ଗାଙ୍ଗୁଲି ବିସିସିଆଇ ବସ୍‌, ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ଦାବିଦାର

ମୁମ୍ବାଇ: ଦିନେ ଭାରତୀୟ କ୍ରିକେଟ୍ ଟିମର ମଙ୍ଗ ଧରୁଥିବା ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ବ୍ରିଜେଶ ପଟେଲଙ୍କୁ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କ ସମର୍ଥନ କାରଣରୁ ଏହି ବଡ଼ ପଦ ପାଇଁ ଦୃଢ଼ ଦାବିଦାର କୁହାଯାଉଥିଲା। କିନ୍ତୁ ଗାଙ୍ଗୁଲିଙ୍କ ନାଁରେ ମୋହର ଲାଗିବା ପରେ ବ୍ରିଜେଶଙ୍କ ଦାବିଦାରରେ ବ୍ରେକ୍ ଲାଗିଛି। ତେବେ ବ୍ରିଜେଶଙ୍କୁ ଖୁସି କରାଇବା ପାଇଁ ତାଙ୍କୁ […]

ganguly

ganguly

Ranjit Kumar Jena
  • Published: Monday, 14 October 2019
  • Updated: 14 October 2019, 05:11 PM IST

Sports

Latest News

ମୁମ୍ବାଇ: ଦିନେ ଭାରତୀୟ କ୍ରିକେଟ୍ ଟିମର ମଙ୍ଗ ଧରୁଥିବା ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ବ୍ରିଜେଶ ପଟେଲଙ୍କୁ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କ ସମର୍ଥନ କାରଣରୁ ଏହି ବଡ଼ ପଦ ପାଇଁ ଦୃଢ଼ ଦାବିଦାର କୁହାଯାଉଥିଲା। କିନ୍ତୁ ଗାଙ୍ଗୁଲିଙ୍କ ନାଁରେ ମୋହର ଲାଗିବା ପରେ ବ୍ରିଜେଶଙ୍କ ଦାବିଦାରରେ ବ୍ରେକ୍ ଲାଗିଛି। ତେବେ ବ୍ରିଜେଶଙ୍କୁ ଖୁସି କରାଇବା ପାଇଁ ତାଙ୍କୁ ଆଇପିଏଲର ଚେୟାରମ୍ୟାନ୍ କରାଯିବା ଉପରେ ମୋହର୍ ଲାଗିଛି। ଅମିତ୍ ଶାହଙ୍କ ପୁଅ ଜୟ ଶାହଙ୍କୁ ବିସିସିଆଇ ସମ୍ପାଦକ ପଦ ପାଇଁ ଚୟନ କରାଯିବା ମଧ୍ୟ ଏକପ୍ରକାର ନିଶ୍ଚିତ। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୂମଲ୍ କୋଷାଧ୍ୟକ୍ଷ ହୋଇପାରନ୍ତି। ବର୍ତ୍ତମାନ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ଅଧ୍ୟକ୍ଷ ଥିବା ଗାଙ୍ଗୁଲି ସେପ୍ଟେମ୍ବର, ୨୦୨୦ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ରହିବେ।

ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲି ସୋମବାର ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ପୂର୍ବତନ ବିସିସିଆଇ ସଭାପତି ନିରଞ୍ଜନ ଶାହ, ଏନ୍ ଶ୍ରୀନିବାସନ୍ ଏବଂ ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ରାଜୀବ ଶୁକ୍ଳା ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଆସନ୍ତା ୨୩ ତାରିଖରେ ବିସିସିଆଇର ନିର୍ବାଚନ ହେବ। ଯେହେତୁ ଗାଙ୍ଗୁଲି ଏକମାତ୍ର ପ୍ରାର୍ଥୀ ଭାବେ ଏହି ପଦ ପାଇଁ ନାମାଙ୍କନ ଭରିଛନ୍ତି, ତେଣୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ନିଶ୍ଚିତ। ବିସିସିଆଇ ନିର୍ବାଚନ ପାଇଁ ଅକ୍ଟୋବର ୧୪ ଅର୍ଥାତ୍ ସୋମବାର ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ତାରିଖ ଥିଲା।

ପ୍ରାର୍ଥିପତ୍ର ଦାଖଲ କରିବା ପରେ ଗାଙ୍ଗୁଲି କହିଥିଲେ, "ବିସିସିଆଇ ଅଧ୍ୟକ୍ଷ ହେବା ନେଇ ମୋ ପାଖରେ କୌଣସି ସୂଚନା ନଥିଲା। ମୁଁ ପ୍ରଥମେ ଜାଣିଥିଲି ଯେ ବ୍ରିଜେଶ ହିଁ ବିସିସିଆଇର ଅଧ୍ୟକ୍ଷ ହେବେ। କିନ୍ତୁ ପରେ ଜାଣିଲି ଯେ ଏହା ପରିବର୍ତ୍ତନ ହୋଇଯାଇଛି। ଅଧ୍ୟକ୍ଷ ହେବା ନେଇ ମୁଁ ବହୁତ ଖୁସି। ମୁଁ ଏଭଳି ସମୟରେ ବିସିସିଆଇର ମଙ୍ଗ ଧରିବାକୁ ଯାଉଛି, ଯେଉଁଠି ଗତ ତିନିବର୍ଷ ହେବ ଏହାର ଛବି ଭଲ ରହିନାହିଁ। ଭାରତୀୟ କ୍ରିକେଟର ସେବା ପାଇଁ ଏହାଠାରୁ ବଡ଼ ସୁଯୋଗ ମିଳିବ ଆଉ ନାହିଁ। ସର୍ବପ୍ରଥମେ ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ପ୍ରାଥମିକତା ଦେବା ମୋ ମୁଖ୍ୟା ଦାୟିତ୍ୱ। ଏ ନେଇ ମୁଁ ଗତ ତିନି ବର୍ଷ ହେଲା କ୍ରିକେଟ୍ ପ୍ରଶାସନିକ (ସିଓଏ)କୁ ବାରମ୍ବାର ଅନୁରୋଧ କରିଆସୁଛି। କିନ୍ତୁ ସେମାନେ ମୋ କଥା ଶୁଣିଲେ ନାହିଁ। ତେଣୁ ପ୍ରଥମଶ୍ରେଣୀ କ୍ରିକେଟରଙ୍କ ଆର୍ଥିକ ଅବସ୍ଥା ସୁଧାରିବା ମୋର କାମ ହେବ।"

ଗାଙ୍ଗୁଲିଙ୍କ ଅଧ୍ୟକ୍ଷ କରାଯିବା ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା। ରବିବାର ଏକ ପଞ୍ଚତାରକା ହୋଟେଲରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପାଇଁ ବୈଠକ ବସିଥିଲା। ଏହି ବୈଠକରେ ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର ଓ ଏନ୍ ଶ୍ରୀନିବାସନ୍ ସାମ୍ନାସାମ୍ନି ଥିଲେ। ବୈଠକରେ ଅଧ୍ୟକ୍ଷ ପଦକୁ ନେଇ ଅନେକ ତର୍କବିତର୍କ ଚାଲିଥିଲା। ଅଧ୍ୟକ୍ଷ ପଦ ପାଇଁ ଗୋଟିଏ ପଟେ ଶ୍ରୀନିବାସନଙ୍କ ସମର୍ଥନପ୍ରାପ୍ତ ପୂର୍ବତନ କ୍ରିକେଟର୍ ବ୍ରିଜେଶ ପଟେଲ୍ ଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟରେ 'ପ୍ରିନ୍ସ ଅଫ୍ କୋଲକାତା' ନାଁରେ ପରିଚିତ ଗାଙ୍ଗୁଲି ଥିଲେ। ବହୁ ଚର୍ଚ୍ଚା ପରେ ଶେଷରେ ଗାଙ୍ଗୁଲିଙ୍କ ନାମ ଉପରେ ମୋହର୍ ଲାଗିଥିଲା। ଏହି ଦୌଡ଼ରୁ ବାଦ୍ ପଡ଼ିଥିବା ବ୍ରିଜେଶଙ୍କୁ ଆଇପିଏଲ୍ ଚେୟାରମ୍ୟାନ୍ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ହଠାତ୍ କାହିଁକି ବ୍ରିଜେଶଙ୍କୁ ହଟାଇ ଗାଙ୍ଗୁଲିଙ୍କ ନାଁ ଉପରେ ମୋହର ଲାଗିଲା, ତାହା ଜଣାପଡ଼ିନାହିଁ।

ସୂଚନା ମିଳିଛି ଯେ ଶ୍ରୀନିବାସନ୍ ଶନିବାର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରି ବ୍ରିଜେଶ୍ ପଟେଲଙ୍କ ନାଁର ଓକିଲାତି କରିଥିଲେ। ଏପଟେ ଗାଙ୍ଗୁଲି ମଧ୍ୟ ଅମିତ୍ ଶାହଙ୍କୁ ସାକ୍ଷାତ କରି ବିସିସିଆଇର ବସ୍ ହେବା ନେଇ ନିଜର ଇଚ୍ଛା ଜାହିର୍ କରିଥିଲେ। ଆହୁରି ସୂଚନା ମିଳିଛି ଯେ, ଗାଙ୍ଗୁଲିଙ୍କୁ ଅନୁରାଗ ଠାକୁରଙ୍କ ବିପୁଳ ସମର୍ଥନ ଥିଲା। ଯେହେତୁ ଠାକୁର ପୂର୍ବରୁ ବିସିସିଆଇର ଅଧ୍ୟକ୍ଷ ରହିସାରିଛନ୍ତି, ତେଣୁ ଏହି କ୍ରିକେଟ୍ ପ୍ରଶାସନରେ ତାଙ୍କର ଦବଦବା ଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos