ଡ୍ରାଭିଡଙ୍କ ସେହି ୫ ରେକର୍ଡ, ଯାହାକୁ ଭାଙ୍ଗିବା ଅସମ୍ଭବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ‘ଦି ୱାଲ୍‌’ ଭାବେ ଭାବେ ପରିଚିତ ରାହୁଲ୍ ଡ୍ରାଭିଡ୍ ନିଜର ଅନ୍ତର୍ଜାତୀୟ କ୍ୟାରିୟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ସେ ଯେଉଁ ମାଇଲଖୁଣ୍ଟ ହାସଲ କରିଛନ୍ତି, ତାହା ଅସାଧାରଣ। ଭାରତର ସବୁଠାରୁ ଭରସାଯୋଗ୍ୟ ବା ମିଷ୍ଟର୍ ଡିପେଣ୍ଡେବଲ୍ ଭାବେ ପ୍ରଖ୍ୟାତ ଡ୍ରାଭିଡ୍ ନିଜ ଟେଷ୍ଟ କ୍ୟାରିୟରରେ ୧୬୪ ମ୍ୟାଚ୍ ଖେଳି ୧୩,୨୮୮ ରନ୍ କରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିବାରେ ଡ୍ରାଭିଡ୍ ଦ୍ୱିତୀୟରେ ଅଛନ୍ତି। ବିଶେଷକରି ଟେଷ୍ଟ […]

dravid1

Ranjit Kumar Jena
  • Published: Monday, 20 April 2020
  • , Updated: 20 April 2020, 07:14 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର 'ଦି ୱାଲ୍‌' ଭାବେ ଭାବେ ପରିଚିତ ରାହୁଲ୍ ଡ୍ରାଭିଡ୍ ନିଜର ଅନ୍ତର୍ଜାତୀୟ କ୍ୟାରିୟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ସେ ଯେଉଁ ମାଇଲଖୁଣ୍ଟ ହାସଲ କରିଛନ୍ତି, ତାହା ଅସାଧାରଣ। ଭାରତର ସବୁଠାରୁ ଭରସାଯୋଗ୍ୟ ବା ମିଷ୍ଟର୍ ଡିପେଣ୍ଡେବଲ୍ ଭାବେ ପ୍ରଖ୍ୟାତ ଡ୍ରାଭିଡ୍ ନିଜ ଟେଷ୍ଟ କ୍ୟାରିୟରରେ ୧୬୪ ମ୍ୟାଚ୍ ଖେଳି ୧୩,୨୮୮ ରନ୍ କରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିବାରେ ଡ୍ରାଭିଡ୍ ଦ୍ୱିତୀୟରେ ଅଛନ୍ତି। ବିଶେଷକରି ଟେଷ୍ଟ କ୍ରିକେଟରେ ଡ୍ରାଭିଡ୍ ଏଭଳି କିଛି ରେକର୍ଡ କରିଛନ୍ତି, ଯାହା ଅସାଧାରଣ। ଏହି କାରଣରୁ ଇଂଲଣ୍ଡର ପୂର୍ବତନ ଅଫ୍ ସ୍ପିନର୍ ଗ୍ରେମ୍ ସ୍ୱାନ୍ ଡ୍ରାଭିଡଙ୍କୁ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ତେଣୁ ଆସନ୍ତୁ ଜାଣିବା, ଡ୍ରାଭିଡଙ୍କର ସେହି ୫ ରେକର୍ଡ, ଯାହାକୁ ଭାଙ୍ଗିବା ପ୍ରାୟତଃ ଅସମ୍ଭବ।

ଟେଷ୍ଟରେ ସର୍ବାଧିକ ବଲ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍‌: ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ୍ ସାମ୍ନା କରିବାର ରେକର୍ଡ ଡ୍ରାଭିଡଙ୍କ ନାଁରେ ରହିଛି। ଡ୍ରାଭିଡ୍ ଭାରତୀୟ ବ୍ୟାଟିଂକ୍ରମ ତୃତୀୟ ସ୍ଥାନରେ ବ୍ୟାଟିଂ କରି ଇତିହାସ ରଚିଛନ୍ତି। ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୩୧,୨୫୮ ବଲ୍ ସାମ୍ନା କରିବାର ରେକର୍ଡ ରହିଛି, ଯାହା ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍ ଏହି କୀର୍ତ୍ତିମାନ ପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି। ସେ ଟେଷ୍ଟ କ୍ରିକେଟରେ ୩୬ ଶତକ ଏବଂ ୬୩ ଅର୍ଦ୍ଧଶତକ ମାରିଛନ୍ତି। ଟେଷ୍ଟରେ ଡ୍ରାଭିଡଙ୍କ ସର୍ବାଧିକ ସ୍କୋର ୨୭୦ ରନ୍ ରହିଛି। ସୂଚନାଯୋଗ୍ୟ, ଡ୍ରାଭିଡ୍ ନିଜ ଟେଷ୍ଟ କ୍ୟାରିୟରରେ ୨୮୬ ଇନିଂସରେ ବ୍ୟାଟିଂ କରିଛନ୍ତି।

ପ୍ରଥମ କ୍ରିକେଟର୍ ଭାବେ ଟେଷ୍ଟ ଖେଳିଥିବା ସବୁ ଟିମ୍ ବିରୋଧରେ ଶତକ: ଭାରତୀୟ କ୍ରିକେଟ୍ ଟିମର 'ଦି ୱାଲ୍‌' ଭାବେ ପରିଚିତ ଡ୍ରାଭିଡ୍ ପ୍ରଥମ କ୍ରିକେଟର୍‌, ଯାହାଙ୍କ ନାଁରେ ଟେଷ୍ଟ ଖେଳୁଥିବା ସବୁ ଟିମ୍ ବିରୋଧରେ ଶତକ ଥିଲା। ଡ୍ରାଭିଡ୍ ନିଜ କ୍ୟାରିୟରରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲ୍ୟାଣ୍ଡ୍‌, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ପାକିସ୍ତାନ, ଶ୍ରୀଲଙ୍କା ବିପକ୍ଷରେ ଶତକ ମାରିଥିଲେ। ଡ୍ରାଭିଡ୍ ନିଜର ପ୍ରଥମ ଟେଷ୍ଟ ଶତକ ୧୯୯୬/୯୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନସବର୍ଗରେ ମାରିଥିଲେ। ଏହାବ୍ୟତୀତ ଟେଷ୍ଟ କ୍ରିକେଟରେ ଡ୍ରାଭିଡ୍ ନିଜର ସର୍ବୋଚ୍ଚ ସ୍କୋର (୨୭୦ ରନ୍‌) ପାକିସ୍ତାନ ବିପକ୍ଷରେ ରାୱଲପିଣ୍ଡି ଟେଷ୍ଟରେ ହାସଲ କରିଥିଲେ।

ସର୍ବାଧିକ ରନ୍ ସଂଗ୍ରହକାରୀ ନମ୍ବର-୩ ବ୍ୟାଟ୍ସମ୍ୟାନ୍‌: ରାହୁଲ୍ ଡ୍ରାଭିଡ୍ ଟେଷ୍ଟ କ୍ରିକେଟ୍ ଇତିହାସରେ ନମ୍ବର-୩ରେ ବ୍ୟାଟିଂ କରି ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ଆଖ୍ୟା ପାଇଛନ୍ତି। ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରି ୧୦ହଜାରରୁ ଅଧିକ ରନ୍ ରହିଛି। ଡ୍ରାଭିଡ୍ ଏହି ବ୍ୟାଟିଂକ୍ରମରେ ୨୧୯ ଇନିଂସ୍ ଖେଳି ୧୦୫୨୪ ରନ୍ କରିଛନ୍ତି, ଯେଉଁଥିରେ ୨୮ ଶତକ ଏବଂ ୨୯ ଅର୍ଦ୍ଧଶତକ ସାମିଲ୍ ଅଛି। ଡ୍ରାଭିଡ୍ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ସିରିଜ୍ ବ୍ୟତୀତ ଅଧିକାଂଶ ସମୟରେ ନମ୍ବର-୩ରେ ବ୍ୟାଟିଂ କରିଛନ୍ତି। ତେବେ ୨୦୦୧ରେ ଐତିହାସିକ କୋଲକାତା ଟେଷ୍ଟରେ ଡ୍ରାଭିଡ୍ ନମ୍ବର-୫ରେ ବ୍ୟାଟିଂ କରିଥିଲେ।

ଟେଷ୍ଟରେ ସର୍ବାଧିକ ଶତକୀୟ ଭାଗୀଦାରୀ କରିବାର ରେକର୍ଡ: ଡ୍ରାଭିଡଙ୍କ ନାଁରେ ସର୍ବାଧିକ ଶତକୀୟ ଭାଗୀଦାରୀ କରିବାର ରେକର୍ଡ ରହିଛି। ଡ୍ରାଭିଡ୍ ସଚିନ ତେନ୍ଦୁଲକରଙ୍କ ସହ ମିଶି ଟେଷ୍ଟରେ ମୋଟ ୨୦ଥର ଶତକୀୟ ପାର୍ଟନରଶିପର ଭୂମିକା ବହନ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ରେକର୍ଡ। ଉଭୟ ଡ୍ରାଭିଡ୍ ଓ ସଚିନ୍ ମିଶି ୬୯୨୦ ରନ୍ କରିଛନ୍ତି। ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଏବଂ ମାହେଲା ଜୟବର୍ଦ୍ଧନେ, ଯାହାଙ୍କ ନାଁରେ ୧୯ ଶତକୀୟ ଭାଗୀଦାରୀ କରିବାର ରେକର୍ଡ ରହିଛି।

ଫିଲ୍ଡର୍ ଭାବେ ସର୍ବାଧିକ କ୍ୟାଚ୍ ଧରିବାର ରେକର୍ଡ: ଡ୍ରାଭିଡ୍ ନିଜ କ୍ୟାରିୟରରେ ସ୍ଲିପରେ ଚମତ୍କାର ଫିଲ୍ଡିଂ କରୁଥିଲେ। ସେ ଟେଷ୍ଟ କ୍ୟାରିୟରରେ ମୋଟ ୨୧୦ କ୍ୟାଚ୍ ଧରିଛନ୍ତି। ଡ୍ରାଭିଡଙ୍କ ପଛକୁ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ରହିଛନ୍ତି, ଯିଏ ନିଜ ଟେଷ୍ଟ କ୍ୟାରିୟରରେ ମୋଟ ୨୦୫ କ୍ୟାଚ୍ ନେଇଛନ୍ତି। ଡ୍ରାଭିଡଙ୍କ ଏହି ରେକର୍ଡ ମଧ୍ୟ ଅଦ୍ୱିତୀୟ ରହିଛି, ଯାହାକୁ ଭାଙ୍ଗିବା ଅସମ୍ଭବ।

Related story