ଅହମ୍ମଦାବାଦ: ଅହମ୍ମଦାବାଦରେ ନିର୍ମିତ ହୋଇଛି ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟ୍ ଷ୍ଟାଡିୟମ୍। ଏହାକୁ ଉଦଘାଟନ କରିବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ (ମୋଟେରା) ପୁନର୍ବାର ପ୍ରସ୍ତୁତ ହୋଇସାରିଛି ଏବଂ ଫେବୃଆରୀ ୨୪ ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମିଶି ଏହି ନବନିର୍ମିତ ଷ୍ଟାଡିୟମର ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଆମେରିକା ଗସ୍ତରେ ଯାଇଥିଲେ, ସେତେବେଳେ ଟ୍ରମ୍ପ ମୋଦିଙ୍କ ସମ୍ମାନରେ ଟେକ୍ସାସରେ 'ହାଓଡ଼ି ମୋଦି' କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମୋଦିଙ୍କର ଏହି କାର୍ଯ୍ୟକ୍ରମରେ ୪୦ହଜାର ଲୋକ ଯୋଗ ଦେଇଥିଲେ। ଏବେ ମୋଦି ଠିକ୍ ସେହିଭଳି ସମ୍ମାନ ଟ୍ରମ୍ପଙ୍କୁ 'କେମ୍ଛୋ ଟ୍ରମ୍ପ'ର ଆୟୋଜନ କରି ଦେବାକୁ ଚାହୁଁଛନ୍ତି। ଏହି କାର୍ଯ୍ୟକ୍ରମରେ ୧ଲକ୍ଷ ୧୦ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ଦ୍ୱାରା ନିର୍ମିତ ଏହି କ୍ରିକେଟ୍ ଷ୍ଟାଡିୟମ ଏବେ ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମ ହେବ, ଯେଉଁଥିରେ ଏକାଥରକେ ୧ଲକ୍ଷ ୧୦ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ। ବର୍ତ୍ତମାନ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମସିଏ) ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ, ଯେଉଁଠାରେ ପ୍ରାୟ ଲକ୍ଷେ ଦର୍ଶକ ମ୍ୟାଚ୍ ଦେଖିପାରିବେ।
#MoteraStadium
Ahmedabad, India 🇮🇳
Seating capacity of more than 1,10,000
World's largest #Cricket stadium pic.twitter.com/FKUhhS0HK5— BCCI (@BCCI) February 18, 2020
ସର୍ଦ୍ଦାର ପଟେଲ୍ ଷ୍ଟାଡିୟମର ନବନିର୍ମାଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଡ୍ରିମ୍ ପ୍ରୋଜେକ୍ଟ। ଅମିତ୍ ଶାହ ଯେତେବେଳେ ଗୁଜରାଟ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଥିଲେ, ସେତେବେଳେ ହିଁ ମୋଦି ଓ ଶାହ ହିଁ ଏହି ପ୍ରୋଜେକ୍ଟର ମୂଳଦୁଆ ପକାଇଥିଲେ। ଏହି ନୂଆ ଷ୍ଟାଡିୟମର ପୁନଃନିର୍ମାଣରେ ପ୍ରାୟ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ଏହି ନୂଆ ଷ୍ଟାଡିୟମର ନିର୍ମାଣ ପାଇଁ ଏଲ୍ ଆଣ୍ଡ୍ ଟି କମ୍ପାନୀକୁ କଣ୍ଟ୍ରାକ୍ଟ ଦେଇଥିଲା।
ଏଲ୍ ଆଣ୍ଡ୍ ଟି କମ୍ପାନୀ ମୋଦି ଓ ଶାହଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟକୁ ନିର୍ଦ୍ଧାରିତ ସମୟରେ ପୂରଣ କରିବାରେ ସଫଳ ମଧ୍ୟ ହୋଇଛି। ଏହି ନୂଆ ଷ୍ଟାଡିୟମରେ ଖେଳାଳି ଓ ଦର୍ଶକଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ଓ ଅନ୍ତର୍ଜାତୀୟ ସ୍ତରର ସୁବିଧାର ବ୍ୟବସ୍ଥା କରାଯାଇଛି। ପାର୍କିଂ ପାଇଁ ମଧ୍ୟ ଭଲ ସୁବିଧା କରାଯାଇଥିଲା। ଷ୍ଟାଡିୟମକୁ ଯିବା ଓ ଆସିବାରେ ଯେପରି ଦର୍ଶକଙ୍କୁ କୌଣସି ଅସୁବିଧା ନହେବ, ସେଥିପ୍ରତି ବିଶେଷ ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟ, ୨୦୧୫ରେ ଏହି ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଥିଲା, ଯଦ୍ଦ୍ୱାରା ଏହାକୁ ପୁନର୍ବାର ଅତ୍ୟାଧୁନିକ ସୁବିଧା ସହ ନିର୍ମାଣ କରିହେବ। ପୁରୁଣା ମୋଟେରା ଷ୍ଟାଡିୟମରେ ୫୩ହଜାର ଦର୍ଶକ ଏକାଠି କ୍ରିକେଟ୍ ମ୍ୟାଚର ମଜା ଉଠାଇ ପାରୁଥିଲେ। କିନ୍ତୁ ଏବେ ଏହାର ଡବଲ୍ ଦର୍ଶକ ମ୍ୟାଚ୍ ଦେଖିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।