ଏପ୍ରିଲ୍‌ ୨ରୁ ସକାଳୁଆ ସ୍କୁଲ୍‌

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏସ୍‌ଆର୍‌ସି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି, “ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଏହି ସମୀକ୍ଷା ବୈଠକ ହୋଇଥିଲା। ଚଳିତବର୍ଷ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ  ଗ୍ରୀଷ୍ମ ପ୍ରବାହ […]

cm

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 10:10 AM IST

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ଏସ୍‌ଆର୍‌ସି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି, “ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଏହି ସମୀକ୍ଷା ବୈଠକ ହୋଇଥିଲା। ଚଳିତବର୍ଷ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ  ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ୨ ଏପ୍ରିଲରୁ ସମସ୍ତ ସ୍କୁଲ୍ ସକାଳ ୬ଟା୩୦ରୁ ଆରମ୍ଭ ହୋଇ ୧୦ଟା୩୦ରେ ସିରିବ । ଏହାସହ ସମସ୍ତ ପରୀକ୍ଷା ଏପ୍ରିଲ୍‌ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ମହାପାତ୍ର କହିଛନ୍ତି, “ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଲୋକଙ୍କୁ ସଚେତନ କରାଇବା ପାଇଁ ଗଣମାଧ୍ୟମରେ ବିଜ୍ଞାପନ ଦେବାକୁ କୁହାଯାଇଛି। ଏହାସହ ରାଜ୍ୟର ସବୁ ହସ୍ପିଟାଲରେ ଅଶୁଂଘାତ ୱାର୍ଡ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଯଥେଷ୍ଟ ପରିମାଣର ଓଆର୍‌ଏସ୍ ରଖିବାକୁ କୁହାଯାଇଛି।”

ଶ୍ରମିକଙ୍କ ପାଇଁ ଶ୍ରମ ନିର୍ଘଣ୍ଟରେ ପରିବର୍ତ୍ତନ ଜାରି କରାଯାଇଛି। ଏପ୍ରିଲ ୧ ତାରିଖରୁ ଦିନ ୧୧ରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଖରାରେ ଶ୍ରମିକମାନେ କାମ କରିବା ଉପରେ କଟକଣା ଲଗାଯାଇଛି। ଏ ନେଇ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ସହ ଶ୍ରମିକମାନଙ୍କୁ ସଚେତନ କରିବାକୁ କୁହାଯାଇଛି। ଖରା ବେଳେ ଚାଲୁଥିବା ବସ୍‌ ଗୁଡ଼ିକର ସମୟ ପରିବର୍ତ୍ତନ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବସ୍‌ରେ ଯଥେଷ୍ଟ ପରିମାଣର ଓଆର୍‌ଏସ୍ ଓ ପାଣି ରଖିବାକୁ କୁହାଯାଇଛି।

ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଣି ଯୋଗାଣକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ପାନୀୟଜଳ ସୁବିଧା ନ ଥିବା ଅଞ୍ଚଳରେ ଟ୍ୟାଙ୍କର୍ ଦ୍ୱାରା ପାଣି ଯୋଗାଇବାକୁ କୁହାଯାଇଛି। ଜଳଯୋଗାଣ ପ୍ରକଳ୍ପକୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସରବରାହ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ବିଭିନ୍ନ ସ୍ଥାନରେ ଗୃହପାଳିତ ପ୍ରାଣୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହାସହ ଜଙ୍ଗଲ ଭିତରେ ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏସ୍‌ଆରସି ମହାପାତ୍ର କହିଛନ୍ତି, “ଆଜି ପର୍ଯ୍ୟନ୍ତ ୩ ଜଣଙ୍କର ଅଶୁଂଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଯାଉଛି। ଯେ କୌଣସି ଜାଗାରୁ ଅଶୁଂଘାତକୁ ନେଇ କିଛି ଅଭିଯୋଗ ଆସିଲେ ଏହାର ତଦନ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଅଯାଇଛି।”

ଏହାସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ତାହା ୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ ବୋଲି ଏସ୍‌ଆର୍‌ସି କହିଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ, ନଗର ଉନ୍ନୟନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଶ୍ରମ ସଚିବଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆର୍‌ଡିସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।

Related story