୧୦ ବର୍ଷ ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍‌

ରାୱଲପିଣ୍ଡି: ଡିସେମ୍ବର ୧୧ ତାରିଖ ପାକିସ୍ତାନ କ୍ରିକେଟ୍ ପାଇଁ ବହୁତ ଖାସ୍ ହେବାକୁ ଯାଉଛି, କାରଣ ୧୦ ବର୍ଷ ପରେ ଏଠାରେ ପ୍ରଥମଥର ଲାଗି କୌଣସି ଟେଷ୍ଟ ମ୍ୟାଚ୍ ହେବାକୁ ଯାଉଛି। ରାୱଲପିଣ୍ଡିରେ ବୁଧବାରଠାରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶୁଭାରମ୍ଭ ହେଉଛି, ଏହି କାରଣରୁ ପିଣ୍ଡିର ଷ୍ଟାଡିୟମକୁ ଦୁର୍ଗରେ ପରିଣତ କରାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ମ୍ୟାଚର ସୁରକ୍ଷା ପାଇଁ ଷ୍ଟାଡିୟମ ଆଖପାଖରେ ପ୍ରାୟ ୫ହଜାର ସେନାଙ୍କୁ ମୁତୟନ କରାଯାଇଛି। […]

sl-vs-pak

Ranjit Kumar Jena
  • Published: Tuesday, 10 December 2019
  • , Updated: 10 December 2019, 08:02 PM IST

ରାୱଲପିଣ୍ଡି: ଡିସେମ୍ବର ୧୧ ତାରିଖ ପାକିସ୍ତାନ କ୍ରିକେଟ୍ ପାଇଁ ବହୁତ ଖାସ୍ ହେବାକୁ ଯାଉଛି, କାରଣ ୧୦ ବର୍ଷ ପରେ ଏଠାରେ ପ୍ରଥମଥର ଲାଗି କୌଣସି ଟେଷ୍ଟ ମ୍ୟାଚ୍ ହେବାକୁ ଯାଉଛି। ରାୱଲପିଣ୍ଡିରେ ବୁଧବାରଠାରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶୁଭାରମ୍ଭ ହେଉଛି, ଏହି କାରଣରୁ ପିଣ୍ଡିର ଷ୍ଟାଡିୟମକୁ ଦୁର୍ଗରେ ପରିଣତ କରାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ମ୍ୟାଚର ସୁରକ୍ଷା ପାଇଁ ଷ୍ଟାଡିୟମ ଆଖପାଖରେ ପ୍ରାୟ ୫ହଜାର ସେନାଙ୍କୁ ମୁତୟନ କରାଯାଇଛି।

୨୦୦୯ରେ ପାକିସ୍ତାନର ଲାହୋରରେ ଶ୍ରୀଲଙ୍କା ଟିମର ବସ୍ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୮ଜଣ ବ୍ୟକ୍ତି ନିହତ ହୋଇଥିଲେ। ଏହାଛଡ଼ା ଶ୍ରୀଲଙ୍କାର ୭ଜଣ ଖେଳାଳି ଏବଂ ଜଣେ ଅଫିସିଆଲ୍ସ ମଧ୍ୟ ଆଘାତପ୍ରାପ୍ତ ହୋଇଥିଲେ। ଏହା ପରେ କୌଣସି ଟିମ୍ ପାକିସ୍ତାନରେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଆସିନଥିଲେ। ଏଠାରେ ପହଞ୍ଚିବା ପରେ ଶ୍ରୀଲଙ୍କା କ୍ୟାପଟେନ୍ ଦିମୁତ୍ କରୁଣାରତ୍ନେ କହିଥିଲେ, "ଆମେ ପାକିସ୍ତାନକୁ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ଆସିଛୁ। ପାକିସ୍ତାନରେ ମୋର ଏହା ପ୍ରଥମ ଗସ୍ତ।"

୨୦୦୯ ଘଟଣା ପରେ ଖେଳାଳିମାନେ ପାକିସ୍ତାନ ଯିବାକୁ ଭୟ କରୁଥିଲେ, କିନ୍ତୁ ଗତ ଦୁଇବର୍ଷରେ ଶ୍ରୀଲଙ୍କା ଏବଂ ଅନ୍ୟ ଟିମ୍ ଏଠାକୁ ଆସିବା ଆରମ୍ଭ କରିଦେଇଛନ୍ତି। ଗତ ୧୦ ବର୍ଷ ହେବ ଅନ୍ତର୍ଜାତୀୟ ଟିମ୍ ସୁରକ୍ଷା କାରଣରୁ ପାକିସ୍ତାନ ଆସିବାକୁ ଭୟ କରୁଛନ୍ତି ଏବଂ ପାକିସ୍ତାନ ତା'ର ଘରୋଇ ମ୍ୟାଚ୍ ୟୁଏଇରେ ଖେଳି ଆସୁଛି। ଚାରିବର୍ଷ ପୂର୍ବେ ଜିମ୍ବାୱେ କ୍ରିକେଟ୍ ଟିମ୍ ପାକିସ୍ତାନ ଆସି ଟି-୨୦ ମ୍ୟାଚ୍ ଖେଳିଥିଲା। ଶ୍ରୀଲଙ୍କା ଟିମ୍ ଚଳିତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ପାକିସ୍ତାନରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିଥିଲା।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ପାକିସ୍ତାନ ଓ ଶ୍ରୀଲଙ୍କା ଟିମ୍ ଟେଷ୍ଟ ଫର୍ମାଟରେ ବେଶ୍ ଦୁର୍ବଳ। ତେବେ ଉଭୟ ଟିମ୍ ମଧ୍ୟରେ ସର୍ବଦା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳେ। ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୫୩ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରୁ ପାକିସ୍ତାନ ୧୯ଟି ଏବଂ ଶ୍ରୀଲଙ୍କା ୧୬ଟି ମ୍ୟାଚ୍ ଜିତିଛି। ପାକିସ୍ତାନରେ ଖେଳାଯାଇଥିବା ୨୧ଟି ଟେଷ୍ଟ ମ୍ୟାଚରୁ ଶ୍ରୀଲଙ୍କା ୬ଟି ଜିତିଥିବା ବେଳେ ୮ଟି ହାରିଛି।

Related story