ଆଇଓସି ଉପରେ ବଢ଼ୁଛି ଚାପ, ସ୍ଥଗିତ ହେବ ଅଲିମ୍ପିକ୍ସ!

ଟୋକିଓ: ମହାମାରୀ କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱର କ୍ରୀଡ଼ା ଇଭେଣ୍ଟ ବାତିଲ୍ ହୋଇସାରିଛି। ଏଭଳି ଏକ କଠିନ ସମୟରେ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ବାତିଲ ହେବ କି ନାହିଁ, ତାହା ଉପରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କିନ୍ତୁ କିଛି ଦେଶ ଅଲିମ୍ପିକ୍ସକୁ ବାତିଲ୍ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏବେ ଏଥିରେ ସାମିଲ ହୋଇଛି ଆମେରିକାର ପ୍ରଭାବଶାଳୀ ଟ୍ରାକ୍ ଓ ଆଣ୍ଡ ଫିଲ୍ଡ ମହାସଂଘ (ୟୁଏସଏଟିଏଫ୍‌)। ୟୁଏସଏଟିଏଫ୍ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ କରିବା […]

ollym-pics-2020

ollym-pics-2020

Ranjit Kumar Jena
  • Published: Sunday, 22 March 2020
  • Updated: 22 March 2020, 09:01 PM IST

Sports

Latest News

ଟୋକିଓ: ମହାମାରୀ କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱର କ୍ରୀଡ଼ା ଇଭେଣ୍ଟ ବାତିଲ୍ ହୋଇସାରିଛି। ଏଭଳି ଏକ କଠିନ ସମୟରେ କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ସ ବାତିଲ ହେବ କି ନାହିଁ, ତାହା ଉପରେ ଏଯାଏ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କିନ୍ତୁ କିଛି ଦେଶ ଅଲିମ୍ପିକ୍ସକୁ ବାତିଲ୍ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏବେ ଏଥିରେ ସାମିଲ ହୋଇଛି ଆମେରିକାର ପ୍ରଭାବଶାଳୀ ଟ୍ରାକ୍ ଓ ଆଣ୍ଡ ଫିଲ୍ଡ ମହାସଂଘ (ୟୁଏସଏଟିଏଫ୍‌)। ୟୁଏସଏଟିଏଫ୍ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ କରିବା ପାଇଁ ଦାବି କରିଛି, ଯଦ୍ଦ୍ୱାରା ଏବେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଉପରେ ଟୋକିଓ ୨୦୨୦କୁ ସ୍ଥଗିତ କରିବା ନେଇ ଚାପ ବଢ଼ିଯାଇଛି। ୟୁଏସଏଟିଏଫ୍ ବ୍ୟତୀତ ଅନ୍ୟ କିଛି କ୍ରୀଡ଼ା ମହାସଂଘ ମଧ୍ୟ ଏହି କ୍ରୀଡ଼ାକୁ ସ୍ଥଗିତ କରିବାକୁ କହିଛନ୍ତି।

ୟୁଏସଏଟିଏଫର ଅଧ୍ୟକ୍ଷ ମ୍ୟାକ୍ସ ସିଗଲ୍ ନିଜ ଆବେଦନ ପତ୍ରରେ ଦାବି କରିଛନ୍ତି ଯେ ଆମେରିକା ଅଲିମ୍ପିକ୍ ଓ ପାରାଅଲିମ୍ପିକ୍ କମିଟି (ୟୁଏସଓପିସି) ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ କରିବା ନେଇ ଆଗକୁ ଆସିବା ଦରକାର। ୟୁଏସଓପିସି କହିଥିଲା ଯେ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଅଲିମ୍ପିକ୍ସକୁ ସ୍ଥଗିତ କରିବାର ନିଷ୍ପତ୍ତି ଏତେ ଶୀଘ୍ର ନିଆଯିବା ଠିକ୍ ହେବନି। ଆଇଓସିର ମୁଖ୍ୟ ଥୋମାସ ବାକ୍ ମଧ୍ୟ ପୂର୍ବରୁ ଏଭଳି ବୟାନ ଦେଇସାରିଛନ୍ତି। ସିଗଲ୍ ନିଜ ପତ୍ରରେ ଲେଖିଛନ୍ତି, ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସଠିକ୍ ଏବଂ ଏହାହିଁ ଆମ ସମସ୍ତଙ୍କର ଦାୟିତ୍ୱବାନ ପଦକ୍ଷେପ ହେବ।

ୟୁଏସଏଟିଏଫର ଦିନକ ପୂର୍ବରୁ ଆମେରିକାର ସନ୍ତରଣ ମହାସଂଘ ୟୁଏସଓପିସିଠାରୁ ଅଲିମ୍ପିକ୍ସ କ୍ରୀଡ଼ାକୁ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ କହିଥିଲା ଫ୍ରାନ୍ସର ସନ୍ତରଣ ମହାସଂଘ ମଧ୍ୟ ଏଥିରେ ସହମତ ହୋଇଥିଲା ଏବଂ କହିଥିଲା, ବର୍ତ୍ତମାନ ପରିସ୍ଥିତିରେ ଖେଳକୁ ସଠିକ୍ ଢଙ୍ଗରେ ଆୟୋଜନ କରାଯାଇପାରିବ ନାହିଁ। ସ୍ପେନର ଆଥଲେଟିକ୍ସ ମହାସଂଘ ମଧ୍ୟ ଅଲିମ୍ପିକ୍ସକୁ ସ୍ଥଗିତ କରିବା ନେଇ ଦାବି ଉଠାଇଥିଲା। ସ୍ପେନ୍ ଆଥଲେଟିକ୍ସ ସଂଘ ପତ୍ର ଜରିଆରେ ଉଲ୍ଲେଖ କରିଥିଲା ଯେ ରୟାଲ୍ସ ସ୍ପାନିଶ ଆଥଲେଟିକ୍ସ ମହାସଂଘ (ଆରଏଫଇଏ)ର ବୋର୍ଡ ନିର୍ଦ୍ଦେଶକ ନିଜ ଦେଶର ଅଧିକାଂଶ ଖେଳାଳିଙ୍କ ତରଫରୁ ଟୋକିଓ ୨୦୨୦ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ କରିବା ନେଇ ଦାବି କରିଛନ୍ତି।

ସେହିପରି ନରୱେ ଆଥଲେଟିକ୍ସ ମହାସଂଘ ମଧ୍ୟ ଏଥିରେ ନିଜକୁ ସାମିଲ୍ କରିଥିଲା। ଶୁକ୍ରବାର ନରୱେ ପକ୍ଷରୁ କୁହାଯାଇଥିଲା ଯେ ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ ସ୍ଥିତି ଅଧିକ ଭୟଙ୍କର ହେବାରେ ଲାଗିଛି ଏବଂ ଏଭଳି ସ୍ଥିତିରେ ଟୋକିଓ ଅଲିମ୍ପିକ୍ସର ଆୟୋଜନ କରାନଯିବା ସଠିକ୍ ନିଷ୍ପତ୍ତି ହେବ। ବ୍ରିଟେନର ଆଥଲେଟିକ୍ସ ମହାସଂଘର ନୂଆ ମୁଖ୍ୟ ମଧ୍ୟ କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ଅଲିମ୍ପିକ୍ସ ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ୧୩ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଛନ୍ତି। ଏପରିକି ୩ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ମହାମାରୀରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos