ଆଉ ୫ କଲେଜରେ ନିର୍ବାଚନ ବାତିଲ

ଭୁବନେଶ୍ୱର: ଅକ୍ଟୋବର ୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ କଲେଜରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ଅନେକ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି। ଛାତ୍ର ଅଶାନ୍ତି ଓ ହିଂସାକାଣ୍ଡ ଯୋଗୁଁ ଆଜି ଆଉ ୫ଟି କଲେଜର ନିର୍ବାଚନ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜରେ ଜଣେ ଆଶାୟୀ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। ଏହାକୁ ନେଇ ଆଜି କଲେଜରେ […]

khorda-college

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 08:34 PM IST

ଭୁବନେଶ୍ୱର: ଅକ୍ଟୋବର ୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ କଲେଜରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ଅନେକ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି। ଛାତ୍ର ଅଶାନ୍ତି ଓ ହିଂସାକାଣ୍ଡ ଯୋଗୁଁ ଆଜି ଆଉ ୫ଟି କଲେଜର ନିର୍ବାଚନ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜରେ ଜଣେ ଆଶାୟୀ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। ଏହାକୁ ନେଇ ଆଜି କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରମାନେ କଲେଜରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୋଲିସ୍‌ ୧୦ ଜଣଙ୍କୁ ଗରିଫ କରିଛି। ହିଂସାକାଣ୍ଡ ପରେ କଲେଜ ଷ୍ଟାଫ୍‌ କାଉନ୍‌ସିଲ ବୈଠକ ବସି ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତା’ପରେ ସାଇନ୍‌-ଏ-ଡାଏ ଘୋଷଣା କରିଥିଲେ କଲେଜ କର୍ତ୍ତୃପକ୍ଷ। କ୍ୟାମ୍ପସ୍‌ରେ ଏବେ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

କ୍ୟାମ୍ପସରେ ଉତ୍ତେଜନା ଦୃଷ୍ଟିରୁ ବାରିପଦା ସରକାରୀ ମହିଳା କଲେଜ, ନିରାକାରପୁର କେବିଡିଏଭି କଲେଜ, ବାଣପୁର ଗୋଦାବରୀଶ କଲେଜ ଓ କୁପାରୀ ହରେକୃଷ୍ଣ ମହତାବ କଲେଜରେ ନିର୍ବାଚନ ବାତିଲ କରାଯାଇ ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି।

ଖୋର୍ଦ୍ଧା ସରକାରୀ ମହିଳା କଲେଜରେ ମଧ୍ୟ ଛାତ୍ରୀ ଅଶାନ୍ତି ଦେଖାଦେଇଥିଲା। ସଭାପତି ପଦବୀ ପାଇଁ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଥିବାରୁ ତାଙ୍କ ସମର୍ଥକମାନେ କଲେଜ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଏପରିକି ପୋଲିସ୍‌ ଓ କଲେଜ କର୍ମଚାରୀଙ୍କୁ ଛାତ୍ରୀମାନେ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲେ।

ତାଳଚେର ସ୍ୱୟଂଶାସିତ କଲେଜରେ ଆଜି ନିର୍ବାଚନକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଥିଲେ। ତେଣୁ କିଛି ସମୟ ପାଇଁ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣେ ଆଶାୟୀଙ୍କ ସଭାପତି ପ୍ରାର୍ଥୀଙ୍କ ନାଁରେ ଆସିଥିବା ଅପରାଧିକ ମାମଲା ସମ୍ପର୍କରେ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ମତ ଲୋଡ଼ିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ନିର୍ବାଚନ ବାତିଲ ହୋଇନଥିବା କଲେଜ ଗୁଡ଼ିକରେ ଆଜି ଜୋରଦାର କ୍ୟାମ୍ପେନ୍‌ ହୋଇଥିଲା।

Related story