ମଙ୍ଗଳବାର ସକାଳୁ ସମ୍ୱଲପୁର ପୋଲିସ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ସଭାପତି କର୍ଣ୍ଣେଲ ପ୍ରଭାତ ପଣ୍ଡା, ପୂର୍ବତନ ନଗରପାଳ ଗିରୀଶ ପଟେଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ସମିତି କହିଥିବା ବେଳେ ଏହା ଆଇନ ସମ୍ମତ ବୋଲି ପୋଲିସ କହୁଛି।
ଗିରଫ ହନୁମାନ ଜୟନ୍ତୀ ସମନ୍ୱୟ ସମିତି କର୍ମକର୍ତ୍ତା ଶିବ କୁମାର ଅଗ୍ରୱାଲ କହିଛନ୍ତି, “ୱାରେଣ୍ଟ ନ ଦେଖାଇ ଗିରଫ କରାଯାଇଛି। ଝଣ୍ଡା ପୋତା ଦିନ ପରମ୍ପରା ଅନୁସାରେ ପୂଜା ଖଣ୍ଡା ଯାଇଥିଲା। ଉକ୍ତ ଖଣ୍ଡାକୁ ନେଇ ମାମଲା ରୁଜୁ କରାଯାଇଛି। କେହି ଖଣ୍ଡା ପ୍ରଦର୍ଶନ କରିନାହାନ୍ତି। ପୋଲିସ ବେଆଇନ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ପ୍ରତିବାଦ କରିବୁ ଓ ଯେଉଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପୋଲିସ ଦାୟୀ ରହିବ। ସରକାର ପୋଲିସ ପ୍ରଶାସନକୁ ହାତ କରି ହିନ୍ଦୁଙ୍କୁ ଦମନ କରିବାକୁ ଚାହୁଁଛନ୍ତି।”
ଏସ୍ଡିପିଓ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି କହିଛନ୍ତି, “ବାରମ୍ବାର ଶାନ୍ତିଶୃଙ୍ଖଳା ଭଙ୍ଗ କରୁଥିବା ଲୋକଙ୍କ ବିରୋଧରେ ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଏକ ଆବେଦନ କରିଥିଲୁ। କୋର୍ଟ ୪ ଜଣଙ୍କ ନାଁରେ ୪ଟି ୱାରେଣ୍ଟ ଜାରି କରିଥିଲେ। ସେମାନଙ୍କୁ ଗିରଫ କରାଯାଇଛି, କୋର୍ଟରେ ହାଜର କରାଯିବ। ଆସନ୍ତାକାଲି ଆଖଡ଼ା ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।”
ପୂର୍ବରୁ ପୋଲିସ ପ୍ରଶାସନ ପକ୍ଷରୁ ଆଖଡା ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ନ କରିବାକୁ କମିଟିଗୁଡିକୁ ଅନୁରୋଧ କରାଯାଇଥିଲା। ହେଲେ ସମନ୍ୱୟ ସମିତି ପ୍ରତିବର୍ଷ ଭଳି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା ଜିଦରେ ଅଡ଼ି ବସିଛି। ତେବେ କିଛି ହନୁମାନ ଜୟନୀ କମିଟି ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦାର୍ଶନ କରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।
ବିଜେପି ନେତା ତଥା ହନୁମାନ ଜୟନ୍ତୀ ସମନ୍ୱୟ ସମିତି ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି, “ପୋଲିସ ସମସ୍ତ ନିୟମକାନୁନକୁ ଜଳାଞ୍ଜଳି ଦେଇ ସାରିଛି। ଉଦ୍ଦେଶ୍ୟମୂଳକ ଭାବେ ଗିରଫଦାରୀ ଚଳାଇଛି। ପ୍ରଥମେ ୧୦୭ ଦଫା ଲଗାଇଲା, ସେମାନେ କୋର୍ଟରେ ହାଜର ହେଲେ। ଏବେ ୧୧୦ ଦଫାରେ ସେମାନଙ୍କୁ ଗିରଫ କରିଛି। ଏହି ଦଫା ପେସାଦାର ଅପରାଧୀଙ୍କ ବିରୋଧରେ ଲଗାଯାଇଥାଏ। ଗତବର୍ଷ ହାଇକୋର୍ଟ ଧାର୍ମିକ ଶୋଭାଯାତ୍ରାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନରେ କୌଣସି ବାଧା ନାହିଁ ବୋଲି କହିଥିଲେ। ଏହା ପରେ ମଧ୍ୟ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅନ୍ୟବର୍ଷ ପରି ଚଳିତବର୍ଷ ମଧ୍ୟ ଶୋଭାଯାତ୍ରାରେ ପାରମ୍ପରିକ ଅସ୍ତ୍ର ଚାଳନା କରିବି।” ଗତବର୍ଷ ଶୋଭାଯାତ୍ରାରେ ମିଶ୍ର ଖଣ୍ଡା ବୁଲାଇ ଗିରଫ ହୋଇଥିଲେ।
ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ସମ୍ବଲପୁରରେ ସରକାରଙ୍କ ଆତଙ୍କ ରାଜ ଚାଲିଛି। ପରମ୍ପରାଗତ ଆଖଡ଼ା ଖେଳକୁ ସରକାର ବନ୍ଦ କରିବାକୁ ପୋଲିସକୁ ମାଧ୍ୟମ କରିଛି। ବିଜେପିର କିଛି ଛାମୁଆ ନେତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି। ଆମେ ଏହାର ପ୍ରତିବାଦ କରୁଛୁ। ଗିରଫ ସମିତିର ସଦସ୍ୟମାନଙ୍କୁ ତୁରନ୍ତ ଛଡା ନ ଗଲେ ବିଜେପି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବ।”