ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସଚିନ ନିଜର ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଚୁର ରନ୍ କରିଛନ୍ତି। କିନ୍ତୁ ୨୦୦୩ ବିଶ୍ୱକପରେ ତାଙ୍କର ପ୍ରଦର୍ଶନ ଅବିଶ୍ୱସନୀୟ ଥିଲା। ଏହି ବିଶ୍ୱକପର ପାକିସ୍ତାନ ବିପକ୍ଷ ମ୍ୟାଚରେ ସଚିନଙ୍କ ବ୍ୟାଟରୁ ବାହାରିଥିବା ୯୮ ରନର ଧୂଆଁଧାର ଇନିଂସ୍ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥିଲା। ଏହି ମ୍ୟାଚରେ ଯନ୍ତ୍ରଣାରେ ଛଟପଟ ସତ୍ତ୍ୱେ ସଚିନ ଜବରଦସ୍ତ ବ୍ୟାଟିଂ କରିଥିଲେ। କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ବିଶ୍ୱକପ୍ ବେଳେ ସଚିନ ଗୁରୁତର ଭାବେ ଡାଇରିଆରେ ପୀଡ଼ିତ ଥିଲେ ଏବଂ ଏହା ସତ୍ତ୍ୱେ ସେ ନିଜ ସ୍ୱାସ୍ଥ୍ୟ କଥା ନଭାବି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଖେଳିବାକୁ ଓହ୍ଲାଇଥିଲେ।
ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ବେଳେ ସଚିନ ଡାଇରିଆ ରୋଗରେ ଛଟପଟ ହେଉଥିଲେ, ଯେଉଁକାରଣରୁ ସେ ନିଜର ଅଣ୍ଡରୱିଅରରେ ଟିସ୍ୟୁ ପେପର ଲଗାଇଥିଲେ। ସଚିନ ଶ୍ରୀଲଙ୍କା ବିପକ୍ଷରେ ୯୭ ରନ୍ କରିଥିଲେ, ଯାହା ବଳରେ ଭାରତ ଏହି ମୁକାବିଲାକୁ ୧୮୩ ରନରେ ବିଜୟୀ ହୋଇଥିଲା। ଏହି ବିଶ୍ୱକପରେ ସଚିନ ମୋଟ ୬୭୩ ରନ୍ କରି ଟପ୍ ସ୍କୋରର ହୋଇଥିଲେ, ଯାହାକି କୌଣସି ବିଶ୍ୱକପରେ ଏହା ସର୍ବାଧିକ ରନ୍। ଏହା ମଧ୍ୟରେ ସଚିନଙ୍କୁ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ନିଜ ଶରୀରକୁ କଷ୍ଟ ଦେଇ ଖେଳିବାକୁ ପଡ଼ିଥିଲା।
ଖୋଦ୍ ସଚିନ ଏହାର ଖୁଲାସା କରିଛନ୍ତି। "ସଚିନ୍ କହିଛନ୍ତି, ପାକିସ୍ତାନ ବିପକ୍ଷରେ ସେହି ମ୍ୟାଚରେ ମୁଁ ମୋ କ୍ୟାରିୟରରେ ପ୍ରଥମଥର ରନରର ସହାୟତା ନେଇଥିଲି। ସେହି ମ୍ୟାଚରେ ମୁଁ ଠିକ୍ ଭାବେ ଛିଡ଼ା ହୋଇପାରୁନଥିଲି। ଏମିତି ଲାଗୁଥିଲା ଯେପରି ମୋ ଶରୀରରେ କେହି ଜଣେ ୫୦୦ କେଜି ଓଜନ ବାନ୍ଧି ଦେଇଛି। ଆମର ତତ୍କାଳୀନ ଫିଜିଓ ଆଣ୍ଡ୍ର୍ୟୁଯ ଲିପସଙ୍କୁ ଏ ସମ୍ବନ୍ଧରେ ଭଲଭାବେ ଜଣାଅଛି। ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିଲି ଏବଂ ମୁଁ ରନ୍ ନେବା ପାଇଁ ଦୌଡ଼ୁଥିଲି, ଯାହା ମୋ ପାଇଁ ଉପଯୁକ୍ତ ନଥିଲା। ମୁଁ ମଇଦାନରେ ପଡ଼ିଯାଇଥିଲି ଏବଂ ଉଠିବାକୁ ପ୍ରୟାସ କରିଥିଲି, କିନ୍ତୁ ଉଠିପାରିଲି ନାହିଁ। ମୋତେ ଲାଗିଲା କ୍ରାମ୍ପ ଯୋଗୁ ଶରୀରକୁ ବହୁତ କ୍ଷତି ହେବ। ତା'ପରେ ମୁଁ ରନରର ସହାୟତା ନେଇଥିଲି।"
ସଚିନ ଆହୁରି କହିଛନ୍ତି, "ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ନିଜକୁ ଫିଟ୍ ରଖିବା ପାଇଁ ମୁଁ ପାଣିରେ ଅଧିକ ଲୁଣ ମିଶାଇ ପିଇ ଦେଇଥିଲି, ଯାହାର ଓଲଟା ପ୍ରଭାବ ପଡ଼ିଥିଲା। ଏହା ଅତ୍ୟଧିକ ହେବାରୁ ମୋତେ ଡାଇରିଆ ହୋଇଯାଇଥିଲା। ଯାହା ପରେ ମୁଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ନିଜ ଅଣ୍ଡରୱିଅରରେ ଟିସ୍ୟୁ ପେପର ଲଗାଇ ବ୍ୟାଟିଂ କରିଥିଲି।" ସୂଚନାଯୋଗ୍ୟ, ଆଇସିସି ବିଶ୍ୱକପରେ ସଚିନଙ୍କ ନାଁରେ ସର୍ବାଧିକ ରନର ବିଶ୍ୱ ରେକର୍ଡ ରହିଛି।