ଜାପାନ ଓପନ୍: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ

ଟୋକିଓ: ଭାରତୀୟ ଶଟଲର୍ ପିଭି ସିନ୍ଧୁ ଓ ଏଚଏସ୍ ପ୍ରଣୟ ଏଠାରେ ଆରମ୍ଭ ହୋଇଥିବା ଜାପାନ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସିନ୍ଧୁ ଜାପାନର ଆୟା ଓହୋରିଙ୍କୁ ସିଧାସଳଖ ୨୧-୯, ୨୧-୧୭ ଗେମରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଚଳିତ ବର୍ଷ ନିଜର ପ୍ରଥମ ଟାଇଟଲ୍ ଅପେକ୍ଷାରେ ଥିବା ସିନ୍ଧୁ ଗତ ସପ୍ତାହରେ ଶେଷ ହୋଇଥିବା ଇଣ୍ଡୋନେସିଆ ଓପନର ଫାଇନାଲରେ ହାରି […]

pv

Ranjit Kumar Jena
  • Published: Wednesday, 24 July 2019
  • , Updated: 24 July 2019, 07:06 PM IST

ଟୋକିଓ: ଭାରତୀୟ ଶଟଲର୍ ପିଭି ସିନ୍ଧୁ ଓ ଏଚଏସ୍ ପ୍ରଣୟ ଏଠାରେ ଆରମ୍ଭ ହୋଇଥିବା ଜାପାନ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସିନ୍ଧୁ ଜାପାନର ଆୟା ଓହୋରିଙ୍କୁ ସିଧାସଳଖ ୨୧-୯, ୨୧-୧୭ ଗେମରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଚଳିତ ବର୍ଷ ନିଜର ପ୍ରଥମ ଟାଇଟଲ୍ ଅପେକ୍ଷାରେ ଥିବା ସିନ୍ଧୁ ଗତ ସପ୍ତାହରେ ଶେଷ ହୋଇଥିବା ଇଣ୍ଡୋନେସିଆ ଓପନର ଫାଇନାଲରେ ହାରି ରନର୍ସଅପ୍ ହୋଇଥିଲେ। ଏବେ ସିନ୍ଧୁଙ୍କ ନଜର ଜାପାନ ଓପନ୍ ଉପରେ ରହିଛି।

ଚଳିତ ଓପନରେ ଭାରତର ଅନ୍ୟତମ ଷ୍ଟାର୍ ଶଟଲର କିଦାମ୍ବୀ ଶ୍ରୀକାନ୍ତଙ୍କ ଖରାପ ଫର୍ମ ଅବ୍ୟାହତ ରହିଛି। ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ହିଁ ନିଜ ଦେଶର ପ୍ରଣୟଙ୍କ ନିକଟରୁ ୨୧-୧୩, ୧୧-୨୧, ୨୦-୨୨ ଗେମରେ ହାରିଯାଇଛନ୍ତି। ସେହିପରି ସମୀର ବର୍ମା ମଧ୍ୟ ନିରାଶ କରିଛନ୍ତି। ସମୀର ପ୍ରଥମ ରାଉଣ୍ଡରେ ଡେନମାର୍କର ଆଣ୍ଡର୍ସ ଆଣ୍ଟୋନସେନଙ୍କଠାରୁ ୧୭-୨୧, ୧୨-୨୧ ଗେମରେ ପରାସ୍ତ ହୋଇଛନ୍ତି।

ତେବେ ପୁରୁଷ ଡବଲ୍ସରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ପ୍ରଥମ ରାଉଣ୍ଡରେ ଇଂଲଣ୍ଡ ଯୋଡ଼ି ମାର୍କସ୍ ଇଲିସ୍ ଓ କ୍ରିସ୍ ଲାଙ୍ଗରିଜଙ୍କୁ ୨୧-୧୬, ୨୧-୧୭ ଗେମରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

ମହିଳା ଡବଲ୍ସରେ ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡି ପ୍ରଥମ ରାଉଣ୍ଡରେ କୋରିଆର ସୋ ୟିଅଙ୍ଗ କିମ୍ ଓ ହି ୟଙ୍ଗ କଙ୍ଗଙ୍କଠାରୁ ୧୬-୨୧, ୧୪-୨୧ ଗେମରେ ହାରି ବିଦାୟ ନେଇଛନ୍ତି। ମିକ୍ସଡ୍ ଡବଲ୍ସ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ସିକ୍କି ରେଡ୍ଡି ମଧ୍ୟ ପ୍ରଥମ ରାଉଣ୍ଡରେ ହାରିଯାଇଛନ୍ତି। ଏହି ଯୋଡ଼ି ୧୧-୨୧, ୧୪-୨୧ ଗେମରେ ଚୀନ୍ ଯୋଡ଼ି ଝେଣ୍ଡ ସି ୱେଇ ଓ ହୁଆଙ୍ଗ ୟା କିଆଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି।

Related story