ପୁଣି ଚୋକର୍ସ ସାବ୍ୟସ୍ତ ହେଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: କଥାରେ ଅଛି ‘ହାର୍ କର୍ ଜିତନେ ୱାଲେଁ କୋ ବାଜିଗର୍ କେହତେ ହେଁ’, କିନ୍ତୁ ବିଶ୍ୱକପରେ ‘ଜିତକର୍ ହାର୍ ଜାନେ ୱାଲେଁ କୋ ‘ଚୋକର୍ସ’ କହନ୍ତି।’ ତେବେ ଏହି ଢ଼ଗ କହିବାର ଯର୍ଥାଥତା ରହିଛି। ବର୍ତ୍ତମାନ ଇଂଲଣ୍ଡରେ ଆଇସିସି ବିଶ୍ୱକପ୍ ଜାରି ରହିଛି। ବିଶ୍ୱକପର ଅଧା ମ୍ୟାଚ୍ ଇତିମଧ୍ୟରେ ଶେଷ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ କେଉଁ ଟିମ୍ ସେମିଫାଇନାଲ୍ ଯିବ, ତାହା ସ୍ଥିର ହୋଇନାହିଁ। ତେବେ କେଉଁ ଟିମର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି, ତାହା […]

FAF

Hemant Lenka
  • Published: Monday, 24 June 2019
  • , Updated: 24 June 2019, 06:31 PM IST

ନୂଆଦିଲ୍ଲୀ: କଥାରେ ଅଛି 'ହାର୍ କର୍ ଜିତନେ ୱାଲେଁ କୋ ବାଜିଗର୍ କେହତେ ହେଁ', କିନ୍ତୁ ବିଶ୍ୱକପରେ 'ଜିତକର୍ ହାର୍ ଜାନେ ୱାଲେଁ କୋ 'ଚୋକର୍ସ' କହନ୍ତି।' ତେବେ ଏହି ଢ଼ଗ କହିବାର ଯର୍ଥାଥତା ରହିଛି। ବର୍ତ୍ତମାନ ଇଂଲଣ୍ଡରେ ଆଇସିସି ବିଶ୍ୱକପ୍ ଜାରି ରହିଛି।

ବିଶ୍ୱକପର ଅଧା ମ୍ୟାଚ୍ ଇତିମଧ୍ୟରେ ଶେଷ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ କେଉଁ ଟିମ୍ ସେମିଫାଇନାଲ୍ ଯିବ, ତାହା ସ୍ଥିର ହୋଇନାହିଁ। ତେବେ କେଉଁ ଟିମର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି, ତାହା ସ୍ପଷ୍ଟ ହୋଇଛି। ବିଶ୍ୱକପ୍ ସେମିଫାଇନାଲରୁ ବାଦ୍ ପଡ଼ିଥିବା ଟିମ୍ ମଧ୍ୟରେ ସବୁଠାରୁ ବଡ଼ ନାଁ ହେଉଛି ଦକ୍ଷିଣ ଆଫ୍ରିକା। ୭ଟି ମୁକାବିଲାରେ ୫ଟି ପରାଜୟ ସହ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ୍ ରାସ୍ତା ବନ୍ଦ ହୋଇଛି।

କେବଳ ଏହି ବିଶ୍ୱକପ୍ ନୁହେଁ, ବାକି ସଂସ୍କରଣ ଗୁଡ଼ିକରେ ମଧ୍ୟ ଦକ୍ଷିଣ ଆଫ୍ରିକା କେବେବି ଚାମ୍ପିଅନ୍ ହୋଇପାରି ନାହିଁ। ଦକ୍ଷିଣ ଆଫ୍ରିକା ଏଭଳି ଏକ କ୍ରିକେଟ୍ ଟିମ୍, ଯିଏ ବିଶେଷକରି ବଡ଼ ଟୁର୍ଣ୍ଣାମେଣ୍ଟ ଅର୍ଥାତ୍ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ହାରି ବିଦାୟ ନେଇଥାଏ। ଏହି ବିଫଳତା କାରଣରୁ ଦକ୍ଷିଣ ଆଫ୍ରିକା ନାଁରେ "ଚୋକର୍ସ' ଟ୍ୟାଗ୍ ଲାଗିଛି। ତେବେ ଏତେ ଶକ୍ତିଶାଳୀ ଟିମ୍ କ'ଣ ପାଇଁ ଏପର୍ଯ୍ୟନ୍ତ ବିଶ୍ୱକପ୍ ଜିତିପାରି ନାହିଁ। ଆସନ୍ତୁ ଜାଣିବା ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ରେକର୍ଡ ଉପରେ।

୧୯୯୨: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଶ୍ୱକପ୍ ପଦାର୍ପଣ କରିଥିଲା। ଟୁର୍ଣ୍ଣାମେଣ୍ଟରେ ମୋଟ ୯ଟି ଟିମ୍ ଭାଗ ନେଇଥିଲେ। ଦକ୍ଷିଣ ଆଫ୍ରିକା ଲିଗ୍ ପର୍ଯ୍ୟାୟରେ ୮ଟି ମ୍ୟାଚରୁ ୫ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହି ସେମିଫାଇନାଲକୁ କ୍ୱାଲିଫାଏ କରିଥିଲା। ସେମିଫାଇନାଲରେ ଦକ୍ଷିଣର ସାମ୍ନା ଇଂଲଣ୍ଡ ସହ ହୋଇଥିଲା। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭଲ ସ୍ଥିତିରେ ଥିଲା ଏବଂ ଶେଷ ୧୩ ବଲରେ ଟିମକୁ ୨୨ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ ଏହି ସମୟରେ ବର୍ଷାର ଆଗମନ ହୋଇଥିଲା ଏବଂ ପରେ ଦକ୍ଷିଣ ଆଫ୍ରିକାକୁ ନୂଆ ଟାର୍ଗେଟ୍ ଆଧାରରେ ୧ ବଲରେ ୨୨ ରନ୍ ଆବଶ୍ୟକ ହୋଇଥିଲା। ଫଳରେ ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ହାରି ବିଦାୟ ନେଇଥିଲା।

୧୯୯୬: ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ୫ଟି ଯାକ ମ୍ୟାଚରେ ବିଜୟୀ ହୋଇ ନକଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଥିଲା। ନକଆଉଟରେ ଦକ୍ଷିଣ ଆଫ୍ରିକାର ସାମ୍ନା ୱେଷ୍ଟଇଣ୍ଡିଜ୍ ସହ ହୋଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୨୬୪ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୪୫ ରନ୍ କରି ଅଲଆଉଟ୍ ହୋଇଥିଲା। ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ନକଆଉଟରେ ହାରି ବିଦାୟ ନେଇଥିଲା।

୧୯୯୯: ଇଂଲଣ୍ଡରେ ଆୟୋଜିତ ଏହି ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ ବିଜୟ ସହ ସୁପର୍ ସିକ୍ସରେ ସ୍ଥାନ ହାସଲ କରିଥିଲା। ସୁପରସିକ୍ସରେ ଦକ୍ଷିଣ ଆଫ୍ରିକା ୫ଟି ମୁକାବିଲାରୁ ୩ଟି ବିଜୟ ସହ ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ଭେଟିଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୯୮ ରନରେ ୯ ୱିକେଟ୍ ହରାଇ ସାରିଥିଲା। ଲାନ୍ସ କ୍ଲୁଜନର ଆକ୍ରମଣାତ୍ମକ ବ୍ୟାଟିଂ କରି ସ୍କୋର ବରାବର କରିଥିଲେ। ଦକ୍ଷିଣ ଆଫ୍ରିକା ହାତରେ ୧ ୱିକେଟ୍ ବାକି ଥିଲା ଏବଂ ବିଜୟ ପାଇଁ ୧ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ ଆଲାନ୍ ଡୋନାଲ୍ଡ ରନ୍ ଆଉଟ୍ ହୋଇଥିଲେ ଏବଂ ମ୍ୟାଚ୍ ଟାଇ ହୋଇଥିଲା। ତେବେ ନେଟ୍ ରନରେଟ୍ ଆଧାରରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆଠାରୁ ପଛରେ ପଡ଼ିଯାଇଥିଲା।

୨୦୦୩: ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବିଶ୍ୱକପ୍ ଆୟୋଜକ ହୋଇଥିଲା। ତେଣୁ ଦକ୍ଷିଣ ଆଫ୍ରିକାଠାରୁ ପ୍ରଶଂସକ ବହୁତ କିଛି ଆଶା ବାନ୍ଧିଥିଲେ। କିନ୍ତୁ ଟିମ୍ ଲିଗ୍ ପର୍ଯ୍ୟାୟରୁ ଆଗକୁ ବଢ଼ିପାରି ନଥିଲା। ଦକ୍ଷିଣ ଆଫ୍ରିକା ତା'ର ଅନ୍ତିମ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ୱିକେଟରେ ୨୬୮ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୫ ଓଭରରେ ୬ ୱିକେଟ୍ ହରାଇ ୨୨୯ ରନ୍ କରି ଭଲ ସ୍ଥିତିରେ ଥିବା ବେଳେ ବର୍ଷା ମ୍ୟାଚକୁ ରୋକିଥିଲା। ବର୍ଷା ବନ୍ଦ ନହେବାରୁ ମ୍ୟାଚଟି ଡିଏଲ୍ ନିୟମରେ ଟାଇ ଭାବେ ଶେଷ ହୋଇଥିଲା। ଏଥିସହ ଦକ୍ଷିଣ ଆଫ୍ରିକାର ଏହି ସଂସ୍କରଣ ମଧ୍ୟ ଶେଷ ହୋଇଯାଇଥିଲା।

୨୦୦୭: ୱେଷ୍ଟଇଣ୍ଡିଜରେ ଆୟୋଜିତ ଏହି ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଗ୍ରୁପ୍-ଏ'ରେ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଓ ସ୍କଟଲ୍ୟାଣ୍ଡ୍ ସହ ସ୍ଥାନ ପାଇଥିଲା। ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍ ଜିତି ସୁପର୍-୮କୁ କ୍ୱାଲିଫାଏ କରିଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୭ଟିରୁ ୪ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିଲା। ସୁପର୍-୮ର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବାଂଲାଦେଶ ନିକଟରୁ ୬୭ ରନରେ ହାରିଯାଇଥିଲା। ସେମିଫାଇନାଲ୍ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ଭେଟିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ମାତ୍ର ୧୪୯ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।

୨୦୧୧: ଭାରତ, ବାଂଲାଦେଶ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଆୟୋଜିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ପର୍ଯ୍ୟାୟରେ ୬ଟି ମ୍ୟାଚରୁ ୫ ବିଜୟ ସହ ନକଆଉଟ୍ ରାଉଣ୍ଡରେ ପ୍ରବେଶ କରିଥିଲା। ନକଆଉଟରେ ଦକ୍ଷିଣ ଆଫ୍ରିକାର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୨୧ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏଥିସହ ଦକ୍ଷିଣ ଆଫ୍ରିକାର ଏହି ବିଶ୍ୱକପ୍ ଅଭିଯାନ ମଧ୍ୟ ଶେଷ ହୋଇଥିଲା।

୨୦୧୫: ଏହି ବିଶ୍ୱକପରେ ମଧ୍ୟ ଦକ୍ଷିଣ ଆଫ୍ରିକା ପୁଣିଥରେ ପୁଲ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ନକଆଉଟକୁ ଯୋଗ୍ୟତା ଅର୍ଜନ କରିଥିଲା। ପୁଲ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚରୁ ୪ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା। କ୍ୱାର୍ଟରଫାଇନାଲରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ଭେଟିଥିଲା। ଏଥିରେ ଶ୍ରୀଲଙ୍କା ୧୩୩ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧ ୱିକେଟ୍ ବିନିମୟରେ ୧୩୪ ରନ୍ କରି ବିଜୟୀ ହୋଇ ସେମିଫାଇନାଲରେ ପହଞ୍ଚିଥିଲା। ସେମିରେ ଦକ୍ଷିଣ ଆଫ୍ରିକାର ସାମ୍ନା ନ୍ୟୁଜିଲ୍ୟାଣ୍ଡ୍ ସହ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪୩ ଓଭରରେ ୫ ୱିକେଟ୍ ହରାଇ ୨୮୧ ରନ୍ କରିଥିଲା। ତେବେ ଡିଏଲ୍ ନିୟମ ଆଧାରରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୪୩ ଓଭରରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ୍ ଗୋଟିଏ ବଲ୍ ବାକି ଥାଇ ୪ ୱିକେଟରେ ମ୍ୟାଚକୁ ଜିତି ନେଇଥିଲା।

Related story