ଦୁବାଇ: ଏସିଆ କପର ଲିଗ୍ ମ୍ୟାଚରେ ଭାରତଠାରୁ ପାଇଥିବା ପରାଜୟର ପ୍ରତିଶୋଧ ନେଇଛି ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଗତକାଲି ଖେଳାଯାଇଥିବା ଏସିଆ କପ ସୁପର-୪ ଷ୍ଟେଜର ପ୍ରଥମ ମ୍ୟାଚରେ ଭାରତକୁ ୫ ଓ୍ୱିକେଟରେ ପରାସ୍ତ କରିଛି ପାକିସ୍ତାନ ।
ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୮୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ପିଛା କରି ୧୯.୫ ଓଭରରେ ୫ ଓ୍ୱିକେଟ ହରାଇ ୧୮୨ ରନ୍ କରି ବିଜୟ ହାସଲ କରିଛି ପାକିସ୍ତାନ । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍ ସର୍ବାଧିକ ୫୧ ବଲରେ ୭୧ ରନ୍ ଓ ମହମ୍ମଦ ନଓ୍ୱାଜ ୨୦ ବଲରେ ୪୨ ରନ୍ କରିଥିବା ବେଳେ ଆସିଫ ଅଲୀ ୮ ବଲରେ ୧୬ ରନ୍ କରି ପାକିସ୍ତାନକୁ ବିଜୟ ଦେଇଥିଲେ ।
ଅନ୍ୟପଟେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଅର୍ଶଦୀପ ସିଂ ୧-୧ ଓ୍ୱିକେଟ ନେଇଥିଲେ। ଏହାସତ୍ତ୍ୱେ ଭାରତ ବିଜୟର ସ୍ୱାଦ ଚାଖି ପାରିଲା ନାହିଁ।
ପ୍ରଥମ ପାଳିରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରେ ୧୮୧ ରନର ବଡ଼ ସ୍କୋର ଛିଡ଼ା କରିଥିଲା । କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ । ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦ୍ରୁତ ଗତିରେ ଇନିଂସ ଆରମ୍ଭ କରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ବ୍ୟାଟ୍ସମ୍ୟାନ ୨୮ ରନ ଲେଖାଏଁ କରିଥିଲେ। ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ଦ୍ୱାରା ଦଳୀୟ ସ୍କୋର ଟିକିଏ ଧିମେଇ ଯାଇଥିଲା ।
ସୂର୍ଯ୍ୟକୁମାର ଯାଦବ ୧୩ ରନ , ଋଷଭ ପନ୍ତ ୧୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୦ ରନ କରି ଆଉଟ ହେବା ଦ୍ୱାରା ଦଳୀୟ ରନ ଗତି କମିଯାଇଥିଲା । ପାକିସ୍ତାନ ପକ୍ଷରୁ ସଦାବ ଖାଁ ୨ଟି ୱିକେଟ ନେଇଥିବାବେଳେ ନସିମ ଶାହା, ମହମ୍ମଦ ହସନାନ,ହାରିସ ରୌଫ ଓ ମହମ୍ମଦ ନୱାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।