ପୋଚେଫଷ୍ଟ୍ରୁମ୍: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ଫାଇନାଲ୍ ମୁକାବିଲା ରବିବାର ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ବାଂଲାଦେଶ ବିପକ୍ଷରେ ଭାରତକୁ ଟାଇଟଲ୍ ଦାବିଦାର କୁହାଯାଉଛି। ୨୦୧୮ ବିଶ୍ୱକପ୍ ବିଜେତା ଟିମରେ ଥିବା ପୃଥ୍ୱୀ ଶ' ଓ ଶୁବମାନ୍ ଗିଲ୍ ସିନିୟର ଦଳରେ ସ୍ଥାନ ପାଇବାରେ ସଫଳ ରହିଛନ୍ତି। ସେହିପରି ବର୍ତ୍ତମାନ ଯୁବ ଟିମରେ ଥିବା ଯଶସ୍ୱୀ ଜୈଶ୍ୱାଲ୍, ସ୍ପିନର ରବି ବିଶ୍ନୋଇ ଓ ପେସର କାର୍ତ୍ତିକ ତ୍ୟାଗି ଅଛନ୍ତି, ଯେଉଁମାନେ ନିଜ ନିଜର ପ୍ରଦର୍ଶନ ଦ୍ୱାରା ଷ୍ଟାର୍ ହୋଇସାରିଛନ୍ତି।
ଫାଇନାଲରେ ଫଳାଫଳ ଯାହାବି ହେଉ ପଛେ, ଭାରତ ଅଣ୍ଡର୍-୧୯ ସ୍ତରରେ ତା'ର ଦବଦବା ସ୍ଥାପନ କରିସାରିଛି। ସେମିଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିବା ଭାରତୀୟ ଟିମ୍ ୨୦୦୦ ମସିହାରେ ତା'ର ପ୍ରଥମ ଟାଇଟଲ୍ ଜିତିଥିଲା ଏବଂ ଏହାପରଠାରୁ ଟିମ୍ ସପ୍ତମଥର ଫାଇନାଲ୍ ଟିକେଟ୍ କାଟିସାରିଛି। ଅଣ୍ଡର୍-୧୯ ସ୍ତରରେ ସଫଳତା, ସିନିୟର ସ୍ତରରେ ସଫଳତାର କୌଣସି ଗ୍ୟାରେଣ୍ଟି ଦିଏ ନାହିଁ, କାରଣ ସବୁ ଖେଳାଳି ଜୁନିୟରରୁ ହିଁ ସିନିୟର ସ୍ତରରେ ପହଞ୍ଚିବା ପର୍ଯ୍ୟନ୍ତ ନିଜର ଲୟ ବଜାୟ ରଖିପାରନ୍ତି ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଉନ୍ମୁକ୍ତ ଚାନ୍ଦ, ଯିଏ ୨୦୧୨ରେ ଭାରତକୁ ଟାଇଟଲ୍ ଜିତାଇଥିଲେ। କିନ୍ତୁ ସେ ସିନିୟର ସ୍ତରର କ୍ରିକେଟରେ କୌଣସି କମାଲ କରିପାରିନଥିଲେ।
ଦିଲ୍ଲୀ ପକ୍ଷରୁ ରଣଜୀ ଖେଳୁଥିବା ଉନ୍ମୁକ୍ତ ଗତବର୍ଷ ଉତ୍ତରାଖଣ୍ଡ ଟିମରେ ସାମିଲ୍ ହୋଇଥିଲେ। ଚଳିତ ସଂସ୍କରଣରେ ଖରାପ ପ୍ରଦର୍ଶନ କାରଣରୁ ସେ ଉତ୍ତରାଖଣ୍ଡ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ହାସଲ କରିବା ପାଇଁ ସଂଘର୍ଷ କରୁଛନ୍ତି। ଅନ୍ୟପକ୍ଷରେ ପୃଥ୍ୱୀ ଶ' ଓ ଶୁବମାନ୍ ଗିଲଙ୍କ ପ୍ରତିଭା ସିନିୟର ସ୍ତରରେ ପରିଚୟ ସୃଷ୍ଟି କରିପାରିଛନ୍ତି। ଭାରତ ଏକମାତ୍ର ଟିମ୍, ଯିଏ ପ୍ରତି ଅଣ୍ଡର-୧୯ ବିଶ୍ୱକପରେ ନୂଆ ଟିମକୁ ନେଇ ମଇଦାନକୁ ଓହ୍ଲାଏ, କାରଣ ଏଠାରେ ପ୍ରତିଭାର କୌଣସି ଅଭାବ ନାହିଁ।
ଚଳିତ ସଂସ୍କରଣରେ ଉଭୟ ଭାରତ ଓ ବାଂଲାଦେଶ ଟିମ୍ ଅପରାଜେୟ ରହିଛନ୍ତି। ଭାରତ ଲିଗ୍ ପର୍ଯ୍ୟାୟରେ ତା'ର ତିନୋଟି ଯାକ ମ୍ୟାଚରେ ଶ୍ରୀଲଙ୍କା, ଜାପାନ ଓ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ବେଳେ କ୍ୱାର୍ଟରଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଏବଂ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ସେହିପରି ବାଂଲାଦେଶ ଲିଗ୍ ପର୍ଯ୍ୟାୟରେ ଜିମ୍ବାୱେ ଓ ସ୍କଟଲ୍ୟାଣ୍ଡକୁ ହରାଇଥିବା ବେଳେ ପାକିସ୍ତାନ ସହ ମ୍ୟାଚ୍ ବାତିଲ ହୋଇଥିଲା। କ୍ୱାର୍ଟରରେ ବାଂଲାଦେଶ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ସେମିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପ୍ରଥମଥର ଫାଇନାଲରେ ସ୍ଥାନ ହାସଲ କରିଥିଲା।
ଫାଇନାଲରେ ଭାରତର ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ଦୁଇ ଓପ୍ନର ଯଶସ୍ୱୀ ଓ ଦିବ୍ୟାଂଶ ସାକ୍ସେନା ପୁଣିଥରେ ଦଳକୁ ଭଲ ଷ୍ଟାର୍ଟ ଦେବା ନେଇ ଆଶା ରହିଛି। ଯଶସ୍ୱୀଙ୍କ ପ୍ରଦର୍ଶନ ଜବରଦସ୍ତ ରହିଆସିଛି, ଯିଏ ୫ ମ୍ୟାଚରେ ୩୧୨ ରନ୍ କରି ଆଗରେ ରହିଛନ୍ତି। କ୍ୟାପଟେନ୍ ପ୍ରିୟମ ଗର୍ଗ, ତିଳକ ବର୍ମା, ଧ୍ରୁବ ଜୁରେଲଙ୍କ ଉପରେ ମଧ୍ୟକ୍ରମ ନିର୍ଭରଶୀଳ। ବୋଲିଂରେ ରବି, ତ୍ୟାଗି ଓ ଆକାଶ ସିଂହ ଏବଂ ସୁଶାନ୍ତ ମିଶ୍ରଙ୍କ ପ୍ରଦର୍ଶନ ଭଲ ରହିଆସିଛି। ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ମହମଦୁଲ୍ଲ ହାସନ୍ ଜୟ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ଶତକ ମାରିଥିଲେ। ତାଙ୍କ ଉପରେ ବ୍ୟାଟିଂକ୍ରମ ନିର୍ଭର କରିବ। ବାଂଲାଦେଶର ବୋଲିଂ ପ୍ରଦର୍ଶନ ମଧ୍ୟ ସ୍ଥିର ରହିଛି ଏବଂ ସେମାନେ ଭାରତୀୟ ବ୍ୟାଟିଂଲାଇନ୍ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିବେ।