୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଛାନିଆ, ବରଗଡ଼ ଘଟଣା ଏହାର ଉଦାହରଣ: ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର

କଟକ: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭଙ୍ଗା ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି କଟକରେ ଆୟୋଜିତ ବିଜେପିର ବିକାଶ ଉତ୍ସବରେ ଯୋଗଦେଇ ପାରିକର କହିଛନ୍ତି,“ବରଗଡ଼ରେ ଯାହା ଘଟିଲା ବହୁତ ଖରାପ କଥା। ୨୦୧୯ରେ ସାଧାରଣ ନିର୍ବାଚନ ହେବ, ହେଲେ ରାଜ୍ୟ ସରକାର ଏବେଠାରୁ ଛାନିଆ ହୋଇଗଲେଣି। ତାଙ୍କ ଗୋଡ଼ ତଳୁ ମାଟି ଖସିବାକୁ ଲାଗିଛି, ତେଣୁ ସେ ଏପରି ନିନ୍ଦନୀୟ କାମ କରିବାକୁ ପଛାଉ ନାହାନ୍ତି। […]

manohar-parikar

Rakesh Mallick
  • Published: Sunday, 26 June 2016
  • , Updated: 26 June 2016, 08:36 PM IST

କଟକ: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଭଙ୍ଗା ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି କଟକରେ ଆୟୋଜିତ ବିଜେପିର ବିକାଶ ଉତ୍ସବରେ ଯୋଗଦେଇ ପାରିକର କହିଛନ୍ତି,“ବରଗଡ଼ରେ ଯାହା ଘଟିଲା ବହୁତ ଖରାପ କଥା। ୨୦୧୯ରେ ସାଧାରଣ ନିର୍ବାଚନ ହେବ, ହେଲେ ରାଜ୍ୟ ସରକାର ଏବେଠାରୁ ଛାନିଆ ହୋଇଗଲେଣି। ତାଙ୍କ ଗୋଡ଼ ତଳୁ ମାଟି ଖସିବାକୁ ଲାଗିଛି, ତେଣୁ ସେ ଏପରି ନିନ୍ଦନୀୟ କାମ କରିବାକୁ ପଛାଉ ନାହାନ୍ତି।

ସେ କହିଛନ୍ତି, “ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଗଲା। ମୁଁ ଚ୍ୟାଲେଞ୍ଜ କରୁଛି, ମୋ ଆଗକୁ ଆସନ୍ତୁ। ମୁଁ ଭଲ ଭାବେ ଜାଣିଛି, ଓଡ଼ିଶାର ଲୋକେ ଶାନ୍ତ ସ୍ୱଭାବର। ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୋଆରେ ୧୫,୦୦୦ ଓଡ଼ିଆ ଲୋକ ରହୁଥିଲେ। କେବେ ସେମାନେ ବିଶୃଙ୍ଖଳା ସୃଷ୍ଟି କରିବା ଦେଖିନାହିଁ। ହେଲେ ଯଦି କେହି ଜାଣିଶୁଣି ବିଶୃଙ୍ଖଳା ସୃଷ୍ଟି କରିବ ସେଥିରେ କିଛି କରିହେବ ନାହିଁ।”

ମୋଦି ସରକାରଙ୍କ ୨ ବର୍ଷର ସଫଳତା ସମ୍ପର୍କରେ ପାରିକର କହିଥିଲେ, “୫୦ ବର୍ଷରେ ଯାହା ହୋଇ ନ ଥିଲା, ମୋଦିଜୀଙ୍କ ୨ ବର୍ଷ ସରକାରରେ ବହୁ ପରିମାଣରେ ହୋଇ ପାରିଛି। ୫ରୁ ୬ ମାସ ମଧ୍ୟରେ ୨୧.୭ କୋଟି ଲୋକଙ୍କ ଜିରୋ ବାଲାନ୍ସ ବ୍ୟାଙ୍କ ଖାତା ଖୋଲାଯାଇଛି। ମୋଦି ସରକାରଙ୍କ ଚାପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସବୁଠାରୁ ବଡ କଥା ହେଲା ଏହି ଜିରୋ ବାଲାନ୍ସ ଆକାଉଣ୍ଟରେ ପ୍ରାୟ ୩୭,୭୦୦ ମୋଟି ଟଙ୍କା ଜମା କରାଯାଇଛି। ୫୯ଟି ଯୋଜନାରେ ୩୧,୦୦୦ କୋଟି ଲୋକଙ୍କ ବ୍ୟାଙ୍କ ଖାତାରେ ୬୩,୦୦୦ କୋଟି ଟଙ୍କାର ସିଧାସଳଖ ଲାଭ ଜମା କରାଯାଇଛି।”

ସେ କହିଛନ୍ତି, “ମୋର ମନେ ଅଛି, ୧୯୮୬ରେ ରାଜୀବ ଗାନ୍ଧି କହିଥିଲେ, ଯେତେବେଳେ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଖକୁ ୧୦୦ ଟଙ୍କା ପଠାଇ ଥାନ୍ତି ସେମାନଙ୍କ ପାଖରେ ମାତ୍ର ୧୫ ଟଙ୍କା ପହଞ୍ଚି ଥାଏ ଓ ବାଟରେ ୮୫ ଟଙ୍କା ହରିଲୁଟ ହୋଇଯାଇଥାଏ। ହେଲେ ମୋଦିଜୀଙ୍କ ସରକାରରେ ଲୋକଙ୍କ ହକ୍‌ର ପୂରା ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି।”

ସେ କହିଛନ୍ତି, “ଦୁଇ ବର୍ଷରେ ୩.୫ କୋଟି ଗ୍ୟାସ ସଂଯୋଗ ରଦ୍ଦ କରାଯାଇଛି। ଏହାଦ୍ୱାରା ୧୭,୦୦୦ କୋଟିରୁ ଅଧିକ ଟଙ୍କା ରାଜସ୍ୱ ବଳକା ରହିଛି। ୧.୨ କୋଟି ଲୋକ ସ୍ୱଇଚ୍ଛାରେ ଗ୍ୟାସ ସବସିଡି ଛାଡିଛନ୍ତି। ଯେତେବେଳେ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସପ୍ତାହରେ ଗୋଟେ ଦିନ ଖାଇବା ଛାଡି ଦେବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ। ଆଜିବି ଏମିତି କିଛି ଲୋକ ଅଛନ୍ତି, ଯିଏ ସେ ସମୟରୁ ଏପର୍ଯ୍ୟନ୍ତ ସପ୍ତାହରେ ଗୋଟେ ଦିନ କିଛି ଖାଇ ନ ଥାନ୍ତି। ଶାସ୍ତ୍ରୀଅଜୀଙ୍କ ପରେ ମୋଦି ଅଏପରି କରି ଦେଖାଇଛନ୍ତି। ଯେଉଁ ପ୍ରଧାନମନ୍ତ୍ରୀ ଲୋକଙ୍କ ହୃଦୟରେ ଥାଆନ୍ତି, ସେମାନେ ଏପରି ସଫଳତା ପାଇଥାନ୍ତି।”

ସେ କହିଛନ୍ତି, “ଦେଶର ବିଭିନ୍ନ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟ ହୋଇଛି। ଆପଣଙ୍କ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଦୁଇଜଣ ମଧ୍ୟ ଭଲ କାମ କରିଛନ୍ତି। କୋରାପୁଟ ସୁନାବେଡାରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍‌ (ହାଲ୍‌)ର କ୍ଷମତା ଦୁଇ ଗୁଣ କରାଯିବ। ଆସନ୍ତା ୨ରୁ ୪ ବର୍ଷ ମଧ୍ୟରେ ଏହାର କ୍ଷମତା ବଢାଯିବ। ଏଥିପାଇଁ ଆବଶ୍ୟକ ଅର୍ଥର ବ୍ୟବସ୍ଥା କରିବୁ। ୬ରୁ ୭ ମାସ ମଧ୍ୟରେ ଏହାର କାମ ଆରମ୍ଭ ହୋଇଯିବ। ବଡମାଳ ଗୋଳାବାରୁଦ କାରଖାନାର ଉତ୍ପାଦନ କ୍ଷମତା ବଢାଇବାକୁ ମଧ୍ୟ ଅମେ ଚିନ୍ତା କରୁଛୁ। ଓଡ଼ିଶାରେ ଆମେ ନିଯୁକ୍ତି ସୃଷ୍ଟି କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରୁଛୁ।”

Related story