ବିଦାୟୀ ଭାଷଣରେ ଭାବପ୍ରବଣ ହୋଇ ପଡ଼ିଲେ ଯୁବି, କହିଲେ ମନ କଥା

ନୂଆଦିଲ୍ଲୀ: ଦୁଇଟି ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଯୁବରାଜ ସିଂହଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବ୍ରେକ୍ ଲାଗିଛି। ଯୁବି ଆଜି ନିଜର ସନ୍ନ୍ୟାସ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଯୁବରାଜ କେବଳ ଭାରତୀୟ କ୍ରିକେଟର ଯୁବରାଜ ନୁହନ୍ତି, ବରଂ ପୂରା କ୍ରିକେଟ୍ ଦୁନିଆର ଯୁବରାଜ। ଯେତେବେଳେ ଏହି ଖେଳାଳି କ୍ରିଜରେ ଉପସ୍ଥିତ ଥାନ୍ତି, ସେତେବେଳେ ପ୍ରଶଂସକ ଭାବନ୍ତି ଯୁବି ଅଛନ୍ତି ତ ସବୁକିଛି ସମ୍ଭବ। କ୍ରିଜରେ ସର୍ବଦା ଦୃଢ଼ତାର ସହ ବୋଲରଙ୍କୁ ଧୂଲେଇ କରୁଥିବା ଯୁବରାଜ ନିଜର […]

yuvi

Hemant Lenka
  • Published: Monday, 10 June 2019
  • , Updated: 10 June 2019, 04:39 PM IST

ନୂଆଦିଲ୍ଲୀ: ଦୁଇଟି ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଯୁବରାଜ ସିଂହଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବ୍ରେକ୍ ଲାଗିଛି। ଯୁବି ଆଜି ନିଜର ସନ୍ନ୍ୟାସ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଯୁବରାଜ କେବଳ ଭାରତୀୟ କ୍ରିକେଟର ଯୁବରାଜ ନୁହନ୍ତି, ବରଂ ପୂରା କ୍ରିକେଟ୍ ଦୁନିଆର ଯୁବରାଜ।

ଯେତେବେଳେ ଏହି ଖେଳାଳି କ୍ରିଜରେ ଉପସ୍ଥିତ ଥାନ୍ତି, ସେତେବେଳେ ପ୍ରଶଂସକ ଭାବନ୍ତି ଯୁବି ଅଛନ୍ତି ତ ସବୁକିଛି ସମ୍ଭବ। କ୍ରିଜରେ ସର୍ବଦା ଦୃଢ଼ତାର ସହ ବୋଲରଙ୍କୁ ଧୂଲେଇ କରୁଥିବା ଯୁବରାଜ ନିଜର ଅବସର ମଧ୍ୟ ଠିକ୍ ସେହି ଅନ୍ଦାଜରେ ନେଇଛନ୍ତି। ଅବସର ଘୋଷଣା କରିବା ସମୟରେ ଯୁବରାଜ ଆଦୌ ଭୟଭୀତ ହୋଇନଥିଲେ। ସେ ସାଉଥ୍ ମୁମ୍ବାଇ ହୋଟେଲରେ ଏକ ଫ୍ରେସ୍ କନଫରେନ୍ସ ଆୟୋଜନ କରି ନିଜର ଅବସର ସୂଚନା ଦେଇଛନ୍ତି।

ଏହି ଅବସରରେ ଯୁବି ନିଜ ଭାବନାକୁ କାବୁ କରିପାରି ନଥିଲେ। ସେ ସାମ୍ବାଦିକମାନଙ୍କୁ କହିଥିଲେ, "ନିଜର ୨୫ ବର୍ଷର କ୍ୟାରିୟର ଏବଂ ବିଶେଷକରି ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମୁଁ ଅନେକ ଉତଥାନ ପତନ ଦେଖିଛି। ଏବେ ମୁଁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ଏହି ଖେଳ ମୋତେ ଲଢ଼ିବା ଶିଖାଇଛି, ପଡ଼ିବା ଶିଖାଇଛି, ଉଠାଇବା ଶିଖାଇଛି ଏବଂ ଆଗକୁ ବଢ଼ିବା ମଧ୍ୟ ଶିଖାଇଛି।"

ଯୁବି ଆହୁରି କହିଥିଲେ, ଭାରତ ପକ୍ଷରୁ ୪୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିପାରିଥିବାରୁ ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି। ଯେତେବେଳେ ମୁଁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲି, ଏତେ ବାଟ ଆସିବି ବୋଲି କେବେ ଭାବିନଥିଲି। ଏହି ଖେଳ ସହ ମୋର ଏକ ପ୍ରେମ-ଘୃଣ ଭାବନା ଭଳି ସମ୍ପର୍କ ରହିଛି।

ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବିନି ଯେ, ଏହି ଖେଳ ମୋ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ। ମୁଁ ମୋ ଜୀବନରେ ଯେତେ ସଫଳତା ଅର୍ଜନ କରିଛି, ତା'ଠାରୁ ଅଧିକ ବିଫଳତା ମୋତେ ମିଳିଛି। କିନ୍ତୁ ମୁଁ କେବେବି ହାର୍ ମାନି ନାହିଁ ବୋଲି ଯୁବରାଜ କହିଥିଲେ।

ଯୁବି କହିଥିଲେ, ମୋ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ହେଉଛି ୨୦୧୧ ବିଶ୍ୱକପ୍ ଫାଇନାଲ୍। ଏହାଛଡ଼ା ମୁଁ ମୋ କ୍ୟାରିୟରରେ ସବୁଠାରୁ ଖରାପ ଦିନ ମଧ୍ୟ ଦେଖିଛି। ୨୦୧୪ରେ ଟି-୨୦ ବିଶ୍ୱକପ୍ ଫାଇନାଲ୍ ମୋ ପାଇଁ ସବୁଠାରୁ ଖରାପ ମୁହୂର୍ତ୍ତ ଥିଲା। ଏହା ମୋ ପାଇଁ ଏତେ ଖରାପ ଥିଲା, ମୁଁ ଭାବିଲି ମୋ କ୍ୟାରିୟର ଶେଷ ହୋଇଗଲା। କ୍ରିକେଟ୍ ମୋତେ ଭଲ ବନ୍ଧୁ ଓ ସିନିୟର ଦେଇଛି। ଏଥିପାଇଁ ମୁଁ ମୋ ପୂର୍ବତନ ଅଧିନାୟକ ଓ ଚୟନକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି।

ମୁଁ ସୌରଭ ଗାଙ୍ଗୁଲିଙ୍କ ଅଧିନରେ ଅନ୍ତର୍ଜାତୀୟ କ୍ରିକେଟ୍ ପଦାର୍ପଣ କରିଥିଲି, ଯେଉଁଥିରେ ମୋ ଆଦର୍ଶ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ୍, ଭିଭିଏସ୍ ଲକ୍ଷ୍ମଣ, ଜାଭାଗଲ ଶ୍ରୀନାଥ ଏବଂ ୨୦୧୧ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ଧୋନି ସାମିଲ୍ ଥିଲେ। ବିଶେଷକରି ମୁଁ ଗାଙ୍ଗୁଲିଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି, ଯିଏ ମୋତେ ପ୍ରଥମେ ସୁଯୋଗ ଦେଇଥିଲେ। ଅବସର ନେବା ପୂର୍ବରୁ ମୁଁ ଜାହିର୍ ଖାନ୍, ବୀରେନ୍ଦ୍ର ସେହ୍ୱାଗ, ଆଶିଷ ନେହରା, ସଚିନ ତେନ୍ଦୁଲକର ଓ ହରଭଜନ ସିଂହଙ୍କ ସହ ଆଲୋଚନା କରିଥିଲି।

ଆଇପିଏଲ୍ ସମୟରେ ମୁଁ ସଚିନଙ୍କୁ ଯେତେବେଳେ ଏହି କଥା କହିଲି, ସେ ନିଷ୍ପତ୍ତି ମୋ ଉପରେ ଛାଡ଼ିଥିଲେ। କିନ୍ତୁ ସେ ମୋତେ ଗୋଟିଏ କଥା କହିଥିଲେ, ତୁମେ ଭାରତ ପକ୍ଷରୁ ବହୁତ ଖେଳିଛ। କିନ୍ତୁ ଗୋଟିଏ ଅବଶୋଷ ହେଉଛି, ତୁମେ ଭାରତ ପକ୍ଷରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିପାରିଲ ନାହିଁ। ସଚିନଙ୍କ ଏହି କଥା ମୋତେ ସବୁଦିନ ପାଇଁ ମନେ ରହିବ। କାରଣ ସଚିନ ସର୍ବଦା ମୋ ଭଲ ପାଇଁ କୁହନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବା ପରେ ମୁଁ ବାକି ଦେଶରେ ଟି-୨୦ ଲିଗ୍ ଖେଳିବାକୁ ଚାହୁଁଛି। ଏହା ଛଡ଼ା କ୍ୟାନସର ପୀଡ଼ିତଙ୍କୁ ସହାୟତା କରିବା ମୋର ପରବର୍ତ୍ତୀ ଲକ୍ଷ୍ୟ । ମୁଁ ଚ୍ୟାରିଟି ୟୁଭିକ୍ୟାନ୍ ଦ୍ୱାରା ମୁଁ ପୂରା ଦେଶରେ ମାଗଣାରେ ଏହି ଚିକିତ୍ସା କରାଇବାକୁ ଚାହୁଁଛି।"

ଶେଷରେ ଯୁବରାଜ କହିଥିଲେ, "ମୁଁ ମୋ ପରିବାର, ମୋ ମା', ବିଶେଷକରି ଏଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି। ମୋ' ହେଉଛନ୍ତି ମୋର ମୁଖ୍ୟ ଶକ୍ତି, ଯିଏ ମୋତେ ଦୁଇଥର ଜନ୍ମ ଦେଇଛନ୍ତି। ସେହିପରି ମୋ ପତ୍ନୀ, ଯିଏ ସର୍ବଦା ମୋ ସହ ଛିଡ଼ା ହୋଇଛନ୍ତି ଏବଂ ମୋ ଘନିଷ୍ଠ ବନ୍ଧୁ, ଯେଉଁମାନେ ସର୍ବଦା ମୋ ସହ ରହିଛନ୍ତି, ଏମାନଙ୍କୁ ମୁଁ ଧନ୍ୟବାଦ ଦେଲେ ବି, ତାହା କମ୍ ହେବ। ଏଠାରେ ସମସ୍ତେ ଅଛନ୍ତି, କେବଳ ମୋ ପିତା ଉପସ୍ଥିତ ନାହାନ୍ତି। ମୁଁ ଭାବୁଛି ଏବେ ଆଗକୁ ବଢ଼ିବାର ସମୟ ଆସି ଯାଇଛି। ମୋ କ୍ରିକେଟ୍ ଜୀବନଯାତ୍ରାକୁ ଭଲଭାବେ ପରିବେଷଣ କରିଥିବାରୁ ଗଣାମାଧ୍ୟମକୁ ଧନ୍ୟବାଦ ଜଣାଉଛି।"

Related story