କରାନ୍‌ ଦେଖାଇଲେ ଦମ୍‌: ବିପଦରେ ଭାରତ, ଏକା ଲଢ଼ି ଶତକ ହାସଲ କଲେ ବିରାଟ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। କିନ୍ତୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଧିନାୟକ ବିରାଟ୍‌ କୋହଲି ଲଢ଼ୁଆ ଶତକ ହାସଲ କରିଛନ୍ତି।  ୨୨୯ ବଲରେ ତାଙ୍କର ଦମଦାର୧୪୯ ରନ ବଳରେ ଭାରତ ପ୍ରଥମ ଇନିଂସରେ ୨୭୪ ରନ୍‌ ସଂଗ୍ରହ କରିଛି। ଜବାବରେ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୩.୪ ଓଭରରେ ଆଲିଷ୍ଟର କୁକଙ୍କ ୱିକେଟ ହରାଇ ୯ ରନ ସଂଗ୍ରହ କରିଛି। ସେ ଖାତା […]

pso63vb_virat-kohli-afp_625x300_02_August_18

pso63vb_virat-kohli-afp_625x300_02_August_18

Ordigital Desk
  • Published: Thursday, 02 August 2018
  • Updated: 02 August 2018, 11:56 PM IST

Sports

Latest News

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। କିନ୍ତୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଧିନାୟକ ବିରାଟ୍‌ କୋହଲି ଲଢ଼ୁଆ ଶତକ ହାସଲ କରିଛନ୍ତି।  ୨୨୯ ବଲରେ ତାଙ୍କର ଦମଦାର୧୪୯ ରନ ବଳରେ ଭାରତ ପ୍ରଥମ ଇନିଂସରେ ୨୭୪ ରନ୍‌ ସଂଗ୍ରହ କରିଛି।

ଜବାବରେ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୩.୪ ଓଭରରେ ଆଲିଷ୍ଟର କୁକଙ୍କ ୱିକେଟ ହରାଇ ୯ ରନ ସଂଗ୍ରହ କରିଛି। ସେ ଖାତା ଖୋଲିବା ଆଗରୁ ଅଶ୍ଵିନ( ୧ ୱିକେଟ/୫ରନ)ଙ୍କ ଦ୍ଵାରା ବୋଲ୍ଡ଼ ହୋଇ ପ୍ୟାଭିଲିଅନ ଫେରିଯାଇଛନ୍ତି।

ଦ୍ଵିତୀୟ ଦିନ ଇଂଲଣ୍ଡର ଯୁବ ପେସର୍‌ ସାମ କରାନ୍‌ଙ୍କ ଘାତକ ବୋଲିଂ ଆଗରେ ଟିମ୍‌ ଇଣ୍ଡିଆର ଅଧିକାଂଶ ବ୍ୟାଟସ୍‌ମ୍ୟାନ୍‌ ଆତ୍ମସମର୍ପଣ କରିଥିଲେ।

ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏକା ଲଢ଼େଇ ଜାରି ରଖିଥିଲେ। ତାଙ୍କ ଯୋଗୁ ଭାରତ ତା’ର ପ୍ରଥମ ଇନିଂସ୍‌ରେ ଇଂଲଣ୍ଡଠାରୁ ୧୩ ରନ ପଛରେ ଥାଇ ୭୬ ଓଭରରେ ୨୭୪ ରନ୍‌ କରି ଅଲ ଆଉଟ ହୋଇଥିଲା।

ବିରାଟ ୨୨ଟି ଚୌକା' ଓ ଗୋଟିଏ ଛକା ସାହାଯ୍ୟରେ ୧୪୯ ରନ୍‌ କରି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ ହୋଇଥିବା ବେଳେ ତାଙ୍କୁ ଜବରଦସ୍ତ ସହାୟତା ଯୋଗାଇଥିବା' ଉମେଶ ଯାଦବ ୧ ରନ୍‌ କରି ଅପରାଜିତ ରହିଥିଲେ।

ଅଧିନାୟକ କୋହଲି ୧୭୨ ବଲ୍‌ରେ ତାଙ୍କ ଟେଷ୍ଟ କ୍ୟାରିୟରର ୨୨ ତମ ଶତକ ହାସଲ କରିଥିଲେ।

ଭାରତ ୨୨ ରନରେ ପଛୁଆ

ଇଂଲଣ୍ଡର ପ୍ରଥମ ଇନିଂସ୍‌ ସ୍କୋର ୨୮୭ ଓ ଦ୍ଵିତୀୟ ଇନିଂସରେ୧ ୱିକେଟରେ ୯ ରନକୁ ହିସାବକୁ ନେଲେ ଦ୍ଵିତୀୟ ଦିନ ଶେଷ ସୁଦ୍ଧା ୨୨ ରନ ପଛରେ ରହିଛି ଭାରତ।

ଇଂଲଣ୍ଡ ପକ୍ଷରୁ କରାନ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ବେନ୍‌ ଷ୍ଟୋକ୍ସ ଓ ଆଣ୍ଡରସନ୍‌ ୨ଟି ଲେଖାଏ ଏବଂ ଆଦିଲ ରଶିଦଙ୍କୁ ଗୋଟିଏ ୱିକେଟ୍‌ ନେଇଛନ୍ତି।

ଇଂଲଣ୍ଡ ୨୮୭ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତ ପକ୍ଷରୁ ଶିଖର ଧୱନ ଓ ମୁରଲୀ ବିଜୟ ଇନିଂସ ଆରମ୍ଭ କରିଥିଲେ।

ଉଭୟ ଦୃଢ଼ ମୂଳଦୂଆ ପକାଇ ଦଳୀୟ ସ୍କୋର ୫୦ରେ ପହଞ୍ଚାଇଥିଲା ବେଳେ ସାମ କରାନ୍‌ ସବୁକିଛି ଓଲଟ୍‌ ପାଲଟ୍‌ କରିଦେଇଥିଲେ। କରାନ୍‌ ୨୦ ରନ୍‌ କରିଥିବା ବିଜୟଙ୍କୁ ପ୍ରଥମେ ଏଲ୍‌ବିଡବ୍ଲ୍ୟୁ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ସେହି ଓଭରରେ ସେ ଲୋକେଶ ରାହୁଲ(୪)ଙ୍କୁ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ।

ଏହାପରେ କରାନ୍‌ ପୁଣି ଧୱନଙ୍କୁ ଆଉଟ୍‌ କରି ବିପର୍ଯ୍ୟୟ ଘଟାଇଥିଲେ। ତେବେ କୋହଲି ଏବଂ ଅଜିଙ୍କ୍ୟ ରାହଣେ କିଛି ସମୟ ପାଇଁ ସାହସର ସହ ଇଂଲଣ୍ଡ ବୋଲରଙ୍କୁ ମୁକାବିଲା କରିଥିଲେ।

କିନ୍ତୁ ରାହଣେଙ୍କୁ ଆଉଟ୍‌ କରି ବେନ୍‌ ଷ୍ଟୋକ୍‌ ଇଂଲଣ୍ଡକୁ ୪ର୍ଥ ସଫଳତା ଦେଇଥିଲେ। ଆଉଟ୍‌ ହେବା ପୂର୍ବରୁ ରାହଣେ ୧୫ ରନ୍‌ କରିଥିଲେ। ଅଭ୍ୟାସ୍‌ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଦୀନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ଷ୍ଟୋକ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

କାର୍ତ୍ତିକଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ କୋହଲିଙ୍କ ସହ ମିଶି ଷଷ୍ଠ ୱିକେଟ୍‌ ପାଇଁ ୪୮ ରନ୍‌ ଯୋଡ଼ିଥିଲେ। ପାଣ୍ଡ୍ୟା ୨୨ ରନ୍‌ କରିଥିବା ବେଳେ କରାନ୍‌ଙ୍କ ୪ର୍ଥ ଶିକାର ହୋଇଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ୱିକେଟ୍‌ରେ ୨୮୫ ରନ୍‌ କରିଥିଲା। ଆଜି ଆଉ ମାତ୍ର ୨ ରନ୍‌ ଯୋଡ଼ି ଇଂଲଣ୍ଡ ଅଲଆଉଟ୍‌ ହୋଇଯାଇଥିଲା।

ମହମ୍ମଦ ସାମି ଗତକାଲିର ଅପରାଜିତ ବ୍ୟାଟ୍ସମ୍ୟାନ୍‌ କୁରାନ୍‌ଙ୍କୁ ଆଉଟ୍‌ କରି ଭାରତକୁ ଏହି ସଫଳତା ଦେଇଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ୱିନ ୪ଟି, ମହମ୍ମଦ ସାମି ୩ଟି ଓ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos