ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍: ସେମିରେ ସିନ୍ଧୁ ଓ ପ୍ରଣୀତ

ବାସେଲ୍: ଭାରତର ଶୀର୍ଷ ଶଟଲର୍ ପିଭି ସିନ୍ଧୁ ଓ ସାଇ ପ୍ରଣୀତ ନିଜ ନିଜର ମୁକାବିଲା ଜିତି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିୟନଶିପର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏଥିସହ ଦୁହେଁ ଭାରତ ପାଇଁ ଅତିକମରେ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟରରେ ସିନ୍ଧୁ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କୁ ୧୨-୨୧, ୨୩-୨୧, ୨୧-୯ ଗେମରେ ପରାସ୍ତ କରିଛନ୍ତି। ସିନ୍ଧୁ ପଞ୍ଚମଥର ପାଇଁ ୱାର୍ଲ୍ଡ ଚାମ୍ପିୟନଶିପରେ ପଦକ ପକ୍କା କରିଛନ୍ତି। ଏହା ପୂର୍ବରୁ ସିନ୍ଧୁ […]

badminton

badminton

Ranjit Kumar Jena
  • Published: Friday, 23 August 2019
  • Updated: 23 August 2019, 07:29 PM IST

Sports

Latest News

ବାସେଲ୍: ଭାରତର ଶୀର୍ଷ ଶଟଲର୍ ପିଭି ସିନ୍ଧୁ ଓ ସାଇ ପ୍ରଣୀତ ନିଜ ନିଜର ମୁକାବିଲା ଜିତି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିୟନଶିପର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏଥିସହ ଦୁହେଁ ଭାରତ ପାଇଁ ଅତିକମରେ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟରରେ ସିନ୍ଧୁ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କୁ ୧୨-୨୧, ୨୩-୨୧, ୨୧-୯ ଗେମରେ ପରାସ୍ତ କରିଛନ୍ତି।

ସିନ୍ଧୁ ପଞ୍ଚମଥର ପାଇଁ ୱାର୍ଲ୍ଡ ଚାମ୍ପିୟନଶିପରେ ପଦକ ପକ୍କା କରିଛନ୍ତି। ଏହା ପୂର୍ବରୁ ସିନ୍ଧୁ ଦୁଇଥର ରୌପ୍ୟ ଓ ଦୁଇଥର ବ୍ରୋଞ୍ଜ ପଦକ ଜିତିସାରିଛନ୍ତି। ତେବେ ୱାର୍ଲ୍ଡ ଚାମ୍ପିୟନଶିପରେ ସିନ୍ଧୁଙ୍କର ଏହା କ୍ରମାଗତ ତୃତୀୟ ପଦକ ।\n ଅନ୍ୟପକ୍ଷରେ ପ୍ରଣୀତ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି। ୩୬ ବର୍ଷ ପରେ ପ୍ରଥମ ଭାରତୀୟ ଶଟଲର୍ ଭାବେ ପ୍ରଣୀତ ପୁରୁଷ ସିଙ୍ଗଲ୍ସରେ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋନ୍ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ରଣୀତ ନିଜର କ୍ୱାର୍ଟରଫାଇନାଲ୍ ମୁକାବିଲାରେ ବିଶ୍ୱର ୪ ନମ୍ବର ଖେଳାଳି ଇଣ୍ଡୋନେସିଆର ଜୋନାଥନ୍ କ୍ରିଷ୍ଟିଙ୍କୁ ୨୪-୨୨, ୨୧-୧୪ ଗେମରେ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି। ସେ ଏହି ମ୍ୟାଚକୁ ୫୧ ମିନିଟରେ ଜିତି ନେଇଥିଲେ। ଏହା ପୂର୍ବରୁ ପ୍ରଣୀତ ଓ କ୍ରିଷ୍ଟି ତିନିଥର ପରସ୍ପରକୁ ଭେଟିଥିଲେ, ଇଣ୍ଡୋନେସିଆ ଖେଳାଳି ଦୁଇଥର ବିଜୟୀ ହୋଇଥିଲେ। ପ୍ରଣୀତ ୨୦୧୭ରେ ଥାଇଲ୍ୟାଣ୍ଡ୍ ଓପନରେ କ୍ରିଷ୍ଟିଙ୍କୁ ପରାସ୍ତ କରିଥିଲେ।

ଏହି ସମ୍ମାନଜନକ ଚାମ୍ପିୟନଶିପର ଗତ ଦୁଇଟି ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ କ୍ୱାର୍ଟରଫାଇନାଲର ପ୍ରଥମ ଗେମ ୧୨-୨୧ରେ ହାରିଯାଇଥିଲେ। କିନ୍ତୁ ଏହା ପରେ ଭାରତୀୟ ଶଟଲର୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଓ ତୃତୀୟ ଗେମ୍ ଜିତି ସେମିଫାଇନାଲ୍ ଟିକେଟ୍ ହାସଲ କରିଥିଲେ।

ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ୨୪ ବର୍ଷୀୟ ସିନ୍ଧୁ ସେମିଫାଇନାଲରେ ଚତୁର୍ଥ ସିଡ୍ ଚୀନ ଖେଳାଳି ଚେନ୍ ୟୁ ଫେଇ ଓ ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କ ମଧ୍ୟରେ ହେବାକୁଥିବା କ୍ୱାର୍ଟରଫାଇନାଲର ବିଜେତାଙ୍କୁ ଭେଟିବେ। ସେହିପରି ପ୍ରଣୀତ ଲଢ଼େଇରେ ବିଶ୍ୱର ଏକ ନମ୍ବର ଖେଳାଳି ଜାପାନର କେଣ୍ଟୋ ମୋମୋତାଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos