ରଣଜୀ ଟ୍ରଫି: କ୍ୱାର୍ଟର ଲଢ଼େଇ ପାଇଁ ଓଡ଼ିଶା ଓ ବେଙ୍ଗଲ ପ୍ରସ୍ତୁତ

କଟକ (ଓଡ଼ିଶା ରିପୋର୍ଟର): ୪ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଓଡ଼ିଶା। ଏଥର କ୍ୱାର୍ଟର ଲଢ଼େଇରେ ଓଡ଼ିଶା ସାମ୍ନାରେ ଅଛି ପଡ଼ୋଶୀ ଟିମ୍ ବେଙ୍ଗଲ। ଚଳିତ ସିଜନରେ ଟିମ ଓଡ଼ିଶା କେବଳ ଜମ୍ମୁ କାଶ୍ମୀର ଓ ମହାରାଷ୍ଟ୍ର ଠାରୁ ପରାସ୍ତ ହୋଇଛି। ତେବେ ଅନ୍ୟ ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ବୋଲର ଏବଂ ବ୍ୟାଟ୍ସମ୍ୟାନ୍। କ୍ୱାର୍ଟର ଫାଇନାଲ ପୂର୍ବରୁ ଦୁଇ ଦଳର ଖେଳାଳି ଟାଙ୍ଗୀ […]

ranji

Ranjit Kumar Jena
  • Published: Tuesday, 18 February 2020
  • , Updated: 18 February 2020, 09:04 PM IST

କଟକ (ଓଡ଼ିଶା ରିପୋର୍ଟର): ୪ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଓଡ଼ିଶା। ଏଥର କ୍ୱାର୍ଟର ଲଢ଼େଇରେ ଓଡ଼ିଶା ସାମ୍ନାରେ ଅଛି ପଡ଼ୋଶୀ ଟିମ୍ ବେଙ୍ଗଲ। ଚଳିତ ସିଜନରେ ଟିମ ଓଡ଼ିଶା କେବଳ ଜମ୍ମୁ କାଶ୍ମୀର ଓ ମହାରାଷ୍ଟ୍ର ଠାରୁ ପରାସ୍ତ ହୋଇଛି। ତେବେ ଅନ୍ୟ ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ବୋଲର ଏବଂ ବ୍ୟାଟ୍ସମ୍ୟାନ୍। କ୍ୱାର୍ଟର ଫାଇନାଲ ପୂର୍ବରୁ ଦୁଇ ଦଳର ଖେଳାଳି ଟାଙ୍ଗୀ ଡ୍ରିମ୍ସ ଗ୍ରାଉଣ୍ଡରେ ପ୍ରାକ୍ଟିସ୍ କରିଛନ୍ତି।

ଓଡ଼ିଶା ଖେଳାଳିମାନେ ତିନୋଟି ସିଜନ୍ ପରେ କ୍ୱାର୍ଟର ଫାଇନାଲ ଖେଳୁଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି। ଚଳିତ ସିଜନରେ ଦମଦାର ପ୍ରଦର୍ଶନ କରି ନକଆଉଟକୁ ଆସିଥିବାରୁ ଓଡ଼ିଶାର ମନୋବଳ ବି ବେଶ ଦୃଢ ରହିଛି। ଏଥର ଓଡ଼ିଶା ୯ଟି ମ୍ୟାଚରୁ ୫ଟି ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଆଉ ୨ଟି ମ୍ୟାଚ ଡ୍ର କରିବାରେ ସଫଳ ହୋଇଥିଲା। ତେବେ ସବୁ ମ୍ୟାଚରେ ଦେଖିବାକୁ ମିଳିଥିଲା ଓଡ଼ିଶା ପେସ୍ ବୋଲରଙ୍କ ଦବଦବା। ବିରୋଧୀ ଟିମର ବ୍ୟାଟିଂ ଲାଇନ ଅପ୍ ଭାଙ୍ଗି ଦେଉଥିଲେ ଭେଟେରାନ୍ ବସନ୍ତ ମହାନ୍ତିଙ୍କ ନେତୃତ୍ୱାଧୀନ ପେସ୍ ବାହିନୀ।

ସୂର୍ଯ୍ୟକାନ୍ତ ପ୍ରଧାନ ୯ଟି ମ୍ୟାଚରୁ ସର୍ବାଧିକ ୩୫ଟି ୱିକେଟ ନେଇଥିବା ବେଳେ ରାଜେଶ ମହାନ୍ତି ୮ଟି ମ୍ୟାଚରୁ ୩୨ଟି, ବସନ୍ତ ୮ଟି ମ୍ୟାଚରୁ ୩୦ଟି ଏବଂ ଦେବବ୍ରତ ପ୍ରଧାନ ୬ଟି ମ୍ୟାଚରୁ ୨୨ଟି ୱିକେଟ୍ ହାସଲ କରିଛନ୍ତି। ସୂର୍ଯ୍ୟକାନ୍ତ ଏବଂ ଦେବବ୍ରତ ମଧ୍ୟ ବ୍ୟାଟିଂରେ କମାଲ କରିଛନ୍ତି। ସୂର୍ଯ୍ୟକାନ୍ତ ୯ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ ୨୪୪ ରନ୍ କରିଥିବା ବେଳେ ଦେବବ୍ରତ ୬ଟି ମ୍ୟାଚରୁ ୨ ଅର୍ଦ୍ଧଶତକ ସହ ୧୮୧ ରନ୍ କରିଛନ୍ତି।

ସେହିପରି ପୂରା ସିଜନରେ ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ଅପ୍ଡାଉନ୍ ଜାରି ରହିଥିଲା। ଯୁବ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟଙ୍କ ବ୍ୟାଟ୍ ବେଶ ଚମକିଥିଲା। ଏଥର ୭ଟି ମ୍ୟାଚ ଖେଳି ସେ ଦଳ ପକ୍ଷରୁ ସର୍ବାଧିକ ୪୬୭ ରନ୍ କରିଛନ୍ତି, ଯେଉଁଥିରେ ୨ଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଅଛି। ଝାରଖଣ୍ଡ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ସେ ଶତକ ଜମାଇଥିବା ବେଳେ ଦ୍ୱିତୀୟ ଇନିଂସରେ ଅପରାଜିତ ଅର୍ଦ୍ଧଶତକ ମାରି ଓଡ଼ିଶାକୁ ପ୍ରଥମ ଇନିଂସରେ ଅଗ୍ରଣୀ କରାଇବାରେ ମୁଖ୍ୟ ଭୂମିକା ବହନ କରିଥିଲେ।

ସେହିପରି ଅନ୍ୟତମ ଯୁବ ଖେଳାଳି ଶାନ୍ତନୁ ମିଶ୍ର, ଅନୁରାଗ ଷଡଙ୍ଗୀ, ରାଜେଶ ଧୂପର ମଧ୍ୟ ଚମତ୍କାର ଫର୍ମରେ ଥିବା ବେଳେ ଭେଟେରାନ ବିପ୍ଲବ ସାମନ୍ତରାୟ ଏବଂ ଗୋବିନ୍ଦ ପୋଦ୍ଦାର ମଧ୍ୟ ଭଲ ସାଥ୍ ଦେଉଛନ୍ତି। ତେବେ ସିଜନ୍ ସାରା ଫର୍ମରେ ନଥିବା କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଶେଷ ମ୍ୟାଚରେ ଶତକ ଯୋଡ଼ି ଲୟକୁ ଫେରିବା ସଙ୍କେତ ଦେଇଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ବାଲାନ୍ସ ଥିବା ଟିମ୍ ହୋମ୍ ଆଡ଼ଭାଣ୍ଟେଜର ଫାଇଦା ନେଇ ସେମିଫାଇନାଲ ଯିବା ଲକ୍ଷ୍ୟରେ ରହିଛି।

ଅନ୍ୟପଟେ ଯୁବ ତାରକା ଅଭିମନ୍ଯୁ ଈଶ୍ୱରନଙ୍କ ନେତୃତ୍ୱରେ ଆସିଥିବା ବେଙ୍ଗଲ୍ କାଗଜ କଲମରେ ଶକ୍ତିଶାଳୀ ମନେ ହେଉଛି। ଟିମରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ମନୋଜ ତିୱାରୀ ଏବଂ ଅଶୋକ ଦିଣ୍ଡା ରହିଥିବା ବେଳେ ଇଣ୍ଡିଆ-ଏ ଟିମ୍ରୁ ସଦ୍ୟ ଫେରିଥିବା ଉଦୀୟମାନ ପେସ୍ ବୋଲର୍ ଇଶାନ୍ ପୋରେଲ୍ ଦଳରେ ସାମିଲ ହୋଇଛନ୍ତି।

ହାଇଦ୍ରାବାଦ୍ ବିପକ୍ଷରେ ଟ୍ରିପଲ ସେଞ୍ଚୁରୀ ମାରିଥିବା ଭେଟେରାନ୍ ମନୋଜ ତିୱାରୀ ଫର୍ମରେ ଅଛନ୍ତି। ସେ ୮ଟି ମ୍ୟାଚରୁ ୬୪୧ ରନ ସଂଗ୍ରହ କରି ଟିମର ଟପ୍ ସ୍କୋରର ଅଛନ୍ତି। ସେହିପରି ଲଗାତର ଭଲ ପ୍ରଦର୍ଶନ କରି ଆସୁଥିବା ଅଲରାଉଣ୍ଡର ଶାହବାଜ ଅହମ୍ମଦ ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି। ସେ ୮ଟି ମ୍ୟାଚରୁ ୨୯ଟି ୱିକେଟ୍ ନେଇଥିବା ବେଳେ ୨୮୧ ରନ୍ ସଂଗ୍ରହ କରିଛନ୍ତି। ତେବେ ଦଳ ନିଜ ଦକ୍ଷତା ଅନୁସାରେ ଖେଳିବ ବୋଲି ବେଙ୍ଗଲର ଅଧିନାୟକ ଓ କୋଚ୍ ଆଶା ପ୍ରକାଶ କରିଛନ୍ତି।

ଶେଷ ଥର ଲାଗି ୨୦୧୫ରେ ପଶ୍ଚିମବଙ୍ଗର କଲ୍ୟାଣୀରେ ଓଡ଼ିଶା ଓ ବେଙ୍ଗଲ ମୁହାଁମୁହିଁ ହୋଇଥିଲେ। ଏଥିରେ ଓଡ଼ିଶାକୁ ୧୩୩ ରନରେ ହରାଇଥିଲା ବେଙ୍ଗଲ। ସେହିପରି ୩ ସିଜନ ତଳେ ଗୁଜରାଟ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ଓଡ଼ିଶା ଗୁଜରାଟଠାରୁ ପ୍ରଥମ ଇନିଂସ ପଛୁଆ ରହି ସେମି ଦୌଡରୁ ବାଦ୍ ପଡିଥିଲା। ତେବେ ଏଥର ଘରୋଇ ମାଟିରେ ଏବଂ ଅଣ୍ଡର ଡଗ୍ ଭାବରେ ସେମିକୁ ପ୍ରବେଶ କରିବା ଲାଗି ଚେଷ୍ଟା କରିବ ଟିମ୍ ଓଡ଼ିଶା।

Related story