ଟି-୨୦ ମହିଳା ବିଶ୍ୱକପ: ଟିମ୍‌ ଇଣ୍ଡିଆ ଅପରାଜେୟ

ମେଲବର୍ଣ୍ଣ: ସ୍ପିନର ରାଧା ଯାଦବଙ୍କ ଘାତକ ବୋଲିଂ ଓ ଟିନ୍‌ ଏଜର ଶେଫାଳି ବର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆ ମହିଳା ଦଳ ଟି-୨୦ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହି ସେମି ଫାଇନାଲ ଖେଳିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ୪ଟି ଯାକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ବିଜୟ ଲାଭ କରିଛି। ପ୍ରଥମେ ଅଷ୍ଟ୍ରେଲିଆ, […]

e

Hemant Lenka
  • Published: Saturday, 29 February 2020
  • , Updated: 29 February 2020, 04:04 PM IST

ମେଲବର୍ଣ୍ଣ: ସ୍ପିନର ରାଧା ଯାଦବଙ୍କ ଘାତକ ବୋଲିଂ ଓ ଟିନ୍‌ ଏଜର ଶେଫାଳି ବର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆ ମହିଳା ଦଳ ଟି-୨୦ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହି ସେମି ଫାଇନାଲ ଖେଳିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ୪ଟି ଯାକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ବିଜୟ ଲାଭ କରିଛି। ପ୍ରଥମେ ଅଷ୍ଟ୍ରେଲିଆ, ପରେ ବାଂଲାଦେଶ ଓ ଶେଷରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ହରମନପ୍ରୀତ କୌରଙ୍କ ଟିମ ଇଣ୍ଡିଆ ଆଜି ଶ୍ରୀଲଙ୍କାକୁ ବେଶ ସହଜରେ ୭ ୱିକେଟରେ ହରାଇ ଦେଇଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୧୩ ରନ୍‌ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି।

୧୧୪ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ପାଇଁ ଶେଫାଳି ବର୍ମା ତାଙ୍କ ଚିରାଚରିତ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ତାଙ୍କୁ ଅଭିଜ୍ଞ ସ୍ମୃତି ମନ୍ଧାନା ଭରପୂର ସହଯୋଗ କରିଥିଲେ। ଦଳୀୟ ସ୍କୋର ୪.୪ ଓଭରରେ ୩୪ ଥିବା ବେଳେ ମନ୍ଧାନା ବ୍ୟକ୍ତିଗତ ୧୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ହରମନପ୍ରୀତ କୌର କେବଳ ୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ତେବେ ସେ ଶେଫାଳି ବର୍ମାଙ୍କ ସହ ମିଶି ଦଳୀୟ ସ୍କୋରକୁ ୮୨ ରନରେ ପହଞ୍ଚାଇଥିଲେ। ୧୧ତମ ଓଭରରେ ୩୪ ବଲରେ ୪୭ ରନ୍‌ କରିଥିବା ଶେଫାଳି ରନ୍‌ ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରଗିସ ଓ ଦିପ୍ତୀ ଶର୍ମା ଭାରତକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। ୩୨ ବଲ ପୂର୍ବରୁ ଉଭୟ ଭାରତକୁ ବିଶ୍ୱକପ୍‌ରେ ୪ର୍ଥ ବିଜୟ ଦେଇଥିଲେ।

ଏହାପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ୧୨ ରନ୍‌ରେ ଓପନର ଉମେଶା ଥିମାଶିନି(୨)ଙ୍କୁ ହରାଇଥିଲା। ଏହାପରେ ଅଧିନାୟକ ଚାମାରି ଆଟାପଟୁ(୩୩) ଓ ହର୍ଷିତା ମାଡାଭି(୧୨) ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଜେଶ୍ୱରୀ ଗାଏକ୍ୱାଡ ଭଲ ଲୟରେ ଥିବା ହର୍ଷିତାଙ୍କୁ ଆଉଟ କରିଦେଇଥିଲେ।

ଏଠାରୁ ଆରମ୍ଭ ହୋଇଥିଲା ରାଧା ଯାଦବଙ୍କ ଜଲୱା। ସେ ପ୍ରଥମେ ଅଧିନାୟକ ଆଟାପଟୁଙ୍କୁ ଆଉଟ କରିଥିଲେ। ଏହାପରେ ସେ ହନଦସୀମା କରୁଣରତ୍ନେ(୭) ଓ ହସିନି ପରେରା(୭)ଙ୍କୁ ଆଉଟ କରିଥିଲେ। ଶେଷରେ ଅନୁଷ୍କା ସଞ୍ଜେୱାନି(୧)ଙ୍କୁ ଆଉଟ କରି ନିଜର ୪ର୍ଥ ୱିକେଟ ହାସଲ କରିଥିଲେ। ରାଧା ତାଙ୍କର ୪ ଓଭରରେ ୨୩ ରନ୍‌ ଦେଇ ୪ ୱିକେଟ ନେଇଛନ୍ତି। ତାଙ୍କ ବ୍ୟତୀତ ଗାଏକ୍ୱାଡ ୨ଟି ଓ ଦିପ୍ତୀ ଶର୍ମା, ଶିକ୍ଷା ପାଣ୍ଡେ ଏବଂ ପୁନମ ଯାଦବ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Related story