ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ସିଜନ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା ସନ୍ଦୀପ ପଟ୍ଟନାୟକଙ୍କ ଦମଦାର ଶତକ ବଳରେ ଗୋଆ ବିପକ୍ଷରେ ଓଡ଼ିଶା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ୨୨୯ ରନ୍ କରିଛି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅଭିଷେକ ରାଉତ ୧୩ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨୧ ରନ୍ କରି ଅପରାଜିତ ରହିଛନ୍ତି।
ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ଆଜିଠାରୁ ଓଡ଼ିଶା ଓ ଗୋଆ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ଓଡ଼ିଶା ଟିମ୍ର ନେତୃତ୍ୱ ନେଉଥିବା ଶୁଭ୍ରାଂଶୁ ସେନାପତି ଟସ୍ ହାରିବା ପରେ ଗୋଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ସିଜନ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା ସନ୍ଦୀପ ପଟ୍ଟନାୟକଙ୍କ ସହ ଅଭିଜ୍ଞ ଅନୁରାଗ ଷଡ଼ଙ୍ଗୀ ଇନିଂସ୍ ଆରମ୍ଭ କରିଥିଲେ। ତେବେ ମାତ୍ର ୨ ରନ୍ କରି ଅନୁରାଗ ଆଉଟ୍ ହୋଇଯାଇଥିଲେ। ତାଙ୍କୁ କ୍ରିଷ୍ଣା ଦାସ ଆଉଟ୍ କରିଥିଲେ।
୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଦେବାଶିଷ ସାମନ୍ତରାୟ(୧୧) ଓ ଅଧିନାୟକ ଶୁଭ୍ରାଂଶୁ ମାତ୍ର ୪ ରନ୍ କରି ପ୍ୟାଭିଲିୟନ ଫେରି ଯାଇଥିଲେ। ୫୩ ରନ୍ରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଓଡ଼ିଶାର ଇନିଂସକୁ ସନ୍ଦୀପ ଓ ଶାନ୍ତନୁ ମିଶ୍ର ମିଶି ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ୍ ପାଇଁ ୧୧୭ ରନ୍ର ଭାଗୀଦାରି କରିଥିଲେ।
ଇତି ମଧ୍ୟରେ ସନ୍ଦୀପ ୧୯୪ଟି ବଲ୍ରେ ନିଜର ଶତକ ହାସଲ ମଧ୍ୟ କରିଥିଲେ। ସେହିପରି ଶାନ୍ତୁନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସନ୍ଦୀପ(୧୦୦)ଙ୍କୁ ଲକ୍ଷ୍ୟ ଗର୍ଗ ଆଉଟ୍ କରି ଓଡ଼ିଶାକୁ ଜବରଦସ୍ତ ଝଟ୍କା ଦେଇଥିଲେ। ସନ୍ଦୀପଙ୍କ ପରେ ଏଏସ୍ ଦେଶାଇ ଭଲ ବ୍ୟାଟିଂ କରୁଥିବା ଶାନ୍ତନୁ (୫୯)ଙ୍କୁ ଆଉଟ୍ କରି ଓଡ଼ିଶାକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ।
ଏହାପରେ ବିପ୍ଳବ ସାମନ୍ତରାୟ(୭) ଓ ସୁଜିତ ଲେଙ୍କା(୫) ସଅଳ ପ୍ୟାଭିଲିୟନ୍ ଫେରି ଓଡ଼ିଶାର ସଙ୍କଟକୁ ବଢ଼ାଇ ଦେଇଥିଲେ। ତେବେ ଅଲରାଉଣ୍ଡର ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅଭିଷେକ ରାଉତ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୨୦୦ ପାର୍ କରାଇବା ସହ ପ୍ରଥମ ଦିନ ଖେଳ ଶେଷ ପର୍ଯ୍ୟନ୍ତ ଗୋଆକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ସୁଯୋଗ ଦେଇନଥିଲେ।
ଗୋଆ ପକ୍ଷରୁ କ୍ରିଷ୍ଣା ଦାସ, ଲକ୍ଷ୍ୟ ଗର୍ଗ ଓ ଏଏସ୍ ଦେଶାଇ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଦର୍ଶନ ମିଶାଲ ଗୋଟିଏ ୱିକେଟ୍ ପାଇଛନ୍ତି।