ଅନ୍ଧବିଶ୍ୱାସର କୁପରିଣତି: ଚେଙ୍କ ଖାଇ ଆଖି ବୁଜିଲା ଆଉ ଏକ ଶିଶୁ

ମାଲକାନଗିରି: ଅଶିକ୍ଷା ହେଉ ଅବା ସଚେତନତା ଅଭାବ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଚେଙ୍କ ଯୋଗୁଁ ଶିଶୁ ମୃତ୍ୟୁ ଘଟିବା ଓ ଗୁରୁତର ଆହତ ହେବା ଘଟଣା କମିବାର ନାଁ ନେଉନାହିଁ। ନବରଙ୍ଗପୁର, ସୁନ୍ଦରଗଡ଼ ପରେ ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ମାଲକାନଗିରି ଜିଲ୍ଲା ଶୁକ୍ରାଗୁଡ଼ା ଗାଁରେ ଚେଙ୍କ ଦିଆଯିବା ଯୋଗୁଁ ଏକ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଅସୁସ୍ଥ ଥିବା ଶିଶୁଟିର ପେଟ୍‌ରେ ତା’ର ଅଜା ଅତି ଅମାନୁଷିକ ଭାବେ ଚେଙ୍କ ଦେବା ଯୋଗୁଁ […]

malkangiri-chenka

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 06:23 AM IST

ମାଲକାନଗିରି: ଅଶିକ୍ଷା ହେଉ ଅବା ସଚେତନତା ଅଭାବ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଚେଙ୍କ ଯୋଗୁଁ ଶିଶୁ ମୃତ୍ୟୁ ଘଟିବା ଓ ଗୁରୁତର ଆହତ ହେବା ଘଟଣା କମିବାର ନାଁ ନେଉନାହିଁ। ନବରଙ୍ଗପୁର, ସୁନ୍ଦରଗଡ଼ ପରେ ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ମାଲକାନଗିରି ଜିଲ୍ଲା ଶୁକ୍ରାଗୁଡ଼ା ଗାଁରେ ଚେଙ୍କ ଦିଆଯିବା ଯୋଗୁଁ ଏକ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଅସୁସ୍ଥ ଥିବା ଶିଶୁଟିର ପେଟ୍‌ରେ ତା’ର ଅଜା ଅତି ଅମାନୁଷିକ ଭାବେ ଚେଙ୍କ ଦେବା ଯୋଗୁଁ ପିଲାଟିର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ଶିଶୁର ମୃତଦେହ ପରିବାର ଲୋକେ ଡାକ୍ତରଖାନାରୁ ଘରକୁ ନେଇଯାଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

ଶୁକ୍ରାବେଡ଼ା ଗାଁର ଶିଶୁଟି ମାସେରୁ ଅଧିକ ସମୟ ହେବ ଜ୍ୱର ଓ ପେଟ ରୋଗରେ ଆକ୍ରାନ୍ତ ଥିଲା। ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ପରିବାର ଲୋକେ ତାକୁ ଡାକ୍ତରଖାନା ଆଣିବା ପରିବର୍ତ୍ତେ ଝଡ଼ାଫୁଙ୍କା କରାଇବା ସହ ଚେରମୂଳି ଔଷଧ ଦେଉଥିଲେ। ଶିଶୁଟିର ଦେହ ଭଲ ହେବା ପାଇଁ ତା’ର ଅଜା ପେଟରେ ଚେଙ୍କ ଦେଇଥିଲା। ଫଳରେ ଶିଶୁଟି ଗୁରୁତର ହୋଇ ପଡିବାରୁ ବୁଧବାର ରାତିରେ ପରିବାର ଲୋକେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକଳେ ତା’ର ମୃତ୍ୟୁ ଘଟିଥିଲା।

ଶିଶୁଟିର ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି, “ପିଲାଟି ଦୀର୍ଘଦିନରୁ ଅସୁସ୍ଥ ଥିଲା। ତା’ ପେଟରେ ଚେଙ୍କ ଦିଆଯାଇଥିଲା। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଶିଶୁଟିକୁ ଅଣାଯାଇଥିଲା। ତେଣୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା।”

ଚେଙ୍କ ଯୋଗୁଁ ଶିଶୁ ମୃତ୍ୟୁ ଓ ଆହତ ହେବା ଘଟଣା ଚିନ୍ତାର କାରଣ ପାଲଟିଛି। ବିଶେଷ କରି ନବରଙ୍ଗପୁର ଜିଲ୍ଲାରେ ଏହା ଏକ ସାମାଜିକ ସମସ୍ୟାରେ ପରିଣତ ହୋଇଛି। ଗତ ୩ ମାସ ମଧ୍ୟରେ ଜିଲ୍ଲାରେ ଚେଙ୍କ ଯୋଗୁଁ ୬ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଲାଣି। ଏହି ସମୟ ମଧ୍ୟରେ ଜିଲ୍ଲାରେ ୧୦ ଜଣ ଶିଶୁ ଚେଙ୍କ ଦିଆଯିବା ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ରାଉରକେଲା ସହରରେ ଗତ ୧୧ ତାରିଖରେ ଚେଙ୍କ ଦିଆଯାଇଥିବା ଏକ ଶିଶୁର ମୃତ୍ୟୁ ଘଟିଥିଲା।

କେବଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ଯାଜପୁର ପରି ଉପକୂଳ ଜିଲ୍ଲାରୁ ମଧ୍ୟ ଶିଶୁକୁ ଚେଙ୍କ ଦିଆଯିବା ଅଭିଯୋଗ ଆସିଛି। ଗତ ୨୪ ତାରିଖରେ ଜଣେ ଶିଶୁ ଦୃଷ୍ଟ ହେବାରୁ ତା’ର ଅଜା ଚେଙ୍କ ଦେଇ ଏକ ଘରେ ବନ୍ଦ କରି ରଖିବା ଘଟଣା ପଦାକୁ ଆସିଥିଲା। ଏହି ଘଟଣା ଜଣାପଡିବା ପରେ ଶିଶୁଟିକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅଭିଯୁକ୍ତ ଅଜାକୁ ଗିରଫ କରାଯାଇଛି।

Related story