ନୂଆଦିଲ୍ଲୀ: ଭାରତର ପ୍ରଥମ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ ପିଭି ସିନ୍ଧୁ ମଙ୍ଗଳବାର ସକାଳେ ସ୍ୱଦେଶ ଫେରିଛନ୍ତି। ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ମୋଦି ତାଙ୍କୁ ଭାରତର ଗୌରବ ବୋଲି କହିଥିଲେ। ସିନ୍ଧୁଙ୍କ ସହ ସାକ୍ଷାତ ପରେ ମୋଦି ଟ୍ୱିଟ୍ କରିଥିଲେ ଯେ, ଦେଶର ଗୌରବ, ଜଣେ ଚାମ୍ପିୟନ୍ ଯିଏ ସ୍ୱର୍ଣ୍ଣ ପଦକ ଏବଂ ଅନେକ ଯଶ-କୀର୍ତ୍ତି ସହ ସ୍ୱଦେଶ ଫେରିଛନ୍ତି। ସିନ୍ଧୁଙ୍କ ସହ ସାକ୍ଷାତ କରି ବହୁତ ଖୁସି ଲାଗିଲା। ତାଙ୍କୁ ମୋର ଶୁଭେଚ୍ଛା ଏବଂ ଭବିଷ୍ୟତ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭକାମନା ଜଣାଉଛି।
India’s pride, a champion who has brought home a Gold and lots of glory!
Happy to have met @Pvsindhu1. Congratulated her and wished her the very best for her future endeavours. pic.twitter.com/4WvwXuAPqr
— Narendra Modi (@narendramodi) August 27, 2019
ଏହାଛଡ଼ା ସିନ୍ଧୁ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତାଙ୍କୁ ୧୦ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱ ଶର୍ମା, କୋଚ୍ ଗୋପୀଚାନ୍ଦ ଓ କିମ୍ ଜି-ହ୍ୟୁନ୍ ଏବଂ ତାଙ୍କ ପିତା ତଥା ୧୯୮୬ ଏସିଆନ୍ ଗେମ୍ସ ଭଲିବଲ୍ ରୌପ୍ୟ ପଦକ ବିଜେତା ରମନ ଉପସ୍ଥିତ ଥିଲେ। କ୍ରୀଡ଼ାମନ୍ତ୍ରୀ ମଧ୍ୟ ୱାର୍ଲ୍ଡ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ସାଇ ପ୍ରଣୀତଙ୍କୁ ମଧ୍ୟ ୪ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
Honoured @Pvsindhu1 who created history and made India proud by winning the World Badminton Championship for the first time! My best wishes to her in her pursuit to bring more glory to India🇮🇳 pic.twitter.com/2iwtfmlVIb
— Kiren Rijiju (@KirenRijiju) August 27, 2019
ଏହି ଅବସରରେ ସିନ୍ଧୁ କହିଥିଲେ, "ମୁଁ ବାସ୍ତବରେ ବହୁତ ଖୁସି। ମୁଁ ମୋ ଦେଶ ପାଇଁ ଗର୍ବିତ। ଏହି ବିଜୟ ପାଇଁ ମୁଁ ଦୀର୍ଘଦିନ ଅପେକ୍ଷା କରିଥିଲି ଏବଂ ଶେଷରେ ଏହା ମିଳିଥିବାରୁ ମୁଁ ବହୁତ ଖୁସି ବୋଲି ସିନ୍ଧୁ କହିଥିଲେ। ଏହାଛଡ଼ା ସିନ୍ଧୁ ପଦକ ସମାରୋହର ଭାବାତ୍ମକ ମୁହୂର୍ତ୍ତ କଥା ମନେ ପକାଇଥିଲେ। ସେ ଆହୁରି କହିଥିଲେ, "ଯେତେବେଳେ ଜାତୀୟ ସଙ୍ଗୀତ ପରିବେଷଣ ହେଲା, ସେତେବେଳେ ମୋ ଆଖିରୁ ଲୁହ ଝରୁଥିଲା। ମୋ ପାଇଁ ଏହା ସ୍ମରଣୀୟ ମୁହୂର୍ତ୍ତ ଥିଲା। ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି, କାରଣ ସେମାନଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇନଥାନ୍ତା। ମୁଁ ମୋ କୋଚ୍ ଗୋପୀ ସାର୍ ଏବଂ କିମ୍ (ଜି ହ୍ୟୁନ)ଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ମୋ ପାଇଁ ଖୁବ୍ ପ୍ରୟାସ କରିଛନ୍ତି ଏବଂ ମୋ ଖେଳରେ ଅନେକ ପରିବର୍ତ୍ତନ ଆଣିଛନ୍ତି।