କମବ୍ୟାକ୍‌ ମ୍ୟାଚ୍‌ରେ ଭାରତକୁ ସିରିଜ୍‌ ଦେଲେ ସ୍ମୃତି ମନ୍ଧାନା

ଆଣ୍ଟିଗୁଆ: ଆହତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜ୍‌ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ଖେଳି ନଥିବା ଟିମ୍‌ ଇଣ୍ଡିଆ ମହିଳା ଦଳର ଓପନର ସ୍ମୃତି ମନ୍ଧାନା ଜବରଦସ୍ତ କମବ୍ୟାକ୍‌ କରିଛନ୍ତି। ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ଘରୋଇ ୱେଷ୍ଟଇଣ୍ଡିଜ ମହିଳା ଦଳକୁ ୬ ୱିକେଟରେ ହରାଇ ଦେଇଛି। ଏହି ବିଜୟ ସହ ମିତାଲି ରାଙ୍କ ଟିମ୍‌ ଇଣ୍ଡିଆ ୨-୧ରେ ଦିନିକିଆ ସିରିଜ୍‌ ମଧ୍ୟ କବଜା କରିଛି। […]

s

Hemant Lenka
  • Published: Thursday, 07 November 2019
  • , Updated: 07 November 2019, 03:57 PM IST

ଆଣ୍ଟିଗୁଆ: ଆହତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜ୍‌ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ଖେଳି ନଥିବା ଟିମ୍‌ ଇଣ୍ଡିଆ ମହିଳା ଦଳର ଓପନର ସ୍ମୃତି ମନ୍ଧାନା ଜବରଦସ୍ତ କମବ୍ୟାକ୍‌ କରିଛନ୍ତି। ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ଘରୋଇ ୱେଷ୍ଟଇଣ୍ଡିଜ ମହିଳା ଦଳକୁ ୬ ୱିକେଟରେ ହରାଇ ଦେଇଛି।

ଏହି ବିଜୟ ସହ ମିତାଲି ରାଙ୍କ ଟିମ୍‌ ଇଣ୍ଡିଆ ୨-୧ରେ ଦିନିକିଆ ସିରିଜ୍‌ ମଧ୍ୟ କବଜା କରିଛି। ମନ୍ଧାନାଙ୍କ ବ୍ୟତୀତ ଅନ୍ୟତମ ଓପନର ଜେମିମା ରୋଡ୍ରଗ୍ସି ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।

ତୃତୀୟ ମ୍ୟାଚ୍‌ରେ  ଟସ୍‌ ଜିତି ୱେଷ୍ଟଇଣ୍ଡିଜ ମହିଳା ଟିମ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଷ୍ଟେଫାନି ଟେଲରଙ୍କ ୧୧୨ ବଲରେ ୭୯ ଓ ଷ୍ଟାୟିସ୍‌ ଆନ୍ କିଙ୍ଗଙ୍କ ୩୮ ରନ୍‌ ବଳରେ ଦଳ ୧୯୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ୧୯୫ ରନ୍‌ର ଟାର୍ଗେଟ ଇଣ୍ଡିଜ୍‌ ଭଳି ପିଚ୍‌ରେ ଚ୍ୟାଲେଞ୍ଜିଂ ହେବ ବୋଲି ସମ୍ଭାବନା ରହିଥିଲା।

ହେଲେ ଜେମିମା ଓ ମନ୍ଧାନା ଆରମ୍ଭରୁ ହିଁ ଇଣ୍ଡିଜ୍‌ ଦଳର ବୋଲରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୫.୧ ଓଭରରେ ୧୪୧ ରନ୍‌ ଯୋଡ଼ି ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଏଥିସହ ଉଭୟ ଖେଳାଳି ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଏହି ସମୟରେ ୬୯ କରିଥିବା ଜେମିମାଙ୍କୁ ଏଚ୍‌ ମାଥ୍ୟୁସ ଆଉଟ୍‌ କରି ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ। ଏହାର ୯ ରନ୍‌ ପରେ ୬୩ ବଲରେ ୭୪ ରନ୍‌ କରିଥିବା ମନ୍ଧାନା ମଧ୍ୟ ମାଥ୍ୟୁସଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ମନ୍ଧାନା ଏହି ଇନିଂସ୍‌ରେ ୯ଟି ଚୌକା ଓ ୩ଟି ବିଶାଳ ଛକା ମାରିଛନ୍ତି।

ତୃତୀୟ ୱିକେଟ୍‌ ପାଇଁ ପୁନମ ରାଉତ ଓ ଅଧିନାୟକ ମିତାଲି ରାଜ ୪୦ ରନ୍‌ ଯୋଡ଼ି ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇ ଦେଇଥିଲେ। ଏହି ୧୯୦ ରନ୍‌ରେ ଭାରତ ପୁନମ ରାଉତ(୨୪) ଓ ମିତାଲି ରାଜ(୨୦)ଙ୍କୁ ହରାଇଥିଲା। ଶେଷରେ ଦୀପ୍ତ ଶର୍ମା ଚୌକା ମାରି ଭାରତକୁ ୪୭ଟି ବଲ ପୂର୍ବରୁ ମ୍ୟାଚ୍‌ ସହ ସିରିଜ୍‌ ଭେଟି ଦେଇଥିଲେ।

ପ୍ରଥମ ଦିନିକିଆ ଇଣ୍ଡିଜ୍‌ ଦଳ ମାତ୍ର ୧ ରନ୍‌ରେ ଜିତିଥିଲା। ଏହାପରେ ଭାରତୀୟ ମହିଳା ଦଳ କ୍ରମାଗତ ଦୁଇଟି ମ୍ୟାଚ୍‌ ଜିତି ସିରିଜ ଦଖଲ କରିଛି।

Related story