ବଲାଙ୍ଗୀରରେ ‘ନଗଡ଼ା’ର ପ୍ରତିଧ୍ୱନୀ: ୩୩,୦୦୦ ଶିଶୁ ପୁଷ୍ଟିହୀନତାରେ ଶିକାର

ବଲାଙ୍ଗୀର: ଯାଜପୁର ଜିଲ୍ଲାର ‘ନଗଡା’ର ଅନୁରୂପ ଚିତ୍ର ଦେଖିବାକୁ ମିଳିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅନ୍ଧାରୀ ଲାକାରେ। ହଜାର ହଜାର ଶିଶୁଙ୍କଠାରେ ଦେଖିବାକୁ ମିଳିଛି ‘ନଗଡା’ ଅପପୁଷ୍ଟିର ଛବି। ବଲାଙ୍ଗୀର ଜିଲ୍ଲାର ମୋଟ୍‌ ୧,୭୦,୦୦୦ ପଞ୍ଜୀକୃତ ଶିଶୁଙ୍କ ମଧ୍ୟରୁ ୩୩,୦୦୦ ଶିଶୁ ପୁଷ୍ଟିହୀନତାର ଶିକାର ଏବଂ ଆଉ ୨୮,୦୦୦ ଶିଶୁ ଅତିଶୟ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ପାଟଣାଗଡ, ବେଲପଡା, ଖପ୍ରାଖୋଲ, ଟିଟିଲାଗଡ, ମୂରିବାହାଲ, ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକର […]

nagada-balangir

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 09:27 PM IST

ବଲାଙ୍ଗୀର: ଯାଜପୁର ଜିଲ୍ଲାର ‘ନଗଡା’ର ଅନୁରୂପ ଚିତ୍ର ଦେଖିବାକୁ ମିଳିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅନ୍ଧାରୀ ଲାକାରେ। ହଜାର ହଜାର ଶିଶୁଙ୍କଠାରେ ଦେଖିବାକୁ ମିଳିଛି ‘ନଗଡା’ ଅପପୁଷ୍ଟିର ଛବି। ବଲାଙ୍ଗୀର ଜିଲ୍ଲାର ମୋଟ୍‌ ୧,୭୦,୦୦୦ ପଞ୍ଜୀକୃତ ଶିଶୁଙ୍କ ମଧ୍ୟରୁ ୩୩,୦୦୦ ଶିଶୁ ପୁଷ୍ଟିହୀନତାର ଶିକାର ଏବଂ ଆଉ ୨୮,୦୦୦ ଶିଶୁ ଅତିଶୟ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ପାଟଣାଗଡ, ବେଲପଡା, ଖପ୍ରାଖୋଲ, ଟିଟିଲାଗଡ, ମୂରିବାହାଲ, ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକର ସ୍ଥିତି ସଙ୍ଗୀନ। ଏସବୁ ଅଞ୍ଚଳରେ ସାଂଘାତିକ ଚିତ୍ର ସରକାରଙ୍କର ଚରମ ଉଦସୀନତା ବୟାନ କରୁଛି।

ବଲାଙ୍ଗୀର ଶିଶୁ ମଙ୍ଗଳ ଅଧିକାରୀ (ସିଡବ୍ଲ୍ୟୁଓ) ଭଜମନ୍ ମାଝୀ କହିଛନ୍ତି,“ଏହି ଅଞ୍ଚଳ ଗୁଡିକ ଦାଦନ ଶ୍ରମିକ ରହୁଥିବା ଅଞ୍ଚଳ ଭାବେ ଜଣାଶୁଣା। ଏଅଞ୍ଚଳରୁ ଶ୍ରମିକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଠାରୁ ଅପପୁଷ୍ଟିର ଶିକାର ହୋଇ ରାଜ୍ୟକୁ ଫେରୁଛନ୍ତି। ସେଥିପାଇଁ ଏହି ଅଞ୍ଚଳରେ ବେଶୀ ଶିଶୁ ଅପପୁଷ୍ଟିରେ ଶିକାର ହୋଇଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,“ଏହି ଅଞ୍ଚଳରେ ଅପପୁଷ୍ଟି ରୋକିବାକୁ ଆମେ ଭିଲଜ୍‌ ହେଲ୍‌ଥ ନ୍ୟୁଟ୍ରିସନ୍‌ ଡେ(ଭିଏଚ୍‌ଏନ୍‌ଡି) ମାଧ୍ୟମରେ ଭିଏଚ୍‌ଏନ୍‌ଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଆଇସିଡିଏସ୍‌ ଓ ମେଡିକାଲ ଟିମ୍‌ ସେଠାରେ ପହଞ୍ଚି ଶିଶୁମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି।”

ବଲାଙ୍ଗୀର ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି,“ଜିଲ୍ଲାରେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। କିପରି ସବୁ ପିଲାଙ୍କର ପୁଷ୍ଟି ସାଧନ ହେବ ସେନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯେଉଁ ଅଞ୍ଚଳରେ ରାସ୍ତାଘାଟର ଅସୁବିଧା ଅଛି, ଯେଉଁ ଅଞ୍ଚଳରେ ଗମନାଗମନର ସୁବିଧା ନାହିଁ ସେସବୁ ଅଞ୍ଚଳରେ ସ୍ୱତନ୍ତ୍ର ଦଳ ଯାଇ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି।”

ଜିଲ୍ଲାର ଗୁଡଭେଲା ବ୍ଲକର ଗଭାରସା ଗାଁରେ ଯାଜପୁର ଜିଲ୍ଲା ନଗଡାରେ ଅପପୁଷ୍ଟିରେ ଶିକାର ହୋଇଥିବା ଶିଶୁଙ୍କର ପରି ବଡ ପେଟ ଓ ସରୁ ହାତଗୋଡ ଥିବା ବହୁ ଶିଶୁଙ୍କୁ ଦେଖିବାକୁ ମିଳେ। ଏହି ଗାଁରେ କିଛି ଶିଶୁଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି।

ଗାଁର ସୂର୍ଯ୍ୟକାନ୍ତି କହିଛନ୍ତି,“ସହର ଠାରୁ ଦୂରରେ ଗାଁ ଥିବାରୁ ଏଠାରେ କିଛି ସୁବିଧା ନାହିଁ। ନା ଅଛନ୍ତି ଡାକ୍ତର ନା ଅଛି ଅଙ୍ଗନବାଡି କେନ୍ଦ୍ର। ଏଠାକୁ କୌଣସି ସରକାରୀ କର୍ମଚାରୀଙ୍କ ପାଦ ପଡେ ନାହିଁ।। ଆମ ପିଲାମାନଙ୍କୁ ସବୁବେଳେ ଜର ସହ ବାନ୍ତି ହେଉଛି। ଆମ ପାଖରେ ପାଇସାପତ୍ର ନ ଥିବାରୁ ବଡ ଡାକ୍ତରଖାନାକୁ ଯାଇପାରୁ ନାହୁଁ।”

ଗାଁର ବିରଞ୍ଚି ଭୋଇ କହିଛନ୍ତି,“ଜଙ୍ଗଲ ଭିତରେ ରହୁଥିବାରୁ ଆମ ବେମାର ପିଲାମାନଙ୍କୁ ଦୂର ସହରରେ ଥିବା ଡାକ୍ତରଖାନାକୁ ନେଇ  ପାରୁନାହୁଁ। ତେଣୁ ଶିଶୁମାନ ଏପରି ଅବସ୍ଥା ହେଲାଣି।”

ଗାଁର ସୁଶାନ୍ତି କହିଛନ୍ତି,“ହସ୍ପିଟାଲ ଦୂରରେ ଅଛି,ସେଠାକୁ ଯିବାକୁ ଆମ ପାଖରେ ଅର୍ଥ ନାହିଁ। ତେଣୁ ପିଲାମାନେ ଏପରି ହୋଇଯାଇଛନ୍ତି। ଏହିଠାରେ ଖାଇବା ପିଇବା ସବୁ ଅସୁବିଧା। ଦିନରେ ଖଟିଲେ ରାତିକୁ ଚୁଲି ଜଳେ। ୪ ପ୍ରାଣୀ କୁଟୁମ୍ବଙ୍କ ମୁହଁକୁ ଦାନାଯିବ,ନହେଲେ ନାହିଁ।”

Related story