କିଏ ହେବ ଧୋନିଙ୍କ ଉତ୍ତରାଧିକାରୀ, ଦୌଡ଼ରେ ଏହି ୪

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଗୁରୁବାର ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି। ଭାରତୀୟ ଟିମରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ପୁଣି ସୁଯୋଗ ମିଳିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଧୋନି ସେନାରେ ନିଜର ଟ୍ରେନିଂ ପାଇଁ ବ୍ରେକ୍ ନେଇଥିଲେ, କିନ୍ତୁ ଏଥର ସେ ଟିମ୍ ପାଇଁ ଉବଲବ୍ଧ ହୋଇପାରିଥାନ୍ତେ। ଏହା ସତ୍ତ୍ୱେ ଚୟନକର୍ତ୍ତା ତାଙ୍କୁ ସୁଯୋଗ ଦେଲେ ନାହିଁ। ତାହେଲେ କ’ଣ ଚୟନକର୍ତ୍ତାଙ୍କ […]

wicketkeeper

Ranjit Kumar Jena
  • Published: Friday, 30 August 2019
  • , Updated: 30 August 2019, 05:25 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଗୁରୁବାର ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି। ଭାରତୀୟ ଟିମରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ପୁଣି ସୁଯୋଗ ମିଳିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଧୋନି ସେନାରେ ନିଜର ଟ୍ରେନିଂ ପାଇଁ ବ୍ରେକ୍ ନେଇଥିଲେ, କିନ୍ତୁ ଏଥର ସେ ଟିମ୍ ପାଇଁ ଉବଲବ୍ଧ ହୋଇପାରିଥାନ୍ତେ। ଏହା ସତ୍ତ୍ୱେ ଚୟନକର୍ତ୍ତା ତାଙ୍କୁ ସୁଯୋଗ ଦେଲେ ନାହିଁ। ତାହେଲେ କ'ଣ ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିରେ କିଛି ଖାସ୍ ଉଦ୍ଦେଶ୍ୟ ଅଛି।

ଭାରତୀୟ ଟିମର ପରବର୍ତ୍ତୀ ଲକ୍ଷ୍ୟ ଟି-୨୦ ବିଶ୍ୱକପ୍, ଯାହା ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବ। ଟି-୨୦ ବିଶ୍ୱକପର ଶୁଭାରମ୍ଭ ପୂର୍ବରୁ ଭାରତ ପାଖରେ ତା'ର ଟିମକୁ ପ୍ରସ୍ତୁତି କରିବା ପାଇଁ ମାତ୍ର ୨୨ ଟି-୨୦ ମ୍ୟାଚ୍ ବାକି ରହିଲା। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଟି-୨୦ ଫର୍ମାଟରେ ଭାରତୀୟ ଟିମ୍ ପାଇଁ ୱିକେଟ୍ ପଛରେ କିଏ ଛିଡ଼ା ହେବ। କ'ଣ ଧୋନି ପ୍ରତ୍ୟାବର୍ତ୍ତନ କରିପାରିବେ ନା ପନ୍ତଙ୍କ ଉପରେ ହିଁ ବିଶ୍ୱାସ କାଏମ ରହିବ। ଯଦି ଏହା ନୁହେଁ, ତାହେଲେ କ'ଣ ଅନ୍ୟ ବିକଳ୍ପକୁ ସୁଯୋଗ ଦେବେ।

କ'ଣ ହେବ ଧୋନିଙ୍କ ଭବିଷ୍ୟତ: ଭାରତକୁ ଦୁଇଥର ବିଶ୍ୱ ଚାମ୍ପିୟନ୍ (୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ) କରାଇଥିବା ଧୋନିଙ୍କୁ ଏବେ ଚୟନକର୍ତ୍ତା ଦ୍ୱିତୀୟ ୱିକେଟକିପର ଭାବେ ଦେଖୁନାହିଁ। ଗତ କିଛି ସମୟ ଧରି ଧୋନିଙ୍କ ପ୍ରଦର୍ଶନକୁ ନେଇ ଖୁବ୍ ସମାଲୋଚନା ହୋଇଆସୁଛି। ୱିକେଟକିପର ଭାବେ ତ ଧୋନି ଆଜି ବି ସବୁଠାରୁ ଦ୍ରୁତ ଅଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂରେ ଆଉ ସେହି ପୁରୁଣା ଧାର ନାହିଁ, ଯେଉଁଥି ପାଇଁ ସେ ନିଜକୁ ପରିଚିତ କରାଇଥିଲେ। ଚୟନକର୍ତ୍ତା ପରୋକ୍ଷରେ ଇଙ୍ଗୀତ କରିଛନ୍ତି ଯେ, ସେମାନେ ବର୍ତ୍ତମାନ ଧୋନିଙ୍କୁ ଭବିଷ୍ୟତର ୱିକେଟକିପର ଭାବେ ଆଉ ଦେଖୁନାହାନ୍ତି। ଏଥିପାଇଁ ବିଶ୍ୱକପ୍ ପରେ ଲଗାତାର ଦ୍ୱିତୀୟଥର ପାଇଁ ଧୋନିଙ୍କୁ ଟି-୨୦ରୁ ବାଦ୍ ଦିଆଯାଇଛି। ଏଭଳି ସ୍ଥିତିରେ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ ଧୋନିଙ୍କ ବିକଳ୍ପ ସନ୍ଧାନରେ ଲାଗିପଡ଼ିଛି। ଏଥିରେ ଯୁବ ଖେଳାଳି ରିଷଭ ପନ୍ତ ସବୁଠାରୁ ଆଗରେ ଅଛନ୍ତି। କିନ୍ତୁ ପନ୍ତଙ୍କ ବ୍ୟତୀତ ଆଉ କିଛି ନାଁ ମଧ୍ୟ ଏଥିରେ ରହିଛି।

ରିଷଭ ପନ୍ତ: ୨୧ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଓ ୱିକେଟକିପର ଏପର୍ଯ୍ୟନ୍ତ ନିଜର ଛୋଟିଆ ଅନ୍ତର୍ଜାତୀୟ କ୍ୟାରିୟରର ସବୁ ଫର୍ମାଟରେ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିଆସୁଛନ୍ତି। କିନ୍ତୁ ବ୍ୟାଟିଂ କରୁଥିବା ବେଳେ ପନ୍ତ ଯେଉଁଭଳି ଦାୟିତ୍ୱହୀନ ଶଟ୍ ଖେଳି ଆଉଟ୍ ହେଉଛନ୍ତି, ତାହା ଅଧିକ ଚିନ୍ତାଜନକ। ସେ ବିଶ୍ୱକପ୍ ସେମିଫାଇନାଲରେ ଟିମକୁ ସମ୍ଭାଳିବା ପରେ ସମ୍ପୂର୍ଣ୍ଣ ଦାୟିତ୍ୱହୀନ ଶଟ୍ ଖେଳି ଆଉଟ୍ ହୋଇଥିଲେ। ଏପରିକି ୱେଷ୍ଟଇଣ୍ଡିଜ୍ ଗସ୍ତରେ ମଧ୍ୟ ସେ ଏଭଳି କିଛି ଶଟ୍ ଖେଳି ସମାଲୋଚନାର ଶିକାର ହୋଇଛନ୍ତି। ଏହି ଗସ୍ତରେ ସେ ଏପର୍ଯ୍ୟନ୍ତ ଖେଳିଥିବା ସବୁ ଫର୍ମାଟରେ ଯଥାକ୍ରମେ ୦,୪, ୬୫*, ୨୦, ୦, ୨୪ ଓ ୭ ରନ୍ କରିଛନ୍ତି। ତେବେ ଦ୍ୱିତୀୟ ଟେଷ୍ଟରେ ନିଜକୁ ପ୍ରମାଣିତ କରିବାର ତାଙ୍କ ପାଖରେ ଆଉ ଏକ ସୁଯୋଗ ରହିବ। ଟେଷ୍ଟ କ୍ରିକେଟରେ ତାଙ୍କର ଆଭରେଜ୍ ୪୫.୪୩ ରହିଥିଲେ ହେଁ, ସୀମିତ ଓଭରରେ (ଦିନିକିଆରେ ୨୨.୯୦ ଓ ଟି-୨୦ରେ ୨୧.୫୭) ସେତେଟା ଭଲ ରହିନାହିଁ।

ଋଦ୍ଧିମାନ ସାହା: ଧୋନିଙ୍କ ସନ୍ନ୍ୟାସ ନେବା ପରେ ସାହା ଟେଷ୍ଟ କ୍ରିକେଟରେ ଲଗାତାର ନିଜ ସ୍ଥାନ ବଜାୟ ରଖିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଆହତ ହେବା ପରେ ୧୮ ମାସ ପର୍ଯ୍ୟନ୍ତ କ୍ରିକେଟ୍ ମଇଦାନରୁ ଦୂରରେ ରହିଥିଲେ। ଏହା ମଧ୍ୟରେ ପନ୍ତଙ୍କୁ ଟେଷ୍ଟରେ ସୁଯୋଗ ମିଳିଥିଲା ଏବଂ ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଶତକ ମାରିବାରେ ଏକମାତ୍ର ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ତେବେ ଆହତ ପରେ ସାହା କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ୱେଷ୍ଟଇଣ୍ଡିଜ୍-ଏ ବିପକ୍ଷ ୨ଟି ଅନଅଫିସିଆଲ୍ ଟେଷ୍ଟରେ ଦୁଇଟି ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ତାଙ୍କୁ ଆଣ୍ଟିଗୁଆ ଟେଷ୍ଟରେ ଭାରତର ଚୂଡ଼ାନ୍ତ ସ୍କ୍ୱାଡରେ ସୁଯୋଗ ମିଳିନଥିଲା। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ତାଙ୍କୁ ସୁଯୋଗ ମିଳିବା ଆଶା କ୍ଷୀଣ।

ସଞ୍ଜୁ ସାମସନ୍: ଧଳା ବଲ କ୍ରିକେଟରେ ସଞ୍ଜୁଙ୍କୁ ଟିମ୍ ଇଣ୍ଡିଆର ଦ୍ୱିତୀୟ ଫେଭରିଟ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଦେଖାଯାଏ। ତାଙ୍କ ବ୍ୟାଟିଂକୁ ନେଇ ଚୟନକର୍ତ୍ତାଙ୍କ ମନରେ କୌଣସି ସନ୍ଦେହ ନାହିଁ, କିନ୍ତୁ ତାଙ୍କୁ ୱିକେଟକିପିଙ୍ଗକୁ ନେଇ କିଛିଟା ଆଶଙ୍କା ରହିଛି। ବ୍ୟାଟ୍ସମ୍ୟାନ୍ ଭାବେ ସେ ପନ୍ତଙ୍କ ଭଳି ଦ୍ରୁତ ରନ୍ କରିବାରେ ମାହିର୍। କିନ୍ତୁ ୱିକେଟକିପର ଭାବେ ସେ ନିର୍ଣ୍ଣାୟକ ସମୟରେ ବଡ଼ ବଡ଼ ଭୁଲ କରିବସନ୍ତି। ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଭାରତ-ଏ'ର ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉପରେ ଚୟନକର୍ତ୍ତାଙ୍କ ନଜର୍ ରହିବ।

ଇଶାନ୍ କିଶନ: ୨୧ ବର୍ଷୀୟ ଏହି ଯୁବ ଖେଳାଳି ମଧ୍ୟ ଟି-୨୦ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଧୋନିଙ୍କ ଭଳି ଇଶାନ୍ ମଧ୍ୟ ଝାଡ଼ଖଣ୍ଡ କ୍ରିକେଟର୍। ଧୋନି ଅନେକ ସମୟରେ ଇଶାନଙ୍କୁ ୱିକେଟକିପିଙ୍ଗ୍ ଓ ବ୍ୟାଟିଂ ଟିପ୍ସ ଦେଇଛନ୍ତି। ଇଶାନ୍ ଝାଡ଼ଖଣ୍ଡ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ଲଗାତାର ଦୁଇଟି ଶତକ ମାରିଥିଲେ। ଟି-୨୦ କ୍ରିକେଟରେ ଏଭଳି କାରନାମା କରିବାରେ ସେ ଦ୍ୱିତୀୟ ଭାରତୀୟ ହୋଇଥିଲେ। ଏହାଛଡ଼ା ସେ ନିକଟରେ ଶ୍ରୀଲଙ୍କା-ଏ ବିପକ୍ଷ ଚାରଦିନିଆ ମ୍ୟାଚରେ ଭାରତ-ଏ ଟିମର ନେତୃତ୍ୱ ନେଇଥିଲେ।

Related story