର୍ଟ୍ସ କ୍ଷେତ୍ରରେ ଏକ ହବ୍ ହେବାକୁ ଯାଉଛି। ତେଣୁ ସବୁ ଦୃଷ୍ଟିକୋଣରୁ ଆଜି ଓଡ଼ିଶା ଅନେକ ବଡ଼ ବଡ଼ ଇଭେଣ୍ଟ ଆୟୋଜନ କରି ବିଶ୍ୱସ୍ତରରେ ତା'ର ନାଁକୁ ଉଚ୍ଚା କରିଛି। ଓଡ଼ିଶାରେ ଅନ୍ତର୍ଜାତୀୟ ହକି ଏବଂ କ୍ରିକେଟ୍ ମ୍ୟାଚର ସଫଳ ଆୟୋଜନ ହୋଇସାରିଛି। ଆସନ୍ତାବର୍ଷ ମଧ୍ୟ ଓଡ଼ିଶାରେ ଫୁଟବଲ୍ ବିଶ୍ୱକପ୍ (ମହିଳା ଅଣ୍ଡର୍‌-୧୭) ଆୟୋଜିତ ହେବାକୁ ଯାଉଛି। ତେଣୁ ଏଭଳି କ୍ରୀଡ଼ା ଆୟୋଜନ କରି ଆମେ ସାରା ଦୁନିଆକୁ ଦେଖାଇବାକୁ ଚାହୁଁଛୁ ଯେ, ଆମେ କୌଣସି ଗୁଣରେ କମ୍ ନୁହେଁ।

ବାରବାଟୀରେ କେବେ ହେବ ଟେଷ୍ଟ ମ୍ୟାଚ୍‌?
: ଟେଷ୍ଟ ମ୍ୟାଚ୍ ୫ ଦିନ ଧରି ଚାଲେ। ଯେହେତୁ ଖେଳାଳିମାନେ ଭୁବନେଶ୍ୱରରେ ରହିବେ, ତେଣୁ ପାଞ୍ଚଦିନ ଧରି ନିୟମିତ ଯିବାଆସିବା କରିବା ଠିକ୍ ହେବ ନାହିଁ । ବର୍ତ୍ତମାନ ଭୁବନେଶ୍ୱରରୁ କଟକ ଆସିବା ପାଇଁ ଏକ ନୂଆ ବ୍ରିଜର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ଖେଳାଳିମାନେ ଯେଉଁ ହୋଟେଲରେ ରୁହନ୍ତି, ସେଠାରୁ ଷ୍ଟାଡିୟମର ଦୂରତା ୧୫ କିଲୋମିଟର କମ୍ ହୋଇଯାଇଛି। ବାରବାଟୀକୁ ପୁଣିଥରେ ଟେଷ୍ଟ ମାନ୍ୟତା ପ୍ରଦାନ କରାଯିବା ନେଇ ମୁଁ ବିସିସିଆଇକୁ ଚିଠି ଲେଖିଛି ଏବଂ ବିସିସିଆଇ ସଭାପତିଙ୍କ ସହ ଆଲୋଚନା ମଧ୍ୟ କରିଛି। ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ପିଙ୍କ୍ ବଲ୍ ମ୍ୟାଚ ହେବା ଦ୍ୱାରା ଏହାର ଲୋକପ୍ରିୟତା ଆହୁରି ବଢ଼ିବାରେ ଲାଗିଛି। ତେଣୁ ମୋର ବିଶ୍ୱାସ ଆଗାମୀ ଦିନରେ ଆମେ ନିଶ୍ଚିତ ଟେଷ୍ଟ ମ୍ୟାଚ୍ ଆୟୋଜନର ଦାୟିତ୍ୱ ପାଇବୁ।

ଖେଳାଳିମାନଙ୍କ ପାଇଁ କ'ଣ ରହିଛି ସ୍ପେଶାଲ୍ ଫୁଡ୍‌?
: ଖେଳାଳିମାନଙ୍କ ଖାଦ୍ୟପେୟ ଏବଂ ରହିବା ବ୍ୟବସ୍ଥା ଆମେ ଭୁବନେଶ୍ୱରର ମେ' ଫେୟାର୍ ଲାଗୁନକୁ ଦେଇଛୁ। ସେମାନେ ଖେଳାଳିମାନଙ୍କର ସବୁ ସୁବିଧା ଅସୁବିଧା ଦେଖିବେ। ପ୍ରାକ୍ଟିସ୍ ଏବଂ ମ୍ୟାଚ୍ ସମୟରେ ମଧ୍ୟ ଖେଳାଳିମାନେ କ'ଣ ଖାଇବେ, ତାହାର ବ୍ୟବସ୍ଥା ମେ' ଫେୟାର୍ କରିବ। ଏହାଛଡ଼ା ଖେଳାଳିମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ମେନ୍ୟୁ ଅଛି । ତେଣୁ ସେମାନେ ସେହି ହିସାବରେ ଖାଦ୍ୟ ଗ୍ରହଣ କରିବେ।

ଖେଳାଳିମାନଙ୍କର ଯାତାୟାତର ବାଟ?
: ୧୮ ତାରିଖରେ ବିଶାଖାପାଟଣାରେ ଦ୍ୱିତୀୟ ଦିନିକିଆ ଶେଷ ହେବା ପରେ ୧୯ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ ୨୦ ଓ ୨୧ ତାରିଖରେ ଉଭୟ ଦଳ ପର୍ଯ୍ୟାୟକ୍ରମେ ବାରବାଟୀକୁ ଅଭ୍ୟାସ କରିବାକୁ ଆସିବେ। ସେମାନେ ଜାତୀୟ ରାଜପଥ ଦେଇ କଟକରେ ପହଞ୍ଚିବେ। କଟକ ଯୋବ୍ରା ରିଙ୍ଗ୍ ରୋଡ୍ ଦେଇ ସେମାନେ ଷ୍ଟାଡିୟମର ପହଞ୍ଚିବେ।

ଆଗାମୀ ଦିନରେ ଓଡ଼ିଶା କ୍ରିକେଟରଙ୍କୁ ଜାତୀୟ ଦଳରେ ଦେଖିବାକୁ ମିଳିବ କି?
: ବର୍ତ୍ତମାନ ସବୁ ରାଜ୍ୟ ଯେଉଁ ପ୍ରକାରର ଏକାଡେମୀ ଏବଂ ଭିତ୍ତିଭୂମିର ବିକାଶ କରିଛନ୍ତି, ଓଡ଼ିଶାକୁ ସେହି ସ୍ଥାନରେ ପହଞ୍ଚିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିବ। ବିଶେଷକରି ରାଜ୍ୟ ଖେଳାଳିମାନଙ୍କୁ ଏବେ ସମର୍ଥନର ଆବଶ୍ୟକତା ରହିଛି। ଏହାଛଡ଼ା ଇଭେଣ୍ଟ ଫର୍ମାଟରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ରାଜ୍ୟ କ୍ରିକେଟ୍ ପାଇଁ ମୁଁ ଏକ ନୂଆ ପ୍ରୋଜେକ୍ଟ ପ୍ରସ୍ତୁତ କରିଛି। ଆସନ୍ତା ୨୯ ତାରିଖରେ ଆମର ଏଜିଏମ୍ ହେବ ଏବଂ ସେହିଦିନ ହିଁ ଏହି ପ୍ରୋଜେକ୍ଟକୁ ଲଞ୍ଚ୍ କରାଯିବ। ଏହାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟକାରୀ କରାଯିବା ନେଇ ଯୋଜନା କରିଛୁ। ଅନ୍ୟପକ୍ଷରେ ସିଲେକ୍ସନ ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ହକଦାର, ସେମାନଙ୍କୁ କିପରି ଉଚିତ୍ ସୁଯୋଗ ମିଳିବ, ତାହା ଉପରେ ଆମେ ଧ୍ୟାନ ଦେବୁ।

ଟିକେଟ୍ ପାଇଁ କ'ଣ ସବୁ ପଦକ୍ଷେପ ନିଆଯାଇଛି?
: ଅନଲାଇନ୍ ଟିକେଟ୍ ବିକ୍ରି ଶେଷ ହୋଇସାରିଛି। ଆଜିଠାରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଆସନ୍ତା ୧୯ ଓ ୨୦ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏଥର ଆମେ ୧୨ଟି କାଉଣ୍ଟରରେ ଟିକେଟ୍ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ବିଗତ ଦିନରେ ଟିକେଟ୍ କିଣିବା ପାଇଁ ଦର୍ଶକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ତେଣୁ ଏଥର ଯେପରି କୌଣସି ଅସୁବିଧା ନହେବ, ସେଥିପାଇଁ ଆମେ କାଉଣ୍ଟର ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ। ଏହାଛଡ଼ା ଦର୍ଶକଙ୍କୁ ସୁବିଧା ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ। ଗ୍ୟାଲେରୀ ଭିତରେ ଦର୍ଶକଙ୍କ ପାଇଁ ନିର୍ଦ୍ଧାରିତ ଦରରେ ଖାଦ୍ୟ, ଟଏଲେଟ୍ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos