ଲାହୋର: ପାକିସ୍ତାନ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ଭାବେ ଆଜି ୱିକେଟ ରକ୍ଷକ ତଥା ବ୍ୟାଟ୍ସମ୍ୟାନ୍ ସରଫରାଜ ଅହମ୍ମଦ ନିଯୁକ୍ତି ପାଇଛନ୍ତି। ଟି-୨୦ ବିଶ୍ୱକପ୍ରେ ଦଳର ଶୋଚନୀୟ ପରାଜୟ ପରେ ଶାହିଦ୍ ଆଫ୍ରିଦିଙ୍କ ଠାରୁ ଦାୟିତ୍ୱ କାଢି ନିଆଯାଇ ତାଙ୍କୁ ଦିଆଯାଇଛି।
ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି,“ ପାକିସ୍ତାନର ଟି-୨୦ ଦଳର ଅଧିନାୟକ ଭାବେ ସରଫରାଜ ଅହମ୍ମଦଙ୍କୁ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଗତବର୍ଷରୁ ତାଙ୍କୁ ଦଳର ଦିନିକିଆ ଓ ଟି-୨୦ର ଉପଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଥିଲା। ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ କିଛି ଦିନ ପାଇଁ ସେ ଦଳର ଅଧିନାୟକ ଭାବେ ରହିଥିଲେ।”
ଏନେଇ ପିସିବି ଅଧ୍ୟକ୍ଷ ଶାହାରୟାର ଖାନ୍ କହିଛନ୍ତି,“ଅହମ୍ମଦଙ୍କ ନାଁ ସର୍ବସମ୍ମତ୍ତି କ୍ରମେ ଅଧିନାୟକ ପାଇଁ ବଛାଯାଇଛି। ଆଶା କରୁଛି ସେ ଦଳକୁ ଆଗକୁ ନେବେ।”
ଅହମ୍ମଦ ଏହା ପୂର୍ବରୁ ଦିନିକିଆ ଓ ଟି-୨୦ ଦଳର ଉପଅଧିନାୟକ ଥିଲେ। ବିଶ୍ୱକପ୍ରେ ଦଳ ୪ଟି ମ୍ୟାଚ୍ରୁ ୩ଟିରେ ପରାଜୟ ଓ ଗୋଟିଏ ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା। ଏହାପରେ ଆଫ୍ରିଦି ଅଧିନାୟକ ପଦରୁ ଓ କୋଚ୍ ପଦରୁ ୱାକର ୟୁନିସ୍ ଗତକାଲି ଇସ୍ତଫା ଦେଇଛନ୍ତି।
୨୮ ବର୍ଷୀୟ ଅହମ୍ମଦ ୨୧ଟି ଟେଷ୍ଟ ମ୍ୟାଚ୍ ଖାଳି ୧୨୯୬ ରନ୍ କରିଛନ୍ତି। ଏହାସହ ସେ ୫୮ଟି ଦିନିକିଆ ଖେଳି ୧୦୭୭ ରନ୍ କରିଥିବା ବେଳେ ୨୧ଟି ଟି-୨୦ ଖେଳି ୨୯୧ ରନ୍ କରିଛନ୍ତି।