କଙ୍ଗାରୁଙ୍କୁ ଧୂଳି ଚଟାଇଥିବା ଷ୍ଟାର୍ କ୍ରିକେଟର୍ ଓଡ଼ିଶାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ପାଇଁ ଅଷ୍ଟ୍ରେଲିଆ ସିରିଜ୍ ସବୁଠାରୁ କଷ୍ଟସାଧ୍ୟ ଥିଲା। ପ୍ରଥମ ଟେଷ୍ଟର ୨ୟ ଇନିଂସରେ ୩୬ ରନରେ ଅଲଆଉଟ୍ ହେବା। ଏହା ପରେ ବିରାଟ୍ କୋହଲିଙ୍କ ସ୍ୱଦେଶ ଫେରିବା ଏବଂ ଏକାଧିକ ଖେଳାଳିଙ୍କ ଆହତ ସତ୍ତ୍ୱେ ଆମେ ଯେଉଁ ଭଳି କମବ୍ୟାକ୍ କଲୁ, ତାହା ପ୍ରଶଂସାଯୋଗ୍ୟ। ଆଉ ଏଭଳି ଏକ ସିରିଜରେ ଟିମର ସଦସ୍ୟ ହେବା ମୋ ପାଇଁ ଭାଗ୍ୟର କଥା। ଆଜି ଓଡ଼ିଶା ଗସ୍ତ ଅବସରରେ ଏମିତି କହିଛନ୍ତି ଟିମ୍ […]

hanuma11

Ranjit Kumar Jena
  • Published: Sunday, 31 January 2021
  • , Updated: 31 January 2021, 06:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ପାଇଁ ଅଷ୍ଟ୍ରେଲିଆ ସିରିଜ୍ ସବୁଠାରୁ କଷ୍ଟସାଧ୍ୟ ଥିଲା। ପ୍ରଥମ ଟେଷ୍ଟର ୨ୟ ଇନିଂସରେ ୩୬ ରନରେ ଅଲଆଉଟ୍ ହେବା। ଏହା ପରେ ବିରାଟ୍ କୋହଲିଙ୍କ ସ୍ୱଦେଶ ଫେରିବା ଏବଂ ଏକାଧିକ ଖେଳାଳିଙ୍କ ଆହତ ସତ୍ତ୍ୱେ ଆମେ ଯେଉଁ ଭଳି କମବ୍ୟାକ୍ କଲୁ, ତାହା ପ୍ରଶଂସାଯୋଗ୍ୟ। ଆଉ ଏଭଳି ଏକ ସିରିଜରେ ଟିମର ସଦସ୍ୟ ହେବା ମୋ ପାଇଁ ଭାଗ୍ୟର କଥା। ଆଜି ଓଡ଼ିଶା ଗସ୍ତ ଅବସରରେ ଏମିତି କହିଛନ୍ତି ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ।

ବିହାରୀ କହିଛନ୍ତି, ଆଡିଲେଡ୍ ଟେଷ୍ଟ ହାରିବା ପରେ ଆମକୁ ଚାରିଆଡ଼ୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ଗୋଟିଏ ପଟେ ଅଷ୍ଟ୍ରେଲିଆ ତା'ର ପୂରା ମଜଭୁତ୍ ଟିମ୍ ନେଇ ଖେଳୁଥିଲା ଏବଂ ଅନ୍ୟପଟେ ଆମ ଟିମରେ ଅନେକ ଆହତ ସମସ୍ୟା ଥିଲା। କିନ୍ତୁ ଆମେ ଆଦୌ ହତାଶ୍ ହୋଇନଥିଲୁ। ସବୁ ଖେଳାଳି ନିଜ ନିଜର ଦାୟିତ୍ୱକୁ ଭଲଭାବେ ବୁଝିଥିଲେ, ଯେଉଁ କାରଣରୁ ଆମେ ମେଲବର୍ଣ୍ଣ ଟେଷ୍ଟ ଜିତି ସିରିଜକୁ କମବ୍ୟାକ୍ କରିପାରିଥିଲୁ। ତା'ପରେ ସିଡନୀ ଟେଷ୍ଟ ଡ୍ର' କରାଇବା ଆମ ପାଇଁ ଚ୍ୟାଲେଞ୍ଜିଂ ଥିଲା। ୪୦୦ରୁ ଅଧିକ ରନର ବଡ଼ ଟାର୍ଗେଟକୁ ଚତୁର୍ଥ ଇନିଂସରେ ପିଛା କରିବା ସହଜ ନଥିଲା। ମୋ ସହ ରବିଚନ୍ଦ୍ରନ୍ ଅଶ୍ୱିନ୍ ପାଖାପାଖି ୪୩ ଓଭର ବ୍ୟାଟିଂ କରି ମ୍ୟାଚକୁ ଡ୍ର' କରାଇଥିଲା। ତେବେ ବଡ଼ କଥା ହେଉଛି ଏହି ମ୍ୟାଚରେ ଅଶ୍ୱିନଙ୍କ ପିଠିରେ ଯନ୍ତ୍ରଣା ଥିଲା। ଏପରିକି ମୁଁ ମଧ୍ୟ ଆଘାତରେ ଛଟପଟ ହେଉଥିଲି। ଏହା ସତ୍ତ୍ୱେ ଆମେ ମ୍ୟାଚ୍ ବଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲୁ।

ବିହାରୀ କହିଛନ୍ତି, ଆଗକୁ ଇଂଲଣ୍ଡ ସିରିଜ୍ ଆସୁଛି। ଏହି ସିରିଜ୍ ପାଇଁ ମୁଁ ଶତପ୍ରତିଶତ ଫିଟ୍ ହୋଇନାହିଁ। ଆଶା କରୁଛି ଶୀଘ୍ର ଫିଟ୍ ହୋଇ ଇଂଲଣ୍ଡ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ହେବି। କେବଳ ଟେଷ୍ଟ ନୁହେଁ ଦିନିକିଆ ଓ ଟି-୨୦ ଟିମରେ ସ୍ଥାନ ନପାଇବା ନେଇ ବିହାରୀ କହିଛନ୍ତି, ମୁଁ ସବୁବେଳେ ପ୍ରଦର୍ଶନ ଉପରେ ବିଶ୍ୱାସ କରେ। ଦିନିକିଆ ଓ ଟି-୨୦ ଟିମରେ ସ୍ଥାନ ପାଇବା ପାଇଁ ମୁଁ କଠିମ ପରିଶ୍ରମ କରୁଛି। କିନ୍ତୁ ବାକି ସବୁକିଛି ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରେ।

ଚଳିତ ବର୍ଷ ବିସିସିଆଇ ରଣଜୀ ଟ୍ରଫି ନକରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ହନୁମା କହିଛନ୍ତି, ବର୍ତ୍ତମାନ ସମୟରେ ରଣଜୀ ଟ୍ରଫି ଆୟୋଜନ କରିବା ଖେଳାଳିଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ତେବେ ଦିନିକିଆ କ୍ରିକେଟ୍ ଆୟୋଜନ ହେବା ବଡ଼ କଥା। ଜାନୁଆରୀ ୨ୟ ସପ୍ତାହରେ ଟି-୨୦ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ ହୋଇଥିଲା। ତେଣୁ ମୋ ମତରେ ଏବେ ଯେତିକି କ୍ରିକେଟ୍ ଖେଳାଯାଉଛି, ତାହା ଠିକ୍ ଅଛି।

ଶେଷରେ ଓଡ଼ିଶା ଓ ଓଡ଼ିଶାର ତାରକା ସ୍ପିନର ପ୍ରଜ୍ଞାନ ଓଝା ସମ୍ବନ୍ଧରେ ବିହାରୀ ନିଜର ମତ ଦେଇଛନ୍ତି। ବିହାରୀ କହିଛନ୍ତି, ପୂର୍ବରୁ ମଧ୍ୟ ମୁଁ ଓଡ଼ିଶା ଆସିଛି। ସେହିପରି ଓଝାଙ୍କ ସହ ମୁଁ ଦୁଇ ତିନୋଟି ମ୍ୟାଚ୍ ଖେଳିସାରିଛି। ତା'ଛଡ଼ା ଓଝା ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଓଝା ପ୍ରଥମଶ୍ରେଣୀ କ୍ରିକେଟରେ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ। ବିହାରୀ ମଧ୍ୟ ହାଇଦ୍ରାବାଦ ପକ୍ଷରୁ ଖେଳନ୍ତି।

Related story