ବିଜେପି ବନାମ ଧର୍ମେନ୍ଦ୍ର: ମିଶନ-୧୨୦ ସମ୍ଭବ ତ?

ଓଡ଼ିଶାରେ ବିଜେପି ଜାତୀୟ ସଭାପତି ଅମିତ ଶାହାଙ୍କର ‘ମିଶନ-୧୨୦’ ସମ୍ଭବ ନା ଅସମ୍ଭବ? ଏବେକାର ରାଜନୈତିକ ଦୃଶ୍ୟପଟ୍ଟରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଓଡ଼ିଆରେ ଗୋଟେ ଢ଼ଗ ଅଛି- ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ। ଆଦୌ ପତ୍ନୀ ନଥିବା ବ୍ୟକ୍ତି ନିଜ ପୁଅର ନାଁ ଦେବାକୁ ବ୍ୟଗ୍ର ହେଲାପରି ବିଜେପି ଏବେ ଓଡ଼ିଶା ପାଇଁ ବ୍ୟଗ୍ରତା ପ୍ରଦର୍ଶନ କରୁଛି। ଓଡ଼ିଶାରେ ବିଜେପିର ସଂଗଠନ ଅତି ଦୁର୍ବଳ ବୋଲି କହିଲେ ଅତ୍ୟୁକ୍ତି ହେବନି। ଆଉ […]

Dharmendra

Ordigital Desk
  • Published: Saturday, 18 November 2017
  • , Updated: 18 November 2017, 07:09 PM IST

[caption id="attachment_183246" align="alignleft" width="129"] ଦେବଦତ୍ତ ରଥ[/caption]

ଓଡ଼ିଶାରେ ବିଜେପି ଜାତୀୟ ସଭାପତି ଅମିତ ଶାହାଙ୍କର ‘ମିଶନ-୧୨୦’ ସମ୍ଭବ ନା ଅସମ୍ଭବ? ଏବେକାର ରାଜନୈତିକ ଦୃଶ୍ୟପଟ୍ଟରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଓଡ଼ିଆରେ ଗୋଟେ ଢ଼ଗ ଅଛି- ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ। ଆଦୌ ପତ୍ନୀ ନଥିବା ବ୍ୟକ୍ତି ନିଜ ପୁଅର ନାଁ ଦେବାକୁ ବ୍ୟଗ୍ର ହେଲାପରି ବିଜେପି ଏବେ ଓଡ଼ିଶା ପାଇଁ ବ୍ୟଗ୍ରତା ପ୍ରଦର୍ଶନ କରୁଛି।

ଓଡ଼ିଶାରେ ବିଜେପିର ସଂଗଠନ ଅତି ଦୁର୍ବଳ ବୋଲି କହିଲେ ଅତ୍ୟୁକ୍ତି ହେବନି। ଆଉ ଗୋଟେ କଥା କହିଲେ ବେଶୀ ଉପଯୁକ୍ତ ହେବ- ଓଡ଼ିଶାରେ ସଙ୍ଗଠନ ବୃଦ୍ଧି ନେଇ ଯେତିକି ପ୍ରୟାସ ଚାଲିନି, ଅଧିକ କସରତ ଚାଲିଛି ଧର୍ମେନ୍ଦ୍ର @ମୁକୁ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ। ଅନ୍ୟ ରାଜ୍ୟ ଗୁଡ଼ିକରେ ବିଜେପି କୌଣସି ନିର୍ଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ନିର୍ବାଚନ ଲଢ଼ିନି। ବରଂ ମୋଦୀଙ୍କ ନାଁରେ ନିର୍ବାଚନ ଲଢା ଯାଉଛି। କିନ୍ତୁ ଓଡ଼ିଶାରେ ତା'ର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ସାଧାରଣ ନିର୍ବାଚନ ଲଢ଼ିଲେ ଯେ, ବିଜେପିକୁ ମହଙ୍ଗା ପଡ଼ିପାରେ ତାହା ବୋଧେ ବିଜେପି ହୃଦବୋଧ କରିନି।

ଧର୍ମେନ୍ଦ୍ର ଏଠି ନିଜକୁ ନିଜେ ପ୍ରଚାର କରାଇବା ଛଡ଼ା ତଳ ସ୍ତରରେ ସଂଗଠନ ଗଢ଼ିବା ଓ ରହିଥିବା ସଂଗଠନକୁ ମଜବୁତ୍ କରିବାରେ କୌଣସି ଉଦ୍ୟମ କରୁନାହାଁନ୍ତି। ରାଜ୍ୟର ବିଜେପି ନେତାମାନଙ୍କୁ ଏକାଠି ନେଇ ଚାଲିବା ପରିବର୍ତ୍ତେ ସେ ମନମାନି କରୁଥିବା ଦେଖାଯାଉଛି ଓ ବିଭିନ୍ନ ସମୟରେ ଏ ବାବଦରେ ଖୋଲାଖୋଲି ଅଭିଯୋଗ ବି ଆସୁଛି। କିନ୍ତୁ ଧର୍ମେନ୍ଦ୍ର ଧୀରେ ଧୀରେ ଓଡ଼ିଶା ବିଜେପିକୁ ଯେ ହାତକୁ ନେଇ ସାରିଛନ୍ତି ତାକୁ ସ୍ୱୀକାର କରିବାକୁ ପଡ଼ିବ। ଦଳୀୟ ସଙ୍ଗଠନରେ ନିଜର ଅନୁଗତଙ୍କୁ ଥଇଥାନ କରିବାରେ ସେ ସଫଳ ହୋଇଛନ୍ତି। ସଂଯୋଗ କ୍ରମେ ବେଳେବେଳେ ଧର୍ମେନ୍ଦ୍ରଙ୍କ ପାଇଁ ସ୍ଥିତି ସୁହାଉଛି, ଆଉ ସେ ଏଥିରୁ ଫାଇଦା ନେଉଛନ୍ତି। ଉଦାହରଣ ସ୍ୱରୂପ, ଗତ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ। ଏଥିରେ ବିଜେପିର ସଫଳତା ପଛରେ ଥିଲା, ନିଜ ଦଳ ପ୍ରତି କଂଗ୍ରେସ କର୍ମୀଙ୍କ ଅସନ୍ତୋଷ ଏବଂ ମୋଦି ହାୱା। କିନ୍ତୁ କଥାଟା ଧର୍ମେନ୍ଦ୍ରଙ୍କୁ ସୁହାଇଲା। ସେ ତାଙ୍କର ପ୍ରଭାବ ବୋଲି ପ୍ରକାରାନ୍ତରେ ପ୍ରଚାର ହେଲା।

ସେହିପରି ମୋଦିଙ୍କ ପାଖରେ ନିଜର ପ୍ରଭାବ ବିସ୍ତାର କରିବାକୁ ରାଜ୍ୟର ଅନ୍ୟ ଦକ୍ଷ ନେତାଙ୍କୁ ପଛକୁ ପେଲିଦେବା ମଧ୍ୟ ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ମୋଦିଙ୍କର ଭୁବନେଶ୍ୱର ଗସ୍ତ ବେଳେ ସ୍ୱାଗତ ସମୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଛକୁ ପକେଇ ଦେବା ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ସେହିପରି ରାଜ୍ୟ ବିଜେପି ସଭାପତି ନିର୍ବାଚନ ସମୟରେ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ କରିବାରେ ଧର୍ମେନ୍ଦ୍ରଙ୍କ ନାମ ହିଁ ଅଧିକ ଆଲୋଚନା ହୋଇଥିଲା।

ଧର୍ମେନ୍ଦ୍ର ଓଡ଼ିଶା ବିଜେପିରେ ନିଜର ଏକ ଗୋଷ୍ଠୀ ସୃଷ୍ଠି କରିବାରେ ସଫଳ ହୋଇ ସାରିଲେଣି। ତାଙ୍କ ସମର୍ଥକମାନେ ପ୍ରକାରାନ୍ତରେ ଏପରି କାମ କରୁଛନ୍ତି ଯେଉଁଥିରେ ଧର୍ମେନ୍ଦ୍ରଙ୍କର ଜୟଜୟକାର ହେଉଛି। ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କର ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇ ଯାଉଛି। ସେମାନେ ନିଜ ଲେଖାରେ ମୋଦି ଓ ଅମିତ ଶାହାଙ୍କ ପରେ ଧର୍ମେନ୍ଦ୍ରଙ୍କ ଫଟୋକୁ ଗୁରୁତ୍ୱ ଦେଉଥିବା ବେଳେ ତାଙ୍କରି ଦଳର ଆଉଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନାଁ ଗନ୍ଧ ସେଥିରେ ମିଳୁନି। ଏପରିକି ‘ମିଶନ-୧୨୦’ ଧର୍ମେନ୍ଦ୍ରଙ୍କର ନେତୃତ୍ୱରେ ହିଁ ସଫଳ ହେବ ବୋଲି ସେମାନେ ସିଧା ଲେଖୁଛନ୍ତି। ଅର୍ଥାତ କାହା ନେତୃତ୍ୱରେ ଓଡ଼ିଶା ଭାଜପା ଲଢ଼ିବ ଏ କଥା ସେମାନଙ୍କ ମୁହଁରେ କୁହାଯିବା ପରି ମନେହେଉ ନାହିଁ କି? ଏହାର ପ୍ରଭାବ ଜିଲ୍ଲା ଓ ବ୍ଲକ ସ୍ତର ଯାଏଁ ରହୁଛି। କେଉଁଠି ଜାଣିଶୁଣି କାର୍ଯ୍ୟକ୍ରମକୁ କେତେକ କାର୍ଯ୍ୟକର୍ତ୍ତାଙ୍କୁ ସୂଚନା ଦିଆଯାଉ ନଥିବା ବେଳେ, କେଉଁଠି ଜିଲ୍ଲା ସଭାପତି ଏବଂ ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ମଧ୍ୟରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଯୁକ୍ତିତର୍କ ହେଉଛି।

ଏଭଳି ସ୍ଥିତିରେ ଧର୍ମେନ୍ଦ୍ର କିଭଳି ନିଜ ସ୍ୱପ୍ନ ପୂରଣ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି। ଏବେ ରାଜ୍ୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଖୋଜା ଚାଲିଛି। ଉପାୟ ଯାହା ବି ହେଉ, ନବୀନ ନିଜ ଦଳରେ ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି। କିନ୍ତୁ ଧର୍ମେନ୍ଦ୍ର ନିଜ ଦଳରେ ଅପ୍ରତିଦ୍ୱନ୍ଦ୍ୱୀ ନୁହଁନ୍ତି। ନିଜ ଦଳର ବହୁ ବରିଷ୍ଠ ନେତା, ଏମିତିକି ଆର୍‌ଏସ୍‌ଏସ୍‌ର କିଛି ସଦସ୍ୟ ମଧ୍ୟ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଅସ୍ୱୀକାର କରୁଥିବା ଚର୍ଚ୍ଚା ହେଉଛି। ଅମିତ୍ ଶାହା ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଭରସା। ମୋଦି ନୁହଁନ୍ତି। କାରଣ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ୍ ହୁଅନ୍ତୁ କି ଝାଡ଼ଖଣ୍ଡରେ ରଘୁବର ଦାସ, ହରିୟାଣାରେ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡରେ ତ୍ରିଭେନ୍ଦ୍ର ରାୱତ କିମ୍ବା ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ, ସବୁ ରାଜନୈତିକ ସମୀକରଣ ଓ ସମ୍ଭାବନାକୁ ପଛରେ ପକାଇ ମୋଦି ଏମାନଙ୍କୁ ଯେଭଳି ହଠାତ୍ ଗାଦିରେ ଚଢ଼ାଇଛନ୍ତି, ସେଥିରେ ଧର୍ମେନ୍ଦ୍ର ଯେ ଚକ୍‌ମା ପାଇବେନି, ସେ ଗ୍ୟାରେଣ୍ଟି କିଏ ଦେବ।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଓ ମୟୂରଭଞ୍ଜରେ ବିଜେପି ସଫଳତାର ଶ୍ରେୟ ଯିବ, ଜାତୀୟ ସଂଗଠନ ସମ୍ପାଦକ ସୌଦାନ ସିଂହଙ୍କ ପାଖକୁ। ବର୍ଷେ ଆଗରୁ ସେ ଏ ଦୁଇ ଜିଲ୍ଲାକୁ ଟାର୍ଗେଟ୍ କରିଥିଲେ। ଛତିଶଗଡ଼ରୁ ଲୋକେଶ କାଉଡିଆଙ୍କ ନେତୃତ୍ୱରେ ଦକ୍ଷ ସଂଗଠକଙ୍କୁ ଆଣି କଳାହାଣ୍ଡିରେ ଡେରା ପକାଇଥିଲେ। ସେହିଭଳି ଝାଡ଼ଖଣ୍ଡରୁ ବଛାବଛା ସଂଗଠକଙ୍କୁ ଆଣି ମୟୂରଭଞ୍ଜ ଜିଲ୍ଲାରେ ଖେଦି ଦେଇଥିଲେ। ସୌଦାନ ସିଂଙ୍କର ବିଚକ୍ଷଣ ପରିଚାଳନା ଏ ଦୁଇ ଜିଲ୍ଲାରେ ବିଜେଡ଼ିକୁ ମାଟି କାମୁଡ଼େଇବାରେ ସଫଳ ହୋଇଥିଲା ବିଜେପି।

ଏବେ ଦେଖିବାକୁ ବାକି ଧର୍ମେନ୍ଦ୍ରଙ୍କ ପ୍ରୟାସ କେତେ ସଫଳ ହେଉଛି। ଆଗାମୀ ଦିନରେ ଓଡ଼ିଶାରେ ବିଜେପି କେଉଁ ଉଚ୍ଚତାକୁ ଯାଉଛି, ଆଉ ଏହାର ଶ୍ରେୟ କାହାକୁ ଯାଉଛି।

(ପ୍ରବନ୍ଧରେ ପ୍ରଦାନ କରାଯାଇଥିବା ମତାମତ ଲେଖକଙ୍କ ନିଜସ୍ୱ)

Related story