୧ ଜୁଲାଇରୁ ୮ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୂଆ ନିୟମ: ଜାଣିରଖନ୍ତୁ ନହେଲେ ପଡିବେ ଅଡ଼ୁଆରେ

ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ୧ ଜୁଲାଇ ୨୦୧୭ରୁ ଭାରତୀୟ ବଜାରରେ ଆସିବ ବୈପ୍ଲବିକ ପରିବର୍ତ୍ତନ। ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସକୁ ରୂପ ଦେବା ପାଇଁ ଆସନ୍ତା କାଲିଠାରୁ ସରକାର ପୂରା ଦେଶରେ ଜିଏସ୍‌ଟି ଲାଗୁ କରିବାକୁ ଯାଉଛନ୍ତି।  କେବଳ ଯେ ଜିଏସ୍‌ଟି ଲାଗୁ ହେବ ତାହା ନୁହେଁ, ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ନିୟମ ପରିବର୍ତ୍ତନ କରିଛନ୍ତି ସରକାର । ଖାସ୍‌କରି ବିଭିନ୍ନ ସରକାରୀ କାଗଜପତ୍ରରେ ଆଧାର କାର୍ଡକୁ […]

aadhar111

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 08:51 PM IST

ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ୧ ଜୁଲାଇ ୨୦୧୭ରୁ ଭାରତୀୟ ବଜାରରେ ଆସିବ ବୈପ୍ଲବିକ ପରିବର୍ତ୍ତନ। ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସକୁ ରୂପ ଦେବା ପାଇଁ ଆସନ୍ତା କାଲିଠାରୁ ସରକାର ପୂରା ଦେଶରେ ଜିଏସ୍‌ଟି ଲାଗୁ କରିବାକୁ ଯାଉଛନ୍ତି।  କେବଳ ଯେ ଜିଏସ୍‌ଟି ଲାଗୁ ହେବ ତାହା ନୁହେଁ, ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ନିୟମ ପରିବର୍ତ୍ତନ କରିଛନ୍ତି ସରକାର । ଖାସ୍‌କରି ବିଭିନ୍ନ ସରକାରୀ କାଗଜପତ୍ରରେ ଆଧାର କାର୍ଡକୁ ଲିଙ୍କ୍‌ କରିବା ନେଇ ଜୁନ୍‌ ୩୦ ଥିଲା ଡେଡଲାଇନ୍। ତେବେ ଆସନ୍ତୁ ଜାଣିବା ୧ ଜୁଲାଇରୁ  ଅନ୍ୟ କେଉଁ ସବୁ ନୂଆ ନିୟମର ଆମେ ସମ୍ମୁଖୀନ ହେବା।

୧. ଆଧାରକାର୍ଡ ବିନା ଫାଇଲ୍‌ କରି ପାରିବେ ନାହିଁ ଟ୍ୟାକ୍ସ: ସରକାରଙ୍କ ନୂଆ ନିୟମ ଅନୁଯାୟୀ ୧ ଜୁଲାଇରୁ ଆୟକର ରିଟର୍ଣ୍ଣ ଫାଇଲ୍‌ କରିବାକୁ ଆଧାରକାର୍ଡ ଅନିବାର୍ଯ୍ୟ। ପୂର୍ବରୁ ବିନା ଆଧାର କାର୍ଡରେ ଆୟକର ରିଟର୍ଣ୍ଣ ଫାଇଲ କରିବାର ସୁବିଧା ରହିଥିଲା ।

୨. ପ୍ୟାନ୍‌ ସହ ଆଧାର ଲିଙ୍କ୍: ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଆୟକର ଦେବାକୁ ହେଲେ ଏଣିକି ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ। ଯେଉଁମାନେ ଆଧାର କାର୍ଡ ପାଇଛନ୍ତି, ସେମାନେ ଆୟକର ବିଭାଗ ନିକଟରେ ପ୍ୟାନ୍ ସହ ଆଧାର ନମ୍ବରକୁ ଲିଙ୍କ୍ କରିବା ଜରୁରୀ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ପ୍ୟାନ୍ କାର୍ଡକୁ ଅବୈଧ ଘୋଷଣା କରାଯିବ। ଆୟକର ଦାଖଲ ବେଳେ କିଛି ଲୋକ ଏକାଧିକ ପ୍ୟାନ୍ କାର୍ଡ ଦାଖଲ କରୁଥିବାରୁ ଏଭଳି ଅନିୟମିତା ରୋକିବା ଲାଗି କେନ୍ଦ୍ର ସରକାର ଏହି ନୂଆ ନିୟମ ପ୍ରଚଳନ କରୁଛନ୍ତି। ତେବେ ପୂର୍ବରୁ ପ୍ୟାନ୍ ସହ ଆଧାର ଲିଙ୍କ୍‌ କରିବାକୁ ଡେଡ୍‌ଲାଇନ ଥିଲା ଜୁନ୍‌ ୩୦। କିନ୍ତୁ ସିବିଡିଟି ନୂଆ ନିର୍ଦ୍ଦେଶାନାମା ଜାରି କରି କହିଛି ଯେ, ନୂଆ ବିଜ୍ଞପ୍ତି ନ ଆସିବା ଯାଏଁ ପ୍ୟାନ୍ କାର୍ଡକୁ ଅବୈଧ ଘୋଷଣା କରାଯିବ ନାହିଁ। ଯାହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିଛି।

୩. ଆଧାରକାର୍ଡ ବିନା ମିଳିବନି ପ୍ୟାନକାର୍ଡ: ଆୟକର ନିୟମରେ ସଂଶୋଧନ କରି କେନ୍ଦ୍ର ସରକାର ପ୍ୟାନ୍ କାର୍ଡ  ଆବେଦନ ଲାଗି ମଧ୍ୟ ଆଧାର ନମ୍ବରକୁ ବାଧ୍ୟତାମୂଳକ କରିଛନ୍ତି। ଶନିବାର ଠାରୁ ବିନା ଆଧାର କାର୍ଡରେ  ପ୍ୟାନ୍‌  କାର୍ଡ ପାଇଁ ଆବେଦନ ମଧ୍ୟ କରିପାରିବେ ନାହିଁ।

୪. ପାସପୋର୍ଟ ପାଇଁ ଆଧାର ଜରୁରୀ: ପାସପୋର୍ଟ ଆବେଦନ କ୍ଷେତ୍ରରେ ନୂଆ ନିୟମ ଆଣିଛି ବୈଦେଶିକ ମନ୍ତ୍ରଣାଳୟ। ଏଣିକି ନୂଆ ପାସପୋର୍ଟ ଆବେଦନ ପାଇଁ ଆଧାରକାର୍ଡ ଅପରିହାର୍ଯ୍ୟ। ୧ ଜୁଲାଇରୁ ବିନା ଆଧାର କାର୍ଡରେ ଆପଣ ପାସପୋର୍ଟ ଆବେଦନ କରି ପାରିବେ ନାହିଁ।

୫.PF ସହ ଆଧାରକାର୍ଡ ଲିଙ୍କ୍: ଭବିଷ୍ୟନିଧି ପାଣ୍ଠି ବା ପ୍ରୋଭିଡେଣ୍ଟ ଫଣ୍ଡ ଖାତା ସହ ଆଧାର ନମ୍ବର ଲିଙ୍କ୍ କରିବାକୁ ଖାତାଧାରୀଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ। ୩୦ ଜୁନ୍‌ ସୁଦ୍ଧା ଏହି ପ୍ରକିୟା ଶେଷ କରିବାକୁ ଖାତାଧାରୀଙ୍କୁ ସୂଚାଇ ଦେଇଛି EPFO। ପେନସନଧାରୀଙ୍କୁ ମଧ୍ୟ ଆଧାର କାର୍ଡ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କହିଛି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ।

୬. ମେଧାବୃତ୍ତି ପାଇଁ ଆଧାର କାର୍ଡ ଜରୁରୀ: ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ ଆଣିଛି ମାନବ ସମ୍ବଳ ବିକାଶ ବିଭାଗ।  ମେଧାବୃତ୍ତି ପାଇଁ ଆବଦନ କରୁଥିବା କିମ୍ବା ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀ ମାନେ ୩୦ ଜୁନ ପୂର୍ବରୁ ଆଧାର କାର୍ଡର ସମ୍ପୂର୍ଣ୍ଣ ତଥ୍ୟ  ପ୍ରଦାନ କରିବାକୁ ବିଜ୍ଞପ୍ତି ଜାରି କରିଛି ମାନବ ସମ୍ବଳ ବିକାଶ ବିଭାଗ। ଆଧାରକାର୍ଡ ବିନା ଛାତ୍ରଛାତ୍ରୀ ମାନେ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।

୭. ଆଧାର କାର୍ଡ ବିନା PDS ସବସିଡି ମିଳିବ ନାହିଁ: ଏଣିକି PDS ସବସିଡିରେ ପାଉଥିବା ସୁବିଧା ସୁଯୋଗରୁ ବଞ୍ଚିତ ହେବେ ହିତାଧିକାରୀ। ୩୦ ଜୁନ ସୁଦ୍ଧା ରାସନ କାର୍ଡ ସହ ଆଧାର ନମ୍ବରକୁ ଲିଙ୍କ୍‌ କରିବା ଜରୁରୀ । ନଚେତ୍‌ PDS ସବସିଡିରେ ପାଉଥିବା ସୁବିଧା ସୁଯୋଗରୁ ବଞ୍ଚିତ ହେବେ ହିତାଧିକାରୀ।

୮. ଚାଟାର୍ଡ ଆକାଉଣ୍ଟାଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସିଲାବସ୍: ୧ ଜୁଲାଇରେ ଚାଟାର୍ଡ ଆକାଉଣ୍ଟାଟ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସିଲାବସ ଲଞ୍ଚ୍‌ କରିବେ ନରେନ୍ଦ୍ର ମୋଦି। ନୂଆ ସିଲାବସ୍‌ଟି ଇଣ୍ଟରନ୍ୟାସନାଲ ଫେଡରେସନ୍‌ ଅଫ୍‌ ଆକାଉଣ୍ଟସର ସିଲାବସ୍‌ ଭଳି ଆର୍ନ୍ତଜାତୀୟ ସିଲାବସ୍‌ ଅନୁସାରେ ପ୍ରସ୍ତୁତ ହେବ। ଏହି ନୂଆ ପାଠ୍ୟକ୍ରମରେ ଜିଏସ୍‌ଟି ଓ ନୂଆ ଟ୍ୟାକ୍ସ ରେଟ୍‌କୁ ସାମିଲ କରାଯିବ।

Related story