ଓଟିଭି ତୁମେ ଆମର ଦାବି ମାନି ନିଅ

ଭୁବନେଶ୍ୱର (ତାପସ ରଂଜନ ବେହେରା):ନିଜର ହକ୍‌ ପାଇଁ କିଏ ସରକାରଙ୍କ ପାଖରେ ଦାବି କରେ ତ’ ଆଉ କିଏ ନିଜେ ଜଡ଼ିତ ଥିବା ସଂସ୍ଥା ପାଖରେ ଦାବି କରିନ୍ତି। କେହି କେହି ସମୂହ ସ୍ୱାର୍ଥ ପାଇଁ ଦାବିରେ ଅଡ଼ି ବସନ୍ତି। ଧରଣା ଦିଅନ୍ତି। ଅନଶନ କରନ୍ତି। ସ୍ଲୋଗାନ ଦିଅନ୍ତି। ଏକ ଗଣତନ୍ତ୍ର ରାଷ୍ଟ୍ରରେ ସ୍ୱର ଉଠାଇବାର ଅଧିକାର ସମ୍ୱିଧାନ ସମସ୍ତଙ୍କୁ ଦେଇଛି। କିନ୍ତୁ ଶାସକ ବିଜେଡି ପ୍ରଥମଥର ପାଇଁ ଏକ ନୂଆ ଦାବି ଉପସ୍ଥାପନ କରିଛି। ତାହା […]

bjd

Rakesh Mallick
  • Published: Thursday, 22 March 2018
  • , Updated: 23 March 2018, 05:47 PM IST

ଭୁବନେଶ୍ୱର (ତାପସ ରଂଜନ ବେହେରା):ନିଜର ହକ୍‌ ପାଇଁ କିଏ ସରକାରଙ୍କ ପାଖରେ ଦାବି କରେ ତ’ ଆଉ କିଏ ନିଜେ ଜଡ଼ିତ ଥିବା ସଂସ୍ଥା ପାଖରେ ଦାବି କରିନ୍ତି। କେହି କେହି ସମୂହ ସ୍ୱାର୍ଥ ପାଇଁ ଦାବିରେ ଅଡ଼ି ବସନ୍ତି। ଧରଣା ଦିଅନ୍ତି। ଅନଶନ କରନ୍ତି। ସ୍ଲୋଗାନ ଦିଅନ୍ତି। ଏକ ଗଣତନ୍ତ୍ର ରାଷ୍ଟ୍ରରେ ସ୍ୱର ଉଠାଇବାର ଅଧିକାର ସମ୍ୱିଧାନ ସମସ୍ତଙ୍କୁ ଦେଇଛି। କିନ୍ତୁ ଶାସକ ବିଜେଡି ପ୍ରଥମଥର ପାଇଁ ଏକ ନୂଆ ଦାବି ଉପସ୍ଥାପନ କରିଛି। ତାହା ହେଲା, ତାଙ୍କ ଇଚ୍ଛା ଅନୁସାରେ ଗଣମାଧ୍ୟମର କଲମ ଚାଲୁ। ତାଙ୍କ ସପକ୍ଷରେ ଲେଖୁ ଏବଂ କହୁ। ଏଥିରେ ଯେଉଁ ଗଣମାଧ୍ୟମ ବ୍ୟତିକ୍ରମ କରିବ, ତାକୁ ଦଳ ବରଦାସ୍ତ କରିବନି। ଅବଶ୍ୟ ବିଜେଡି ଓଡ଼ିଶାର ସବୁ ଗଣମାଧ୍ୟମକୁ ଟାର୍ଗେଟ କରିନି। ନିର୍ଦ୍ଦିଷ୍ଟ ଭାବେ ରାଜ୍ୟର ଏକ ନମ୍ବର ନ୍ୟୁଜ୍ ଚ୍ୟାନେଲ ‘ଓଟିଭି’ ପାଖରେ ଏମିତି ଦାବି ରଖିଛି। ବିଜେଡିର ଏକ ୫ ଜଣିଆ ମୁଖପାତ୍ର ଟିମ୍‌‍ ସାମ୍ୱାଦିକ ସମ୍ମିଳନୀ କରି ଚ୍ୟାନେଲ ପକ୍ଷପାତିତା କରୁଛି ବୋଲି ଅଭିଯୋଗ ଆଣି ବିଷୋଦଗାର କରିଛନ୍ତି। ଓଡ଼ିଶାରେ ମିଡିଆ କବ୍‌ଜା ମିଶନରେ ବିଜେଡି ଅନେକାଂଶରେ ସଫଳ ହୋଇଛି। ନିକଟରେ ଦୁଇଜଣ ମିଡିଆ ମାଲିକ ଦଳରେ ସାମିଲ୍ ହୋଇ ରାଜ୍ୟସଭା ଟିକଟ ପାଇଛନ୍ତି। ଛୋଟ ଛୋଟ ମିଡିଆକୁ ତ ଏମିତି ଡରେଇ ଧମକେଇ, ଟଙ୍କା ପଇସା ଦେଇ ପୋଷା ବିଲେଇ କରି ରଖିଛି। କିନ୍ତୁ ଓଟିଭି କରାୟତ ହେଉ ନ ଥିବାରୁ ଦଳ ବାରମ୍ବାର ବିଷ ଉଗାଳୁଛି।

ବିଜେଡିର ଅଭିଯୋଗ ଗୁଡ଼ିକ ହେଲା- (୧) ଅଯଥା ପ୍ରସଙ୍ଗକୁ ଭିତ୍ତିକରି ଓଟିଭି ରାଜ୍ୟ ସରକାରଙ୍କୁ ସବୁବେଳେ ଟାର୍ଗେଟ କରୁଛି। (୨) ଖବର ପରିବେଷଣରେ ଚ୍ୟାନେଲ ପକ୍ଷପାତିତା କରୁଛି। (୩) ବିଜେଡିର ଭାବମୂର୍ତି କ୍ଷୁଣ୍ଣ କରିବାକୁ ଚାନେଲ ଯୋଜନାବଦ୍ଧ ଭାବେ ଖବର ପରିବେଶଣ କରୁଛି। (୪) ବିତର୍କ ଭିତ୍ତିକ ଆଲୋଚନାରେ ବିଜେଡି ପ୍ୟାନେଲିଷ୍ଟଙ୍କୁ ପକ୍ଷ ରଖିବାର ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉନି। (୫) ବିଜେଡି ପ୍ରତିନିଧିଙ୍କୁ ବିତର୍କ ବେଳେ ଜାଣିଶୁଣି କୋଣଠେସା କରାଯାଉଛି। (୬) ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ନିଲମ୍ୱନ କରିବା ପରେ ଓଟିଭି ଏଭଳି ଆଭିମୁଖ୍ୟ ପୋଷଣ କରିଛି। (୭) ଏହା ସାଂସଦଙ୍କ ଚାନେଲ ହୋଇଥିବାରୁ କେବଳ ତାଙ୍କରି କଥା ଅଧିକ ଦେଖାଉଛି। (୮) ଭୁଲ ପ୍ରସଙ୍ଗକୁ ପ୍ରସାରଣ କରି ଓଟିଭି ଜନମତକୁ ବିଭ୍ରାନ୍ତ କରୁଛି।

ଏଠି ଲକ୍ଷ୍ୟ କରିବାର କଥା ହେଲା, ଏତେ ଗୁଡ଼ିଏ ଅଭିଯୋଗ ଭିତରେ, କେଉଁସବୁ ନିର୍ଦ୍ଦିଷ୍ଟ ଖବର ପ୍ରସାରଣ ବେଳେ ଓଟିଭି ପକ୍ଷପାତିତା କରିଛି ତାହା ବିଜେଡି ଦର୍ଶାଇ ନାହିଁ। ଓଟିଭି ବିରୋଧରେ ପୂର୍ବରୁ ମଧ୍ୟ ବିଜେଡି ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲା। ସେଥିରେ ଦର୍ଶା ଯାଇଥିବା ପୁରୁଣା ଅଭିଯୋଗକୁ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀରେ ପୁଣି ଦୋହରା ଯାଇଛି। ସେତେବେଳେ ବିଜେପୁର ଉପନିବାର୍ଚନ ଖବର ପ୍ରସାରଣରେ ଓଟିଭି ପକ୍ଷପାତିତା କରୁଛି ବୋଲି ଦଳ ଦର୍ଶେଇଥିଲା। ଓଟିଭି ଯଦି ଏକପାଖିଆ, ତେବେ ଓଡ଼ିଶାବାସୀ କାହିଁକି ଏ ଚ୍ୟାନେଲ୍‌କୁ ଏକନମ୍ବର ମାନ୍ୟତା ଦେଇଛନ୍ତି। ସେମାନେ କ’ଣ ବୋକା? ଆଜି ନୁହେଁ, ୨୦ ବର୍ଷ ଧରି ଓଡ଼ିଶାବାସୀ ଓଟିଭିକୁ ଦେଖି ଆସୁଛନ୍ତି। ପ୍ରତାବ ବାବୁ ଜାଣିବା ଦରକାର, ଟଙ୍କା ଦେଇ ସାର୍ଟିଫିକେଟ କିଣିହୁଏ, ସମ୍ମାନ ନୁହେଁ।

ଓଟିଭି ସହ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କକୁ ବିଜେଡି ସବୁବେଳେ ଟାର୍ଗେଟ୍‌ କରୁଛି। ଯେତେବେଳେ କି ବୈଜୟନ୍ତ ବାରମ୍ବାର କହି ଆସୁଛନ୍ତି, ଓଟିଭିର ଖବର ସମ୍ପାଦନା ସହ ତାଙ୍କର କୌଣସି ସଂପର୍କ ନାହିଁ। ବିଜେଡି ଅଭଯୋଗ କରୁଛି, ବୈଜୟନ୍ତ ନିଲମ୍ୱନ ହେଲା ପରେ ଓଟିଭି ଅଧିକ ପକ୍ଷପାତ କରୁଛି। ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ୱନ ହେବାପରେ ବି ଓଟିଭି ଯେ ପକ୍ଷପାତିତାରୁ ଊର୍ଦ୍ଦ୍ୱରେ ରହିଛି ତାହା ଚ୍ୟାନେଲର ରେଟିଂ ପଏଣ୍ଟରୁ ସ୍ପଷ୍ଟ ହୋଇଯାଏ। ଓଟିଭି ବିତର୍କରେ ବିଜେଡି ମୁଖପାତ୍ର କୋଣଠେସା ହେବାର କାରଣ, ସେମାନଙ୍କର ପ୍ରସଙ୍ଗ ଉପରେ ବେଶୀ ଜ୍ଞାନ ନଥାଏ। ଟିଭି ସୋ’ରେ ଭାଗ ନେବାକୁ କେବଳ ଦାମି ପଞ୍ଜାବୀ ଓ ଶାଢ଼ି ପିନ୍ଧି ଚାଲିଆସିଲେ ହୁଏନା, ଭେଜା ବି ଦରକାର।

ପ୍ରଶ୍ନ ଉଠୁଛି, ଓଟିଭି ଆଲୋଚନାରେ ବିଜେଡି ମୁଖପାତ୍ର କ’ଣ ସତରେ ମଉନ ହୋଇ ବସନ୍ତି? ସତରେ କ’ଣ ଏମାନଙ୍କୁ କହିବା ପାଇଁ ସୁଯୋଗ ଦିଆଯାଏନି? ବାସ୍ତବ ସ୍ଥିତି ଓଡ଼ିଶାବାସୀ ଜାଣନ୍ତି, ବିଜେଡି ମୁଖପାତ୍ରଙ୍କ ଆଚରଣ ଓଟିଭି ବିତର୍କ ବେଳେ କେମିତି ରହେ। ଆଲୋଚନାର ସିଂହ ଭାଗ ଏମାନେ ହିଁ ଗର୍ଜନ କରି କାହାକୁ କୁହାଇ ଦିଅନ୍ତିନି। ଲାଗେ ଯେମିତି ଏମାନେ କାହା ନିର୍ଦ୍ଦେଶରେ, ଏମିତି କରିବାକୁ ଯୋଜନା କରି ଆସିଥାନ୍ତି। ଯଦି ଏମାନଙ୍କୁ କେହି କହିବାକୁ ଦିଅନ୍ତିନି, ତେବେ ସଂସଦ କଥା ଦେଖାଯାଉ। ସଂସଦରେ ବିଜେଡିର ଗଣ୍ଡା ଗଣ୍ଡା ସାଂସଦ। ଲୋକ ସଭାରେ ୧୮ ଜଣ। ଆଉ ରାଜ୍ୟ ସଭାରେ ୯ ଜଣ। ଏମାନଙ୍କ ମଧ୍ୟରୁ କାଁ ଭାଁ କେତେ ଜଣ ନେତାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ମଉନ ବ୍ରତ ଧାରଣ କରିନ୍ତି।  ଏଠି ତ ଗର୍ଜନ କରିବାକୁ ୟାଙ୍କୁ କେହି ବନ୍ଦ କରିନାହାଁନ୍ତି। ଲୋକେ ୟାଙ୍କୁ ନିର୍ବାଚିତ କରି ପଠାଇଛନ୍ତି ସେଠି ତୁଣ୍ଡ ଖୋଲିବାକୁ। କାହିଁ କିଛି ତ ତାଡ଼ି ପକାଉ ନାହାଁନ୍ତି। ବିଜେଡି ସାଂସଦଙ୍କ ପାଇଁ ଲୋକସଭା ଓ ରାଜ୍ୟସଭା ଗୋଟେ ଲେଖାଁ ୫ ବର୍ଷିଆ ଟାଇମପାସ୍‌ ପ୍ୟାକେଜ୍‌ ଭଳି ମନେ ହୁଏ । ଟିଭି କଥା ଭୁଲି, ଓଡ଼ିଶା ଲୋକ ତାଙ୍କୁ ଯେଉଁଠିକୁ ପଠାଇଛନ୍ତି, ଯଦି ବିଜେଡି ନେତାଏ ସେଥିରେ ମନ ଦିଅନ୍ତେ, ତେବେ ରାଜ୍ୟ ପାଇଁ ତାହା ଅଧିକ ଫଳପ୍ରଦ ହୁଅନ୍ତା।

ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ଖବର ପ୍ରସାରଣ ପାଇଁ ସାହସ ଜୁଟାଇ ପାରିଛି। ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ତାଙ୍କରି ଇଶାରାରେ ବିଜେଡି ଓଟିଭିର କଣ୍ଠରୋଧ କରିବା ପାଇଁ ପ୍ରୟାସ କରୁଛି କି? ଟିଭି ବିତର୍କରେ କ’ଣ କୁହାଯିବ, ସେ ସ୍କ୍ରିପ୍ଟ ପ୍ରସ୍ତୁତ ହେଉଛି ତୃତୀୟ ମହଲାରେ। ଓଟିଭିର ଆଙ୍କର ଜାଣନ୍ତି, ବିଜେଡି ନେତାଏ ତୃତୀୟ ମହଲାରୁ କେଉଁ ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ ହୋଇ ଆସନ୍ତି। କିନ୍ତୁ ପ୍ରକୃତ ଷ୍ଟେଜ୍‌ରେ ବିଜେଡିର ସବୁ ପ୍ରସ୍ତୁତି ଫ୍ଲପ ମାରିଯାଏ।

ପ୍ୟାରିସର ଲୋକପ୍ରିୟ ପତ୍ରିକା ‘ଚାର୍ଲି ହାବଦୋ’ରେ ଏକ ସମାଲୋଚନାମୂଳକ କାର୍ଟୁନ ପ୍ରକାଶ ପାଇଥିବାରୁ ଏଥିରେ ଅସହିଷ୍ଣୁ ହୋଇ ଆତଙ୍କବାଦୀ ଆଇଏସ୍‌ ଆଇଏସ୍‌ ଉକ୍ତ ପତ୍ରିକା କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲା। ୨୦୧୫ରେ ହୋଇଥିବା ଏହି ଆକ୍ରମଣରେ ୧୨ ଜଣ ପ୍ରାଣ ହରାଇଥିଲେ। ଏଠି ବିଜେଡି ଯେମିତି ରକ୍ତଚାଉଳ ଚୋବାଉଛି, ଭବିଷ୍ୟତରେ ଯେ କୌଣସି ହିଂସାତ୍ମକ ଘଟଣା ନଘଟାଇବ ତାହା କହିହେବନି। ବିଜେଡି ମୁଖପାତ୍ର କହିଛନ୍ତି ଯେ, ସେମାନେ ବ୍ୟକ୍ତିଗତଭାବେ ଓଟିଭିକୁ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳି ନଥିଲା। ତେଣୁ ବାଧ୍ୟ ହୋଇ ସାମ୍ୱାଦିକ ସମ୍ମିଳନୀ ଡାକିଲୁ। ଏହାର ଅର୍ଥ ଦଳର ସେମାନଙ୍କ କଥାକୁ ଅନ୍ୟ ଟିଭି ଚ୍ୟାନେଲମାନେ ମାନି ନେଉଛନ୍ତି। ଯଦି କଥାଟି ସତ, ତେବେ କେତେ ସାଂଘାତିକ ଓଡ଼ିଶାବାସୀ ତାହା ବିଚାର କରିବେ।

ଗଣମାଧ୍ୟମର ଧର୍ମ ହେଲା, ଶାସକ ନୁହେଁ, ଶୋଷିତଙ୍କ କଥା କହିବା। ଅବହେଳିତ, ନିଷ୍ପେସିତ ଓ ଅସହାୟଙ୍କ କଥା କହିବା। ନିରପେକ୍ଷତା ଅବଲମ୍ୱନ କରିବା। ଦୁର୍ନୀତି ଭ୍ରଷ୍ଟାଚାରୀଙ୍କ ମୁଖା ଖୋଲିବା। ବୋଧହୁଏ ଓଟିଭି ତା’ର ଏହି ଅଭିଯାନରେ ଅଟଳ ଥିବାରୁ ଶାସକ ବିଜେଡି ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଧମକଚମକ ଦେଲେ ସୁଦ୍ଧା ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବରେ ଓଟିଭି ତା’ କର୍ତ୍ତବ୍ୟରୁ ଓହରିବ ନାହିଁ କି କାହା ଦାବି ଆଗରେ ମୁଣ୍ଡ ନୁଆଁଇବନି।

Related story