ଆଇସିସି ଟି-୨୦ ରାଙ୍କିଙ୍କରେ ରାହୁଲଙ୍କୁ ବଡ଼ ଫାଇଦା

ଦୁବାଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଆଇସିସି ଟି-୨୦ ରାଙ୍କିଙ୍ଗରେ ଏକାଥରକେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨୨୪ ରନ୍ କରି ରାହୁଲ୍ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ତାଙ୍କର ଏହି ପ୍ରଦର୍ଶନ ବଳରେ ଭାରତ ଏକମାତ୍ର ଦଳ ଭାବେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପ୍ରତିପକ୍ଷ ଦଳକୁ ହ୍ୱାଇଟୱାଟ୍ କରିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜରେ ରାହୁଲ୍ ଯଥାକ୍ରମେ ୫୬, […]

RAHUL

Ranjit Kumar Jena
  • Published: Monday, 03 February 2020
  • , Updated: 03 February 2020, 04:24 PM IST

ଦୁବାଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଆଇସିସି ଟି-୨୦ ରାଙ୍କିଙ୍ଗରେ ଏକାଥରକେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨୨୪ ରନ୍ କରି ରାହୁଲ୍ ପ୍ଲେୟର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ। ତାଙ୍କର ଏହି ପ୍ରଦର୍ଶନ ବଳରେ ଭାରତ ଏକମାତ୍ର ଦଳ ଭାବେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପ୍ରତିପକ୍ଷ ଦଳକୁ ହ୍ୱାଇଟୱାଟ୍ କରିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜରେ ରାହୁଲ୍ ଯଥାକ୍ରମେ ୫୬, ୫୭*, ୨୭, ୩୯ ଓ ୩୫ ରନ୍ କରିଥିଲେ। ବର୍ତ୍ତମାନ ସେ ୮୨୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି।

ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ବାବର ଆଜମ ୮୭୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ରାହୁଲ୍ ବ୍ୟାଟିଂ ବ୍ୟତୀତ ୱିକେଟକିପିଙ୍ଗରେ ମଧ୍ୟ କମାଲ୍ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଋଷଭ ପନ୍ତଙ୍କ ଆହତ ହେବା ପରେ ରାହୁଲଙ୍କୁ ୱିକେଟକିପିଙ୍ଗ୍ କରିବା ପାଇଁ ଦାୟିତ୍ୱ ମିଳିଥିଲା। ଏହାପରଠାରୁ ସେ ଭାରତର ମିଡିଲ୍ ଅର୍ଡର ସମସ୍ୟା ଦୂର କରିବା ସହ ଓପନିଂରେ ମଧ୍ୟ ରୋହିତ୍ ଶର୍ମାଙ୍କ ସହ ପ୍ରଶଂସନୀୟ ବ୍ୟାଟିଂ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜରେ ଦୁଇଟି ଅର୍ଦ୍ଧଶତକ ମାରିଥିବା ରୋହିତ୍ ଶର୍ମା ରାଙ୍କିଙ୍ଗର ଟପ୍‌-୧୦ରେ ଏଣ୍ଟ୍ରି ମାରିଛନ୍ତି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନବମ ସ୍ଥାନରେ ରହିଛନ୍ତି। ଫଳରେ ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଏବେ ଭାରତର ତିନିଜଣ ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇଛନ୍ତି। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ଆୟର୍ (୫୫ତମ) ଏବଂ ମନିଷ ପାଣ୍ଡେ (୫୮ତମ)ଙ୍କୁ ମଧ୍ୟ ରାଙ୍କିଙ୍ଗରେ ବିପୁଳ ଫାଇଦା ହୋଇଛି।

ବୋଲରଙ୍କ ରାଙ୍କିଙ୍ଗରେ ଭାରତୀୟ ପେସର୍ ଯଶପ୍ରୀତ ବୁମ୍ରାଙ୍କୁ ୨୬ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ଏକାଦଶ ସ୍ଥାନକୁ ଉଠିଛନ୍ତି। ସେହିପରି ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ୧୦ଟି ସ୍ଥାନ ଉପରକୁ ଉଠି ୩୦ତମ ସ୍ଥାନରେ ପହଞ୍ଚିଥିବା ବେଳେ ଶାର୍ଦ୍ଦୁଲ ଠାକୁର ୩୪ତମ ସ୍ଥାନ ଉଠି ୫୭ତମ ସ୍ଥାନରେ ପହଞ୍ଚିଛନ୍ତି। ନଭଦୀପ ସାଇନି (୭୧ତମ) ଏବଂ ରବୀନ୍ଦ୍ର ଜାଡେଜା (୭୬ତମ) ମଧ୍ୟ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି।

ଭାରତ ବିପକ୍ଷ ସିରିଜରେ ୧୬୦ ରନ୍ କରିଥିବା ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଟିମ୍ ସିଫର୍ଟ (୩୪ତମ) ଓ ରସ୍ ଟେଲର୍ (୩୯ତମ)ଙ୍କୁ ମଧ୍ୟ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ବୋଲରଙ୍କ ରାଙ୍କିଙ୍ଗରେ ଆଫଗାନିସ୍ତାନର ରଶିଦ୍ ଖାନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମୁଜୀବ-ଉର୍‌-ରେହମାନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତର କୌଣସି ବୋଲର ଟପ୍‌-୧୦ରେ ସ୍ଥାନ ପାଇନାହାନ୍ତି।

Related story