ନ୍ୟୁୟର୍କ: ଭାରତର ଅଭିଜ୍ଞ ଟେନିସ୍ ଖେଳାଳି ରୋହନ ବୋପନ୍ନା ଚଳିତ ୟୁଏସ୍ ଓପନର ଉଭୟ ପୁରୁଷ ଓ ମିକ୍ସଡ ଡବଲ୍ସରୁ ବିଦାୟ ନେଇଛନ୍ତି। ବୋପନ୍ନାଙ୍କ ପରାଜୟ ସହ ଚଳିତ ଓପନରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ବୋପନ୍ନା ଓ ତାଙ୍କ କ୍ୟାନାଡ଼ା ସାଥୀ ଡେନିସ୍ ଶାପୋଭାଲୋଭ ୩-୬, ୪-୬ ସେଟରେ ଗ୍ରେଟ୍ ବ୍ରିଟେନର ନିଲ୍ ସ୍କୁପସ୍କି ଓ ଜେମି ମରେଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।
ସେହିପରି ମିକ୍ସଡ ଡବଲ୍ସରେ ବୋପନ୍ନା ଓ ତାଙ୍କ ଆମେରିକୟ ସାଥୀ ଆବିଗେଲ୍ ସ୍ପିୟର୍ସ ଦ୍ୱିତୀୟ ରାଉଣ୍ଡରେ ଫ୍ରେଞ୍ଚ୍-ଆମେରିକା ଯୋଡ଼ି ଫାବ୍ରିସ୍ ମାର୍ଟିନ୍ ଓ ରାକେଲ୍ ଆଟାୱୋଙ୍କଠାରୁ ୫-୭, ୬-୭ (୪) ସେଟରେ ହାରି ବିଦାୟ ନେଇଛନ୍ତି। ବୋପନ୍ନାଙ୍କ ପୂର୍ବରୁ ଭାରତର ଲିଆଣ୍ଡର୍ ପେସ୍ ଓ ଦିବିଜ୍ ଶରନ୍ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଥିଲେ। ସିଙ୍ଗଲ୍ସ ଇଭେଣ୍ଟରେ ସୁମିତ୍ ନାଗଲ ଓ ପ୍ରଜନେଶ୍ ଗୁଣେଶ୍ୱରନ୍ ପ୍ରଥମ ରାଉଣ୍ଡରେ ଯଥାକ୍ରମେ ରୋଜର୍ ଫେଡେରର ଓ ଡାନିଲ୍ ମେଡଭେଡେଭଙ୍କ ନିକଟରୁ ପରାସ୍ତ ହୋଇଥିଲେ।