ଆଶେସ୍ ସିରିଜର ୫ ଚର୍ଚ୍ଚିତ ଘଟଣା

ଲଣ୍ଡନ: ଜବରଦସ୍ତ ସିରିଜ୍। ଆଶେସ୍ ସିରିଜରେ କ୍ରିକେଟର ରୋମାଞ୍ଚ ଶିଖରରେ ପହଞ୍ଚିଥିଲା। ଚିର ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଜବରଦସ୍ତ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଦମ୍ ଦେଖାଇଛି। ପାଞ୍ଚଟିରୁ ୪ଟି ଟେଷ୍ଟର ଫଳାଫଳ ମିଳିଥିଲା, ଯାହା ଫଳରେ ସିରିଜ୍ ୨-୨ରେ ଡ୍ର’ ଭାବେ ଶେଷ ହୋଇଛି। ସିରିଜରେ ଅନେକ ଘଟଣା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତେବେ […]

ashes

Ranjit Kumar Jena
  • Published: Monday, 16 September 2019
  • , Updated: 16 September 2019, 06:19 PM IST

ଲଣ୍ଡନ: ଜବରଦସ୍ତ ସିରିଜ୍। ଆଶେସ୍ ସିରିଜରେ କ୍ରିକେଟର ରୋମାଞ୍ଚ ଶିଖରରେ ପହଞ୍ଚିଥିଲା। ଚିର ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ଜବରଦସ୍ତ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଇଂଲଣ୍ଡ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ଦମ୍ ଦେଖାଇଛି। ପାଞ୍ଚଟିରୁ ୪ଟି ଟେଷ୍ଟର ଫଳାଫଳ ମିଳିଥିଲା, ଯାହା ଫଳରେ ସିରିଜ୍ ୨-୨ରେ ଡ୍ର' ଭାବେ ଶେଷ ହୋଇଛି। ସିରିଜରେ ଅନେକ ଘଟଣା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତେବେ ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିଲା ଷ୍ଟିଭ୍ ସ୍ମିଥଙ୍କ ବ୍ୟାଟିଂକୁ ନେଇ।

ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ବଲ୍ ଟ୍ୟାମ୍ପରିଂ ମାମଲାରେ ବର୍ଷକ ପାଇଁ ବ୍ୟାନ୍ ହେବା ପରେ ଏଭଳି ପ୍ରତ୍ୟାବର୍ତ୍ତନ କଲେ ଯେ, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ବଲ୍ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇଥିବା ତିନି ଅଷ୍ଟ୍ରେଲୀୟ କ୍ରିକେଟର୍ ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର ଏବଂ କ୍ୟାମେରନ୍ ବ୍ୟାନକ୍ରଫ୍ଟଙ୍କୁ ଲଗାତାର ଇଂଲଣ୍ଡ ପ୍ରଶଂସକଙ୍କଠାରୁ ହୁଟିଂର ଶିକାର ହେବାକୁ ପଡ଼ିଥିଲା। ଏହାଛଡ଼ା ଖରାପ ଅମ୍ପାୟାରିଂ ସିରିଜରେ ଖୁବ୍ ଚର୍ଚ୍ଚାରେ ରହିଥିଲା। ଆସନ୍ତୁ ଆଶେସ୍ ସିରିଜର ୫ ମୁଖ୍ୟ ଆକର୍ଷଣ ଉପରେ ନଜର ପକାଇବା।

ହୁଟିଂ ସତ୍ତ୍ୱେ ରନ୍ ବର୍ଷା କରିଥିଲେ ସ୍ମିଥ୍: ଏହି ସିରିଜରେ ଷ୍ଟିଭେନ୍ ସ୍ମିଥ୍ ପ୍ରମାଣିତ କରିଛନ୍ତି ଯେ ସେ ମାନସିକ ଭାବେ କେତେ ମଜଭୁତ୍। କହିବାକୁ ଗଲେ, ଅଷ୍ଟ୍ରେଲିଆର ପୂରା ବ୍ୟାଟିଂକ୍ରମ ସେ ଏକାକୀ ନିଜ କାନ୍ଧ ଉପରେ ଉଠାଇଥିଲେ। ଷ୍ଟିଭ୍ ସ୍ମିଥ୍ ବଲ ଟ୍ୟାମ୍ପରିଂ ମାମଲାରେ ବର୍ଷକର ବାସନ୍ଦାଦେଶ କାଟି ଏହି ସିରିଜ୍ ଜରିଆରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଭଳି ସ୍ଥିତିରେ ତାଙ୍କ ଉପରେ ଚାପ ରହିବା ସ୍ୱାଭାବିକ। ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦର୍ଶକ ବଲ୍ ଟ୍ୟାମ୍ପରିଂ ମାମଲାରେ ଏହି ଦୋଷୀ ଖେଳାଳିଙ୍କ ଉପରେ ହୁଟିଂ ଦ୍ୱାରା ଚାପ ପକାଇବାକୁ ପ୍ରୟାସ କରିଥିଲେ। ସ୍ମିଥଙ୍କ ବ୍ୟତୀତ ୱାର୍ଣ୍ଣର୍ ଓ ବ୍ୟାନକ୍ରଫ୍ଟ ମଧ୍ୟ ଇଂଲଣ୍ଡ ଦର୍ଶକଙ୍କ ଟାର୍ଗେଟରେ ଥିଲେ। ତେବେ ସବୁଠାରୁ ଅଧିକ ହୁଟିଂର ଶିକାର ହୋଇଥିଲେ ସ୍ମିଥ୍। ଇଂଲଣ୍ଡର ଆକ୍ରମଣାତ୍ମକ ସମର୍ଥକ କେତେବେଳେ ବାଲି କାଗଜ (ସ୍ୟାଣ୍ଡ ପେପର୍) ଦେଖାଇଥିଲେ ତ କେତେବେଳେ ସେମାନଙ୍କ ବିରୋଧରେ ସ୍ଲେଜିଂ କରିଥିଲେ। କିନ୍ତୁ ସ୍ମିଥଙ୍କୁ ଏଭଳି ଆଚରଣ ପ୍ରେରଣା ଯୋଗାଇଥିଲା। ସେ ପୂରା ସିରିଜରେ ୧୧୦.୫୭ ହାରରେ ୭୭୪ ରନ୍ କରି ଇଂଲଣ୍ଡ ସମର୍ଥକଙ୍କୁ କଡ଼ା ଜବାବ ଦେଇଥିଲେ। ଏପରିକି ପଞ୍ଚମ ଟେଷ୍ଟର ଦ୍ୱିତୀୟ ଇନିଂସରେ ସ୍ମିଥ୍ ଆଉଟ୍ ହେବା ପରେ ହୁଟିଂ କରୁଥିବା ପ୍ରଶଂସକ ଛିଡ଼ା ହୋଇ ତାଙ୍କୁ କରତାଳି ଦେଇ ବିଦାୟ ଦେବାକୁ ବାଧ୍ୟ ହୋଇଥିଲେ।

ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ: ଇଂଲଣ୍ଡର ମୁଖ୍ୟ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଆହତ କାରଣରୁ ସିରିଜରୁ ବାଦ୍ ପଡ଼ିଥିଲେ। ଯାହା ଫଳରେ ଲର୍ଡ୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ ଜୋଫ୍ରା ଆର୍ଚରଙ୍କୁ ପଦାର୍ପଣ କରିବା ପାଇଁ ସୁଯୋଗ ମିଳିଥିଲା। ବିଶ୍ୱକପ୍-୨୦୧୯ରେ ଇଂଲଣ୍ଡର ସବୁଠାରୁ ସଫଳ ହୋଇଥିବା ଆର୍ଚର୍ ଟେଷ୍ଟ କ୍ରିକେଟରେ ଏଭଳି ପ୍ରଦର୍ଶନ କଲେ ଯେ, ତାଙ୍କ ଆଗରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଭୟଭୀୟ ହୋଇପଡ଼ିଥିଲେ। ଲର୍ଡ୍ସ ଟେଷ୍ଟରେ ଆର୍ଚରଙ୍କ ବଲରେ ଷ୍ଟିଭ୍ ସ୍ମିଥ୍ ଆଘାତ ପାଇଥିଲେ। ଫଳସ୍ୱରୂପ ସ୍ମିଥ୍ ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିନଥିଲେ ଏବଂ ତୃତୀୟ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିଥିଲେ। ଟିମର ଅନ୍ୟ ଜଣେ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନଙ୍କୁ ମଧ୍ୟ ତାଙ୍କ ବଲ୍ ବାଜିଥିଲା। ଘଣ୍ଟାପ୍ରତି ୧୪୫ କିମି ବେଗରେ ବୋଲିଂ କରୁଥିବା ଆର୍ଚର ସିରିଜର ୪ଟି ମ୍ୟାଚରେ ୨୨ ୱିକେଟ୍ ନେଇଛନ୍ତି। ଷ୍ଟୁଆର୍ଟ ବ୍ରଡଙ୍କ ପରେ ସେ ଇଂଲଣ୍ଡର ସବୁଠାରୁ ସଫଳ ବୋଲର ରହିଥିଲେ।

ଦୁର୍ବଳ ଅମ୍ପାୟାରିଂ: ଆଶେସ୍ ସିରିଜ୍ ବେଳେ ଖରାପ ଅମ୍ପାୟାରିଂ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏହି ମାମଲାରେ ସବୁଠାରୁ ଅଧିକ ଟାର୍ଗେଟରେ ରହିଥିଲେ ଅମ୍ପାୟାର୍ ଜୋଏଲ୍ ୱିଲସନ୍। ତାଙ୍କ ନିଷ୍ପତ୍ତିକୁ ନେଇ ସୋଶାଲ ମିଡିଆରେ କ୍ରିକେଟପ୍ରେମୀ ଖୁବ୍ ନିରାଶ ହୋଇଥିଲେ। ଅମ୍ପାୟାର ଅଲୀମ ଦାରଙ୍କ ମଧ୍ୟ କିଛି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଥିଲା। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବ୍ୟାଟିଂ ବେଳେ ଅମ୍ପାୟାର ଅନେକ ନିଷ୍ପତ୍ତି ଡିଆରଏସ୍ ନେବା ପରେ ବଦଳିଥିଲା। ଏପରିକି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ କରିଥିଲେ, ଆଇସିସିକୁ ବଡ଼ ଟୁର୍ଣ୍ଣାମେଣ୍ଟରେ ନ୍ୟୁଟ୍ରାଲ୍ ଅମ୍ପାୟାରଙ୍କୁ ରଖିବାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ପଡ଼ିବ। ଲଗାତାର ସମାଲୋଚିତ ହୋଇଆସୁଥିବା ୱିଲସନଙ୍କୁ ସିରିଜର ଶେଷ ଦୁଇଟି ମ୍ୟାଚରୁ ବାଦ୍ ଦିଆଯାଇଥିଲା।

ପରାଜୟକୁ ବିଜୟରେ ପରିଣତ କଲା ଷ୍ଟୋକ୍ସଙ୍କ ଚମତ୍କାର ଇନିଂସ୍: ସିରିଜର ତୃତୀୟ ଟେଷ୍ଟରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ୧୩୫ ରନର ଇନିଂସ୍ ଖେଳି ଇଂଲଣ୍ଡକୁ ଏକ ନିଶ୍ଚିତ ପରାଜୟରୁ ରକ୍ଷା କରି ଅବିଶ୍ୱସନୀୟ ବିଜୟ ଦେଇଥିଲେ। ଇଂଲଣ୍ଡକୁ ତୃତୀୟ ଟେଷ୍ଟ ଜିତିବା ପାଇଁ ୩୫୯ ରନର ଆବଶ୍ୟକ ହେଉଥିଲା ଏବଂ ଟିମ୍ ଏକ ସମୟରେ ୯ ୱିକେଟରେ ୨୮୬ ରନ୍ କରି ବିପଦରେ ପଡ଼ିଥିଲା। ଆୟୋଜକ ଟିମକୁ ବିଜୟ ପାଇଁ ୭୩ ରନ୍ ଆବଶ୍ୟକ ହେଉଥିବା ବେଳେ ଅଷ୍ଟ୍ରେଲିଆ ବିଜୟରୁ ୧ ୱିକେଟ୍ ଦୂରରେ ଥିଲା। ଏହି ସମୟରେ ଇଂଲଣ୍ଡର ପରାଜୟ ନିଶ୍ଚିତ ଲାଗୁଥିଲା, କିନ୍ତୁ କଠିନ ସମୟରେ ଷ୍ଟୋକ୍ସ ଶେଷ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ ଲିଚଙ୍କ ସହ ମିଶି ୭୬ ରନର ଭାଗୀଦାରୀ କରି ନିଜ ଟିମକୁ ବିଜୟୀ କରାଇଥିଲେ। ତେବେ ମଜାଦାର କଥା ହେଉଛି, ଏହା ମଧ୍ୟରେ ଲିଚଙ୍କ ଯୋଗଦାନ ମାତ୍ର ୧ ରନ୍ ଥିଲା। ମ୍ୟାଚ୍ ପରେ ପୂରା ବିଶ୍ୱର ପୂର୍ବତନ ତଥା ବର୍ତ୍ତମାନ କ୍ରିକେଟର ଏବଂ କ୍ରିକେଟ୍ ସମୀକ୍ଷକ ଷ୍ଟୋକ୍ସଙ୍କ ଏହି ଇନିଂସକୁ ଜୋରଦାର ପ୍ରଶଂସା କରିଥିଲେ।

ଷ୍ଟୁଆର୍ଟ ବ୍ରଡଙ୍କ ଆଗରେ ୱାର୍ଣ୍ଣରଙ୍କ ଆତ୍ମସମର୍ପଣ: ବଲ୍ ଟ୍ୟାମ୍ପରିଂ ମାମଲାରେ ସମାଲୋଚନାର ଶିକାର ହୋଇଥିବା ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭ୍ ସ୍ମିଥଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା। ଏହି ସିରିଜ୍ ଜରିଆରେ ଏହି ଦୁଇ କ୍ରିକେଟର ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ୱାର୍ଣ୍ଣର ଆଶେସରେ ମଧ୍ୟ ଖୁବ୍ ରନ୍ ବର୍ଷା କରିବେ ବୋଲି ଲାଗୁଥିଲା। କିନ୍ତୁ ସବୁକିଛି ଏହାର ଓଲଟା ହୋଇଥିଲା। ସିରିଜର ସବୁ ମ୍ୟାଚରେ ୱାର୍ଣ୍ଣରଙ୍କୁ ରନ୍ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ବାମହାତୀ ଓପ୍ନର ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ୧୦ ଇନିଂସରେ ୯.୫୦ ହାରରେ ମାତ୍ର ୯୫ ରନ୍ କରିଥିଲେ। ଏହାମଧ୍ୟରେ ତିନିଥର ସେ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ତେବେ ବଡ଼ କଥା ହେଉଛି, ୱାର୍ଣ୍ଣରଙ୍କୁ ସିରିଜରେ ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡ୍ ସାତଥର ଆଉଟ୍ କରିଛନ୍ତି, ଯାହା ଏକ ରେକର୍ଡ। ବ୍ରଡ୍ ନିଜ କ୍ୟାରିୟରରେ ସର୍ବାଧିକଥର (୧୨) ୱାର୍ଣ୍ଣରଙ୍କୁ ଆଉଟ୍ କରି କୀର୍ତ୍ତିମାନ କରିଛନ୍ତି।

Related story