ଚଳିତବର୍ଷ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ଓ ଅର୍ଥଶାସ୍ତ୍ର କ୍ଷେତ୍ରରେ ୧୩ ଜଣଙ୍କୁ ନୋବେଲ ପୁରଷ୍କାର ଦିଆଯାଇଛି। ପଦାର୍ଥ ବିଜ୍ଞାନରେ ରେନର ୱେଇସ, ବ୍ୟାରିସ ସି ବାରିସ୍ ଏବଂ କିପ୍ ଥୋର୍ନଙ୍କୁ ନୋବେଲ ପୁରସ୍କାର ମିଳିଛି।
ରସାୟନ ବିଜ୍ଞାନରେ ଜେକୌସ ଡୋବୋକେଟ୍, ରିଚାର୍ଡ ହେଣ୍ଡେରସନ୍ ଓ ଜୋ ଅକିମ ଫ୍ରାଙ୍କ, ମେଡିସିନ୍ କ୍ଷେତ୍ରରେ ଜେଫରି ସି ହଲ୍, ମାଇକେଲ୍ ରୋଜ୍ବାସ ଓ ମାଇକେଲ ଡବ୍ଲ୍ୟୁ ୟଙ୍ଗଙ୍କୁ ନୋବେଲ ମିଳିଛି। ସାହିତ୍ୟ କ୍ଷେତ୍ରରେ କାଜୁଓ ଇସିଗୁରୋ, ଶାନ୍ତି ପାଇଁ ଆଇସିଏନ୍ (ଇଣ୍ଟର ନ୍ୟାସ୍ନ୍ୟାଲ୍ କ୍ୟାମ୍ପେନ୍ ଏବୋଲାଇସ୍, ନ୍ୟୁକ୍ଲିୟର ୱିପନ୍ସ) ସଂସ୍ଥାକୁ ମିଳିଛି ନୋବେଲ।
ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନପ୍ରଦ ପୁରସ୍କାର। ଆଲଫ୍ରେଡ୍ ନୋବେଲ୍ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ ଟି କ୍ଷେତ୍ର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥଶସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।
୧୧୬ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପାଇଥିଲେ ପ୍ରଥମ ପୁରସ୍କାର। ୱିକିପିଡିଆରୁ ନିଆଯାଇଥିବା ତଥ୍ୟ ଅନୁଯାୟୀ ଚଳିତବର୍ଷକୁ ହିସାବ କଲେ ୫୮୪ ଥର ୯୨୩ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। ଏହି ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ଭାରତୀୟ ଅଛନ୍ତି। ତେବେ ୨୦୧୭ ବର୍ଷରେ ପୁରସ୍କୃତ ବ୍ୟାକ୍ତିମାନଙ୍କ ମଧ୍ୟରେ ଜଣେ ବି ଭାରତୀୟ ନାହାଁନ୍ତି।
ରବିନ୍ଦ୍ରନାଥ ଟୋଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ହୋଇଥିବା ବେଳେ ଶେଷ ଥର ୨୦୧୪ ମସିହାରେ ଶାନ୍ତି ପାଇଁ କୈଳାଶ ସତ୍ୟାର୍ଥୀ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ।
ସାହିତ୍ୟ କ୍ଷେତ୍ରରେ ରବିନ୍ଦ୍ରନାଥ ଟାଗୋର (୧୯୧୩ ମସିହାରେ), ପଦାର୍ଥ ବିଜ୍ଞାନରେ ସିଭି ରମଣ (୧୯୩୦ ମସିହାରେ), ଶାନ୍ତି କ୍ଷେତ୍ରରେ ମଦର ଟେରେସା (୧୯୭୯ ମସିହାରେ), ଅର୍ଥନୀତିରେ ଅମର୍ତ୍ତ୍ୟ ସେନ୍ (୧୯୯୮ମସିହା), ଶାନ୍ତି କ୍ଷେତ୍ରରେ କୈଳାଶ ସତ୍ୟାର୍ଥୀ (୨୦୧୪ ମସିହା)ରେ ନୋବେଲ୍ ପୁରସ୍କାର ମିଳିଥିଲା।
ଏହାଛଡ଼ା ବିଭିନ୍ନ ଦେଶର ୩ ଜଣ ଭାରତୀୟ ମୂଳ ଅଧିବାସୀଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି। ସେମାନେ ହେଲେ ମେଡ଼ିସିନ୍ କ୍ଷେତ୍ରରେ ହରଗୋବିନ୍ଦ ଖୁରାନା (୧୯୬୮ ମସିହା)। ପରାଧୀନ ଭାରତର ରାୟପୁର ଠାରେ ସେ ଜନ୍ମ ହୋଇଥିଲେ। ପରବର୍ତ୍ତି ସମୟରେ ଆମେରିକା ନାଗରିକତ୍ୱ ଗ୍ରହଣ କଲେ।
ପଦାର୍ଥ ବିଜ୍ଞାନରେ ସୁବ୍ରହମଣ୍ୟନ୍ ଚନ୍ଦ୍ର ଶେଖରଙ୍କୁ ୧୯୮୩ରେ ନୋବେଲ ପୁରସ୍କାର ମିଳିଥିଲା। ସେ ବ୍ରିଟିସ ଶାସନ ସମୟରେ ଲାହୋରରେ ତାଙ୍କର ଜନ୍ମ ଗ୍ରହଣ କରିଥିଲେ। ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।
ରସାୟନ ବିଜ୍ଞାନରେ ଭେଙ୍କଟରମଣ ରାମକ୍ରିଶନଙ୍କୁ ୨୦୦୯ରେ ଏହି ପୁରସ୍କାର ମିଳିଥିଲା। ତାମିଲ୍ନାଡୁର ଚିଦାମ୍ବରମ୍ଠାରେ ଜନ୍ମଗ୍ରହଣ କରିଥିବା ଭେଙ୍କଟରମଣ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।