ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍: ଦୀପକ ପୁନିଆଙ୍କୁ ଅଲିମ୍ପିକ୍ ଟିକେଟ୍

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଯୁବ ରେସଲର୍ ଦୀପକ ପୁନିଆ ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ପହଞ୍ଚିବା ସହ ଅଲିମ୍ପିକ୍ କୋଟା ହାସଲ କରିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗରେ ସ୍ୱିଜରଲ୍ୟାଣ୍ଡର ଷ୍ଟିଫାନ୍ ରିଚମଥଙ୍କୁ ୮-୨ରେ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଏଥିସହ ସେ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। ଦୀପକଙ୍କ ପାଖରେ ଇତିହାସ ରଚିବାର ମଧ୍ୟ ସୁଯୋଗ ରହିଛି। […]

deepak

Ranjit Kumar Jena
  • Published: Saturday, 21 September 2019
  • , Updated: 21 September 2019, 05:58 PM IST

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଯୁବ ରେସଲର୍ ଦୀପକ ପୁନିଆ ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ପହଞ୍ଚିବା ସହ ଅଲିମ୍ପିକ୍ କୋଟା ହାସଲ କରିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗରେ ସ୍ୱିଜରଲ୍ୟାଣ୍ଡର ଷ୍ଟିଫାନ୍ ରିଚମଥଙ୍କୁ ୮-୨ରେ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଏଥିସହ ସେ ୱାର୍ଲ୍ଡ ଚାମ୍ପିୟନଶିପରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି।

ଦୀପକଙ୍କ ପାଖରେ ଇତିହାସ ରଚିବାର ମଧ୍ୟ ସୁଯୋଗ ରହିଛି। ଫାଇନାଲରେ ତାଙ୍କ ସାମ୍ନା ଇରାନର ହସନ୍ ୟାଜଦାନୀଙ୍କ ସହ ହେବ। ଯଦି ଦୀପକ ଫାଇନାଲ୍ ମୁକାବିଲା ଜିତିବାରେ ସଫଳ ହୁଅନ୍ତି, ତାହେଲେ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ଦ୍ୱିତୀୟ ଭାରତୀୟ ରେସଲର୍ ହେବେ। ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର ୨୦୧୦ରେ ମସ୍କୋରେ ଆୟୋଜିତ ୱାର୍ଲ୍ଡ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦୀପକ ପୂର୍ବରୁ ହିଁ ଅଲିମ୍ପିକ୍ କୋଟା ହାସଲ କରିସାରିଛନ୍ତି। ଏହା ପୂର୍ବରୁ କ୍ୱାର୍ଟରଫାଇନାଲରେ ଦୀପକ କଲମ୍ବିଆର କାର୍ଲସ୍ ଆର୍ଟୁରୋ ଇଜକ୍ୱିର୍ଡୋ ମେଣ୍ଡେଜଙ୍କୁ ୭-୬ରେ ପରାସ୍ତ କରି ସେମଫାଇନାଲରେ ପହଞ୍ଚି ଅଲିମ୍ପିକ୍ ଟିକେଟ୍ ଅକ୍ତିଆର କରିଥିଲେ। ଦୀପକ ଚତୁର୍ଥ ଭାରତୀୟ ରେସଲର ଭାବେ ଅଲିମ୍ପିକକୁ କ୍ୱାଲିଫାଏ କରିଛନ୍ତି।

ଚଳିତ ଚାମ୍ପିୟନଶିପ୍ ପାଇଁ ଚତୁର୍ଥ ସିଡ୍ ପାଇଥିବା ଜୁନିୟର ୱାର୍ଲ୍ଡ ଚାମ୍ପିୟନ୍ ଦୀପକ ଶନିବାର ପ୍ରି-କ୍ୱାର୍ଟରଫାଇନାଲରେ ତାଜିକିସ୍ତାନର ବଖଦୁର କୋଦିରୋଭଙ୍କୁ ୬-୦ରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଥିଲେ। ପ୍ରଥମ ରାଉଣ୍ଡରେ ସେ ୦-୫ରେ ପଛୁଆ ଥିଲେ। କିନ୍ତୁ ଏହା ପରେ ଦୀପକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କଜାଖସ୍ତାନର ଆଦିଲେତ୍ ଦାଭଲୁମ୍ବାୟେଭଙ୍କୁ ୮-୬ରେ ପରାସ୍ତ କରିଥିଲେ। ଦୀପକଙ୍କ ବ୍ୟତୀତ ଭିନେଶ ଫୋଗଟ୍, ବଜରଙ୍ଗ ପୁନିଆ ଓ ରବି ଦାହିୟା ମଧ୍ୟ ୨୦୨୦ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଚଳିତ ଚାମ୍ପିୟନଶିପରେ ଭାରତର ରାହୁଲ ଆୱାରେ ନିଜର ସେମିଫାଇନାଲ୍ ମୁକାବିଲାରେ ପରାସ୍ତ ହୋଇଛନ୍ତି। ସେ ଅନ୍ତିମ-୪ ମୁକାବିଲାରେ ଜର୍ଜିଆର ବେକୋ ଲୋମଟେଜଙ୍କଠାରୁ ୬-୧୦ରେ ହାରିଯାଇଛନ୍ତି। ଏବେ ସେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। ରାହୁଲ ଜର୍ଜିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ବେଶ ଦୁର୍ବଳ ଲାଗୁଥିଲେ। ପ୍ରଥମ ବାଉଟରେ ହିଁ ବେକା ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଏକାଥରକେ ୪ ପଏଣ୍ଟ ନେଇ ଆଗୁଆ ହୋଇଥିଲେ। ମଝିରେ ରାହୁଲ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ, ତାହା ମୁକାବିଲା ଜିତିବା ପାଇଁ ଯଥେଷ୍ଟ ନଥିଲା। ଏହା ପୂର୍ବରୁ ରାହୁଲ କ୍ୱାର୍ଟରଫାଇନାଲରେ ରାସୁଲ କାଲିୟେଭଙ୍କୁ ୧-୭ରେ ହରାଇ ସେମିରେ ସ୍ଥାନ ପକ୍କା କରିଥିଲେ। ପ୍ରି-କ୍ୱାର୍ଟରରେ ସେ ତୁର୍କମେନିସ୍ତାନର କେରିମ୍ ହୋଜାକୋଭଙ୍କୁ ପରାସ୍ତ କରିଥିଲେ।

ତେବେ ଭାରତର ଅନ୍ୟତମ ରେସଲର୍ ଜିତେନ୍ଦ୍ର (୭୯ କେଜି) ନିଜର କ୍ୱାର୍ଟରଫାଇନାଲ୍ ମୁକାବିଲା ହାରିଯାଇଥିବା ବେଳେ ମୌସମ ଖତ୍ରୀ (୯୭ କେଜି) ପ୍ରଥମ ରାଉଣ୍ଡରେ ଅଲିମ୍ପିକ୍ ଚାମ୍ପିୟନ୍ କାଇଲ୍ ଫ୍ରେଡେରିକ ସ୍ନାଇଡରଙ୍କ ନିକଟରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

Related story