ଆଫଗାନିସ୍ତାନର ଐତିହାସିକ ଟେଷ୍ଟ ବିଜୟ

ଚଟ୍ଟୋଗ୍ରାମ: ରଶିଦ୍ ଖାନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୨୨୪ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଆଫଗାନିସ୍ତାନ ଟିମର ଏହା ତୃତୀୟ ଟେଷ୍ଟ ଏବଂ ସେମାନେ ଦ୍ୱିତୀୟଥର ପାଇଁ ଟେଷ୍ଟ କ୍ରିକେଟରେ ବିଜୟ ହାସଲ କରିଛନ୍ତି। ଏହି ବିଜୟ ସହ ଆଫଗାନିସ୍ତାନ ନୂଆ ଇତିହାସ ରଚିଛି। ଅଷ୍ଟ୍ରେଲିଆ ପରେ ଆଫଗାନିସ୍ତାନ ଏକମାତ୍ର ଟିମ୍, ଯିଏ ତା’ର ପ୍ରଥମ ତିନୋଟି ଟେଷ୍ଟରୁ ଦୁଇଟି ମ୍ୟାଚ୍ […]

aghan

Ranjit Kumar Jena
  • Published: Monday, 09 September 2019
  • , Updated: 09 September 2019, 09:14 PM IST

ଚଟ୍ଟୋଗ୍ରାମ: ରଶିଦ୍ ଖାନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୨୨୪ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଆଫଗାନିସ୍ତାନ ଟିମର ଏହା ତୃତୀୟ ଟେଷ୍ଟ ଏବଂ ସେମାନେ ଦ୍ୱିତୀୟଥର ପାଇଁ ଟେଷ୍ଟ କ୍ରିକେଟରେ ବିଜୟ ହାସଲ କରିଛନ୍ତି। ଏହି ବିଜୟ ସହ ଆଫଗାନିସ୍ତାନ ନୂଆ ଇତିହାସ ରଚିଛି।

ଅଷ୍ଟ୍ରେଲିଆ ପରେ ଆଫଗାନିସ୍ତାନ ଏକମାତ୍ର ଟିମ୍, ଯିଏ ତା'ର ପ୍ରଥମ ତିନୋଟି ଟେଷ୍ଟରୁ ଦୁଇଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ଅଷ୍ଟ୍ରେଲିଆ ୧୮୭୭ରୁ ୧୯୭୯ ମଧ୍ୟରେ ଏବଂ ଆଫଗାନିସ୍ତାନ ୨୦୧୮ରୁ ୨୦୧୯ ମଧ୍ୟରେ ଏହି କାରନାମା କରିଛି। ଆଫଗାନିସ୍ତାନ ତା'ର ପ୍ରଥମ ଟେଷ୍ଟରେ ଭାରତ ନିକଟରୁ ପରାସ୍ତ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଆୟର୍ଲ୍ୟାଣ୍ଡକୁ ହରାଇଥିଲା।

ଜହରୁ ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୩୯୮ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଦ୍ୱିତୀୟ ଇନିଂସରେ ୬୧.୪ ଓଭରରେ ମାତ୍ର ୧୭୩ ରନରେ ଅଲଆଉଟ୍ ହୋଇଛି। ଉକ୍ତ ଟେଷ୍ଟରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ୩୪୨ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦୫ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ଆଫଗାନିସ୍ତାନ ଟିମ୍ ପ୍ରଥମ ଇନିଂସ ଆଧାରରେ ୧୩୭ ରନର ଅଗ୍ରଣୀ ହାସଲ କରିଥିଲା। ଭ୍ରମଣକାରୀ ଟିମ୍ ଦ୍ୱିତୀୟ ଇନିଂସରେ ୨୬୦ ରନରେ ଅଲଆଉଟ୍ ହୋଇଥିଲା। ମ୍ୟାଚରେ ମୋଟ ୭୫ ରନ୍ ଏବଂ ୧୧ ୱିକେଟ୍ ହାସଲ କରିଥିବା ରଶିଦ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ ବିଶାଳ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଟିମ୍ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା। ସୋମବାର ପଞ୍ଚମ ତଥା ଅନ୍ତିମ ଦିବସରେ ସକାଳୁ ବର୍ଷା ଲାଗି ରହିଥିଲା। ବର୍ଷା ନିୟମିତ ଲାଗି ରହିବାରୁ ଦିବସର ଖେଳ ଧୋଇ ହୋଇଯିବାର ସମ୍ଭାବନା ରହିଥିଲା। ତେବେ ବର୍ଷା ଛାଡ଼ିବା ପରେ ଅନ୍ତିମ ସେସନରେ ଖେଳ ସମ୍ଭବପର ହୋଇଥିଲା।

ବାଂଲାଦେଶକୁ ମ୍ୟାଚ୍ ବଞ୍ଚାଇବା ପାଇଁ ୧୮.୩ ଓଭର ଖେଳିବାକୁ ଥିବା ବେଳେ ଆଫଗାନିସ୍ତାନକୁ ବିଜୟ ପାଇଁ ୪ ୱିକେଟ୍ ଆବଶ୍ୟକ ହେଉଥିଲା। ଦିବସର ଆରମ୍ଭରୁ ହିଁ ଆଫଗାନିସ୍ତାନକୁ ସଫଳତା ମିଳିଥିଲା। ଜାହିର୍ ଖାନ୍ ଘରୋଇ ଦଳର କ୍ୟାପଟେନ୍ ସାକିବ୍ ଅଲ୍ ହାସନ୍ (୪୪)ଙ୍କୁ ଆଉଟ୍ କରି ଆଫଗାନିସ୍ତାନ ପାଇଁ ଆଶା ସଞ୍ଚାର କରିଥିଲେ। ଏହା ପରେ ରଶିଦ୍ ବାଂଲାଦେଶର ଶେଷ ତିନୋଟି ୱିକେଟ୍ ନେଇ ଆଫଗାନିସ୍ତାନକୁ ବିଜୟୀ କରାଇଥିଲେ। ଅନ୍ତିମ ୱିକେଟ୍ ଭାବେ ସୌମ୍ୟ ସରକାର ୧୫ ରନ୍ କରି ଆଉଟ୍ ହୋଇଥିଲେ। ମେହିଦି ହାସନ୍ ମିରାଜ (୧୨) ଓ ତାଇଜୁଲ୍ ଇସଲାମ୍ (୦) ନିରାଶ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ରଶିଦ୍ ୪୯ ରନ୍ ଦେଇ ୬ଟି ଓ ଜାହିର୍ ୫୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

Related story