ଭଙ୍ଗା ଆଙ୍ଗୁଠିରେ ଜିତାଇଥିଲେ ଧୱନ, ଏବେ ସନ୍ଦେହରେ ତାଙ୍କ ବିଶ୍ୱକପ୍‌ ଅଭିଯାନ

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଆଜି ଜବରଦସ୍ତ ଝଟକା ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ଶତକ ଲଗାଇଥିବା ଟିମ୍‌ ଇଣ୍ଡିଆର ‘ଗବର’ ତଥା ଓପନର ଶିଖର ଧୱନ ଆହତ ହେବା କାରଣରୁ ବିଶ୍ୱକପ୍‌ରୁ ୩ ସପ୍ତାହ ପାଇଁ ବାଦ୍‌ ପଡ଼ିଛନ୍ତି। ଅର୍ଥାତ ସେ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ। ଲିଗ୍‌ ପର୍ଯ୍ୟାୟରେ ଭାରତ ୯ଟି ମ୍ୟାଚ୍‌ ଖେଳିବ। ଧୱନ ଯଦି […]

e

Hemant Lenka
  • Published: Tuesday, 11 June 2019
  • , Updated: 11 June 2019, 06:51 PM IST

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଆଜି ଜବରଦସ୍ତ ଝଟକା ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ଶତକ ଲଗାଇଥିବା ଟିମ୍‌ ଇଣ୍ଡିଆର 'ଗବର' ତଥା ଓପନର ଶିଖର ଧୱନ ଆହତ ହେବା କାରଣରୁ ବିଶ୍ୱକପ୍‌ରୁ ୩ ସପ୍ତାହ ପାଇଁ ବାଦ୍‌ ପଡ଼ିଛନ୍ତି। ଅର୍ଥାତ ସେ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ। ଲିଗ୍‌ ପର୍ଯ୍ୟାୟରେ ଭାରତ ୯ଟି ମ୍ୟାଚ୍‌ ଖେଳିବ। ଧୱନ ଯଦି ଫିଟ୍‌ ରହିବେ, ସେ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ଶେଷ ଦୁଇଟି ରାଉଣ୍ଡ ରବୀନ ମ୍ୟାଚ୍‌ ଖେଳିବେ। ଏହାପରେ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ତାଙ୍କ ବାମ ହାତର ବୁଢ଼ା ଆଙ୍ଗୁଳିରେ ବଲ ମାଡ଼ ହୋଇଥିଲା। ସ୍କାନ୍‌ ପରେ ଏଥିରେ ତାଙ୍କ ବୁଢ଼ା ଆଙ୍ଗୁଠିର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ତେବେ ଧୱନ ସେହି ଭଙ୍ଗା ଆଙ୍ଗୁଳିରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିଲେ।

ଏବେ ପରୀକ୍ଷା ବେଳେ ବୁଢ଼ା ଆଙ୍ଗୁଳିଟି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏଥିପାଇଁ ଧୱନ୍‌ଙ୍କୁ ୩ ସପ୍ତାହ ପାଇଁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରୁ ବାଦ୍‌ ଦିଆଯାଇଛି। ଏହି ଆଘାତ ଗୁରୁତର ଥିବାରୁ ଏହା ଠିକ୍‌ ହେବା ପାଇଁ ଏକ ମାସ ଲାଗିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଯଦି ଏଭଳି ହୁଏ, ତା’ହେଲେ ଧୱନଙ୍କ ବିଶ୍ୱକପ୍‌ ଅଭିଯାନ ଏବେଠାରୁ ହିଁ ଶେଷ ହୋଇଯିବ।

ରବିବାର ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ନେଥନ କୁଲ୍ଟର-ନାଇଲ୍‌ଙ୍କ ଏକ ବଲ୍‌ ସିଧାସଳଖ ଧୱନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ମାଡ଼ ହୋଇଥିଲା। ସଙ୍ଗେସଙ୍ଗେ ଫିଜିଓ ଆସି ଧୱନଙ୍କ ଅଙ୍ଗୁଳିରେ ସ୍ପ୍ରେ କରିଥିଲେ। ବୁଢ଼ା ଆଙ୍ଗୁଠିରେ ଜୋରଦାର ଆଘାତ ଲାଗିଥିଲେ ହେଁ ଏହା ଧୱନଙ୍କ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପକାଇ ନଥିଲା। ସେ ସେହି ଭଙ୍ଗା ଆଙ୍ଗୁଠିରେ ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ସେ ୧୦୯ ବଲ୍‌ରେ ୧୧୭ ରନ୍‌ର ଇନିଂସ୍‌ ଖେଳିଥିଲେ। ଏହା ଧୱନଙ୍କ ଆଇସିସି ଇଭେଣ୍ଟରେ ୬ଷ୍ଠ ଶତକ। ଧୱନଙ୍କ ଶତକ ବଳରେ ଭାରତ ୩୫୨ ରନ୍‌ କରିଥିଲା। ବିଶାଳ ସ୍କୋର ଯୋଗୁ ଟିମ୍‌ ଇଣ୍ଡିଆ ଉକ୍ତ ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ନେଇଥିଲା। ଭାରତର ଫିଲ୍ଡିଂ ବେଳେ ଧୱନ ପଡ଼ିଆକୁ ଓହ୍ଲାଇ ନଥିଲେ। ତାଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ପୂରା ୫୦ ଓଭର୍‌ର ଫିଲ୍ଡିଂ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୫ ବିଶ୍ୱକପ୍‌ରେ ଧୱନ ଭାରତ ପାଇଁ ୨ଟି ଶତକ ହାସଲ କରିଥିଲେ।

Related story