ହୃଦଘାତ ନୁହେଁ, ଆତ୍ମହତ୍ୟା କରିଛନ୍ତି ଚନ୍ଦ୍ରଶେଖର

ଚେନ୍ନାଇ: ଭାରତର ପୂର୍ବତନ କ୍ରିକେଟର୍ ଭିବି ଚନ୍ଦ୍ରଶେଖର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କରଜରେ ବୁଡ଼ି ରହିଥିବାରୁ ଚନ୍ଦ୍ରଶେଖର ଆତ୍ମହତ୍ୟା କରିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ଗୁରୁବାର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ତାଙ୍କ ମୃତ୍ୟୁ ହୃଦଘାତ ଯୋଗୁ ହୋଇଥିଲା। କିନ୍ତୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ସେ ଗୁରୁବାର ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ଅଧିକାରୀ କହିଛନ୍ତି, “କରଜରେ ବୁଡ଼ି ରହିଥିବାରୁ ଚନ୍ଦ୍ରଶେଖର ବହୁତ ଚିନ୍ତିତ ଥିଲେ। […]

vb

Ranjit Kumar Jena
  • Published: Friday, 16 August 2019
  • , Updated: 16 August 2019, 04:21 PM IST

ଚେନ୍ନାଇ: ଭାରତର ପୂର୍ବତନ କ୍ରିକେଟର୍ ଭିବି ଚନ୍ଦ୍ରଶେଖର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କରଜରେ ବୁଡ଼ି ରହିଥିବାରୁ ଚନ୍ଦ୍ରଶେଖର ଆତ୍ମହତ୍ୟା କରିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ଗୁରୁବାର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ତାଙ୍କ ମୃତ୍ୟୁ ହୃଦଘାତ ଯୋଗୁ ହୋଇଥିଲା। କିନ୍ତୁ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବା ଅନୁସାରେ, ସେ ଗୁରୁବାର ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ପୁଲିସ୍ ଅଧିକାରୀ କହିଛନ୍ତି, "କରଜରେ ବୁଡ଼ି ରହିଥିବାରୁ ଚନ୍ଦ୍ରଶେଖର ବହୁତ ଚିନ୍ତିତ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ଏହାର ତଦନ୍ତ ଜାରି ରହିଛି। ତାଙ୍କ ମରଶରୀରକୁ ପୋଷ୍ଟ-ମର୍ଟମ୍ ପାଇଁ ପଠାଇ ଦିଆଯାଇଛି ଏବଂ ଆମେ ରିପୋର୍ଟକୁ ଅପେକ୍ଷା କରିଛୁ। ତାମିଲନାଡୁ ପ୍ରିମିୟର୍ ଲିଗରେ ଚନ୍ଦ୍ରଖେଶରଙ୍କ ଏକ ଟିମ୍ ଭିବି କାଞ୍ଚି ଭୀରାନ୍ସ ଥିଲା। ଏହି ଟିମ୍ ପାଇଁ ସେ ୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏ ନେଇ ମାସକ ତଳେ ତାଙ୍କୁ ବ୍ୟାଙ୍କ ତରଫରୁ ନୋଟିସ୍ ମଧ୍ୟ ପଠାଯାଇଥିଲା।"

ଏହି ଭେଟେରାନ୍ କ୍ରିକେଟର୍ ଗୁରୁବାର ନିଜ ରୁମକୁ ଯିବା ପୂର୍ବରୁ ସନ୍ଧ୍ୟା ୫.୪୫ରେ ପରିବାର ସହ ଚା' ପିଇଥିଲେ। ଏହା ପରେ ସେ ରୁମରେ ରଶି ଲଗାଇଥିଲେ, ଯାହାର ସୂଚନା ତାଙ୍କ ପତ୍ନୀ ପୁଲିସକୁ ଦେଇଥିଲେ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖର ୧୯୮୮ରୁ ୧୯୯୦ ମଧ୍ୟରେ ଭାରତ ପକ୍ଷରୁ ୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ମାତ୍ର ୮୮ ରନ୍ କରିଥିଲେ। କିନ୍ତୁ ଘରୋଇ କ୍ରିକେଟରେ ସେ ଭଲ ପ୍ରଦର୍ଶନ କରି ୮୧ ମ୍ୟାଚରେ ୪୯୯୯ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୨୩୭ ଥିଲା।

ତାଙ୍କ ପରଲୋକରେ ଭାରତୀୟ କ୍ରିକେଟ୍ ଜଗତ ଶୋକ ପ୍ରକାଶ କରିଛି। ବିସିସିଆଇ ତା'ର ଟ୍ୱିଟର୍ ହ୍ୟାଣ୍ଡଲରେ ଚନ୍ଦ୍ରଶେଖରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ବିସିସିଆଇ କହିଛି ଯେ, ଏହା ବହୁତ ବଡ଼ ଦୁଃଖ ଖବର। ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି। ପୂର୍ବତନ କ୍ୟାପଟେନ୍ କେ ଶ୍ରୀକାନ୍ତ କହିଛନ୍ତି, ଚନ୍ଦ୍ରଶେଖରଙ୍କ ପରଲୋକରେ ମୁଁ ମର୍ମାହତ। ଭାରତ ଓ ଚେନ୍ନାଇ ସୁପର କିଙ୍ଗସ୍ ଖେଳାଳି ସୁରେଶ ରାଇନା ଓ ହରଭଜନ ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Related story