ରାଜକୋଟ୍: ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଚାଲିଥିବା ସୌରାଷ୍ଟ୍ର ଓ ବେଙ୍ଗଲ ରଣଜୀ ଟ୍ରଫି ଫାଇନାଲ୍ ମୁକାବିଲା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ସୌରାଷ୍ଟ୍ରର ୪୨୫ ରନ୍ ଜବାବରେ ବେଙ୍ଗଲ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୩୫୪ ରନ୍ କରି ଆଶା ଉଜ୍ଜୀବିତ ରଖିଛି। ଉଭୟ କ୍ୱାର୍ଟରଫାଇନାଲ୍ ଓ ସେମିଫାଇନାଲରେ ବେଙ୍ଗଲ ପାଇଁ ସଙ୍କଟମୋଚକ ସାଜିଥିବା ଅନୁସ୍ତୁପ ମଜୁମଦାର ଏଠାରେ ମଧ୍ୟ ଠିକ୍ ସେହି ଭୂମିକା ବହନ କରିଛନ୍ତି। ସେ ପୁଣିଥରେ ଲଢ଼ୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଛନ୍ତି ଏବଂ ତାଙ୍କୁ ଅର୍ଣ୍ଣବ ନନ୍ଦି ଭରପୂର ସହଯୋଗ କରିଛନ୍ତି। ଏହା ପୂର୍ବରୁ ସୁଦୀପ ଚାଟାର୍ଜୀ ଓ ଋଦ୍ଧିମାନ ସାହା ଅର୍ଦ୍ଧଶତକ ମାରି ଦଳ ପାଇଁ ଉପଯୋଗୀ ଯୋଗଦାନ କରିଛନ୍ତି। ତେବେ ଷ୍ଟମ୍ପ ଅପସାରଣ ବେଳକୁ ଅନୁସ୍ତୁପ ୫୮ (୧୩୪ ବଲ୍, ୮ ଚୌକା) ଓ ଅର୍ଣ୍ଣବ ୨୮ (୮୨ ବଲ୍, ୩ ଚୌକା, ୧ ଛକା) ରନରେ ବ୍ୟାଟିଂ କରୁଥିଲେ। ବେଙ୍ଗଲ ଆହୁରି ୭୧ ରନରେ ପଛୁଆ ଥିବା ବେଳେ ହାତରେ ୪ ୱିକେଟ୍ ବାକି ରହିଛି।
ଗୁରୁବାର ଚତୁର୍ଥ ଦିବସରେ ବେଙ୍ଗଲ ଅସମାପ୍ତ ୧୩୪/୩ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ସୁଦୀପ ଓ ସାହା ସକାଳୁ ଘରୋଇ ବୋଲରଙ୍କୁ ସର୍ତକତାର ସହ ଖେଳିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୦୧ ରନର ଶତକୀୟ ଭାଗୀଦାରୀ କରିଥିଲେ। ସୁଦୀପ ଅର୍ଦ୍ଧଶତକ ମାରିବା ପରେ ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ, କିନ୍ତୁ ତାଙ୍କୁ ଧର୍ମେନ୍ଦ୍ରସିଂହ ଜାଡେଜା ଆଉଟ୍ କରି ସୌରାଷ୍ଟ୍ରକୁ ବଡ଼ ସଫଳତା ଦେଇଥିଲେ।
ସୁଦୀପ ୨୪୧ ବଲରେ ୭ ଚୌକା ସହ ୮୧ ରନ୍ କରିଥିଲେ। ଏହା ପରେ ସାହା ମଧ୍ୟ ଅର୍ଦ୍ଧଶତ୍ ମାରିବା ପରେ ପ୍ୟାଭିଲିୟନ୍ ଫେରିଯାଇଥିଲେ। ସେ ବ୍ୟକ୍ତିଗତ ୬୪ (୧୮୪ ବଲ୍, ୧୦ ଚୌକା ଓ ୧ ଛକା) ରନ୍ କରି ପ୍ରେରକ ମାଙ୍କଡଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶାହାବାଜ ଅହମ୍ମଦ (୧୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଅନୁସ୍ତୁପ ଓ ଅର୍ଣ୍ଣବଙ୍କ ଯୋଡ଼ି କ୍ରିଜରେ ଜମି ଯାଇଥିଲେ ଏବଂ ଦୁହେଁ ସୌରାଷ୍ଟ୍ରର ମଜଭୁତ୍ ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଥିଲେ।
ଓଡ଼ିଶା ବିପକ୍ଷ କ୍ୱାର୍ଟରଫାଇନାଲ୍ ଏବଂ କର୍ଣ୍ଣାଟକା ବିପକ୍ଷ ସେମିଫାଇନାଲରେ ଶତକୀୟ ଇନିଂସ୍ ଖେଳିଥିବା ଅନୁସ୍ତୁପ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କୁ ଅର୍ଣ୍ଣବ ନନଷ୍ଟ୍ରାଇକର୍ ଏଣ୍ଡରେ ଭଲ ସହଯୋଗ କରିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୯୧ ରନର ଭାଗିଦାରୀ କରି ବେଙ୍ଗଲର ଟାଇଟଲ୍ ଆଶାକୁ ଉଜ୍ଜୀବିତ କରିଛନ୍ତି। ସୌରାଷ୍ଟ୍ର ପକ୍ଷରୁ ଜାଡେଜା ଓ ମାଙ୍କଡ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି। ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ଦିବସରେ ବେଙ୍ଗଲ ପ୍ରଥମ ଇନିଂସ୍ ଲିଡ୍ ନେଇ ୩୦ ବର୍ଷ ପରେ ଟାଇଟଲ୍ ଜିତିବାକୁ ପ୍ରୟାସ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।