ନୂଆଦିଲ୍ଲୀ: ଆଉ ଦିନକ ପରେ ୨୦୧୯ ବିଦାୟ ନେବ। ୨୦୧୯ ଭାରତୀୟ କ୍ରିକେଟ୍ ପାଇଁ ବହୁତ ସଫଳ ବର୍ଷ ଥିଲା। କେବଳ ବିଶ୍ୱକପକୁ ଛାଡ଼ି ଦେଲେ ବାକି ସବୁଥିରେ ଭାରତ ଭଲ ପ୍ରଦର୍ଶନ କରିଥିଲେ। ଦିନିକିଆ କ୍ରିକେଟ୍ କଥା ଯଦି ଉଠାଇବା, ତାହେଲେ ଚଳିତ ବର୍ଷ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରାଜୁତି ଦେଖିବାକୁ ମିଳିଥିଲା। ବିଶେଷକରି ଟିମ୍ ଇଣ୍ଡିଆର ଦୁଇ ମେରୁଦଣ୍ଡ କୁହାଯାଉଥିବା ରୋହିତ୍ ଶର୍ମା ଓ ବିରାଟ୍ କୋହଲିଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷିଛି। କିନ୍ତୁ ଚଳିତ ବର୍ଷ ଦିନିକିଆରେ ସର୍ବାଧିକ ରନ୍ ମାମଲାରେ ରୋହିତ୍ ବିରାଟଙ୍କଠାରୁ ଆଗରେ ରହିଛନ୍ତି। କୋହଲି ଦ୍ୱିତୀୟ, ୱେଷ୍ଟଇଣ୍ଡିଜର ଶାଇ ହୋପ୍ ତୃତୀୟ, ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ ଚତୁର୍ଥ ଏବଂ ପାକିସ୍ତାନର ବାବର ଆଜମ ପଞ୍ଚମ ସ୍ଥାନରେ ରହିଛନ୍ତି।
ରୋହିତ୍ ଶର୍ମା (୨୮ ମ୍ୟାଚ୍, ୧୪୯୦ ରନ୍, ହାରାହାରି: ୫୭.୩୦, ୧୦୦/୫୦: ୭/୬)
ଭାରତର ଏହି ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଜଣକ ୨୦୧୯ରେ ୨୮ ଦିନିକିଆ ଖେଳି ୫୭.୩୦ ହାରରେ ୧୪୯୦ ରନ୍ କରିଛନ୍ତି। ତାଙ୍କ ବ୍ୟାଟରୁ ମୋଟ ୭ଟି ଶତକ ବାହାରିଛି। ସେ ଅଷ୍ଟ୍ରେଲିଆ (୧୩୩, ସିଡନୀ), ଦକ୍ଷିଣ ଆଫ୍ରିକା (୧୨୨*, ସାଉଥାମ୍ପଟନ୍), ପାକିସ୍ତାନ (୧୪୦, ମାଞ୍ଚେଷ୍ଟର), ଇଂଲଣ୍ଡ (୧୦୨, ବର୍ମିଂହାମ୍), ବାଂଲାଦେଶ (୧୦୪, ବର୍ମିଂହାମ), ଶ୍ରୀଲଙ୍କା (୧୦୩, ଲିଡ୍ସ) ଓ ୱେଷ୍ଟଇଣ୍ଡିଜ୍ (୧୫୯, ଭାଇଜାଗ) ବିପକ୍ଷରେ ଶତକ ମାରିଛନ୍ତି। ୭ ଶତକ ବ୍ୟତୀତ ରୋହିତ୍ ଚଳିତ ବର୍ଷ ୬ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ତାଙ୍କ ନାଁରେ ୨୦୧୯ରେ ୧୪୬ ଚୌକା ଓ ୩୬ ଛକା ରହିଛି। ରୋହିତ୍ ୨୦୧୭ ଓ ୨୦୧୮ରେ ସର୍ବାଧିକ ରନ୍ ମାମଲାରେ ଦ୍ୱିତୀୟ ରହିଥିବା ବେଳେ କୋହଲି ଶୀର୍ଷରେ ରହିଥିଲେ। କିନ୍ତୁ ୨୦୧୯ରେ ରୋହିତ୍ ଶୀର୍ଷରେ ରହି ବର୍ଷ ଶେଷ କରିଛନ୍ତି।
ବିରାଟ୍ କୋହଲି (୨୬ ମ୍ୟାଚ୍, ୧୩୭୭ ରନ୍, ହାରାହାରି: ୫୯.୮୬, ୧୦୦/୫୦: ୫/୭)
ଯେତେବେଳେ ବିରାଟ୍ କୋହଲି ଫର୍ମରେ ଥାନ୍ତି, ସେତେବେଳେ କୌଣସି ବୋଲିଂ ଆକ୍ରମଣ ତାଙ୍କୁ ରୋକି ପାରନ୍ତି ନାହିଁ। ୨୦୧୭ ଓ ୨୦୧୮ରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଭାବେ ବର୍ଷ ଶେଷ କରିଥିବା କୋହଲି ୨୦୧୯ରେ ରୋହିତଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି। କୋହଲି ଚଳିତ ବର୍ଷ ୨୬ ମ୍ୟାଚରେ ୫୭.୮୬ ହାରରେ ୧୩୭୭ ରନ୍ କରିଛନ୍ତି। ଏହି ଭାରତୀୟ କ୍ୟାପଟେନଙ୍କ ନାଁରେ ୫ଟି ଶତକ ଓ ୭ଟି ଅର୍ଦ୍ଧଶତକ ମଧ୍ୟ ରହିଛି, ଯେଉଁଥିରେ ୧୩୩ ଚୌକା ଓ ୮ ଛକା ସାମିଲ୍ ଅଛି। କୋହଲି ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଶତକ (୧୦୪- ଆଡିଲେଡ୍, ୧୧୬- ନାଗପୁର ଏବଂ ୧୨୩ ରାଞ୍ଚି) ମାରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି (୧୨୦ ଓ ୧୧୪, ପୋର୍ଟ ଅଫ୍ ସ୍ପେନ୍) ହାସଲ କରିଛନ୍ତି।
ଶାଇ ହୋପ୍ (୨୮ ମ୍ୟାଚ୍, ୧୩୪୫ ରନ୍, ହାରାହାରି: ୬୧.୧୩, ୧୦୦/୫୦: ୪/୮)
ଚଳିତ ବର୍ଷ ୱେଷ୍ଟଇଣ୍ଡିଜର ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୨୮ ଦିନିକିଆରେ ୧୩୪୫ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି। ୨୬ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ଜଣକ ୬୧.୧୩ ହାରରେ ୪ଟି ଶତକ ଓ ୮ଟି ଅର୍ଦ୍ଧଶତକ ମାରିଛନ୍ତି। ନିକଟରେ ଭାରତ ବିପକ୍ଷ ଶେଷ ହୋଇଥିବା ଦିନିକିଆ ସିରିଜରେ ସେ ଯଥାକ୍ରମେ ୧୦୨*, ୭୮ ଏବଂ ୪୨ ରନ୍ କରିଥିଲେ। ଚଳିତ ବର୍ଷ ତାଙ୍କ ନାଁରେ ୧୧୭ ଚୌକା ଓ ୨୧ ଛକା ମଧ୍ୟ ରହିଛି। ହୋପ୍ ଏହି ବର୍ଷ ଚାରୋଟି ଶତକ ଯଥା ଆୟର୍ଲ୍ୟାଣ୍ଡ (୧୭୦, ଡବଲିନ୍), ବାଂଲାଦେଶ (୧୦୯, ଡବଲିନ୍), ଆଫଗାନିସ୍ତାନ (୧୦୯*, ଲକ୍ଷ୍ନୌ) ଏବଂ ଭାରତ (୧୦୨*) ବିପକ୍ଷରେ ହାସଲ କରିଛନ୍ତି।
ଆରୋନ୍ ଫିଞ୍ଚ୍ (୨୩ ମ୍ୟାଚ୍, ୧୧୪୧ ରନ୍, ହାରାହାରି: ୫୧.୮୬, ୧୦୦/୫୦: ୪/୬)
ଅଷ୍ଟ୍ରେଲିଆର ସୀମିତ ଓଭର କ୍ୟାପଟେନ୍ ଫିଞ୍ଚ୍ ଚଳିତ ବର୍ଷ ସର୍ବାଧିକ ରନ୍ କରିବା ମାମଲାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଫିଞ୍ଚ୍ ୨୩ ମ୍ୟାଚରେ ୫୧.୮୬ ହାରରେ ୧୧୪୧ ରନ୍ କରିଛନ୍ତି। ଏହି ହାର୍ଡ ହିଟିଂ ବ୍ୟାଟ୍ସମ୍ୟାନ୍ ଜଣକ ୨୦୧୯ରେ ୪ଟି ଶତକ ଓ ୬ ଅର୍ଦ୍ଧଶତକ ମାରିଛନ୍ତି, ଯେଉଁଥିରେ ୯୮ ଚୌକା ଓ ୩୬ ଛକା ମଧ୍ୟ ସାମିଲ୍ ଅଛି। ସେ ନିଜର ଚାରୋଟି ଶତକ ମଧ୍ୟରୁ ପାକିସ୍ତାନ ବିପକ୍ଷରେ ଦୁଇଟି ଏବଂ ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଲେଖାଏ ମାରିଛନ୍ତି।
ବାବର ଆଜମ୍ (୨୦ ମ୍ୟାଚ୍, ୧୦୯୨ ରନ୍, ହାରାହାରି: ୬୦.୬୬, ୧୦୦/୫୦: ୩/୬)
ପାକିସ୍ତାନର ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଛି। ୨୦୧୯ରେ ସେ ୨୦ ମ୍ୟାଚରେ ୬୦.୬୬ ହାରରେ ୧୦୯୨ ରନ୍ କରିଛନ୍ତି। ନିଜର ସ୍ଥିରତା ପରିଚିତ ବାବର ଏହି ବର୍ଷ ୩ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ମାରିଛନ୍ତି। ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଜଣକ ନିଜର ତିନୋଟି ଯାକ ଶତକ ଯଥାକ୍ରମେ ଇଂଲଣ୍ଡ (୧୧୫, ନଟ୍ଟିଂହାମ୍), ନ୍ୟୁଜିଲ୍ୟାଣ୍ଡ୍ (୧୦୧*, ବର୍ମିଂହାମ୍) ଏବଂ ଶ୍ରୀଲଙ୍କା (୧୧୫, କରାଚୀ) ବିପକ୍ଷରେ ହାସଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।