ବରଗଡ଼ରେ ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାରେ ଦୁଇ ଇଞ୍ଜିନୟର ଗିରଫ, ଜଣେ ଫେରାର

ବରଗଡ଼: ଜୀରା ନଦୀ ଉପରେ ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାରେ ବରଗଡ଼ ପୋଲିସ ଆଜି ଦୁଇ ଜଣ ଇଞ୍ଜିନିୟରଙ୍କୁ ଗିରଫ କରିଛି। ସେମାନେ ହେଲେ ଏସ୍‌ଡିଓ କମଳାକାନ୍ତ ତରିଆ ଓ କନିଷ୍ଠ ଯନ୍ତ୍ରୀ (ଜେଇ) ମନୋରଞ୍ଜନ ମହାପାତ୍ର। ଅନ୍ୟପକ୍ଷରେ ଏହି ଘଟଣା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଫେରାର ହୋଇଯାଇଛନ୍ତି। ସଂପୃକ୍ତ ଠିକାଦାରଙ୍କ ମଧ୍ୟ ପତ୍ତା ମିଳୁ ନାହିଁ। ପୋଲ ଭୁଶୁଡ଼ିବା ପରେ ଗତକାଲି ଏହି ତିନି ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଥିଲା। ଆଜି […]

Rakesh Mallick
  • Published: Monday, 25 September 2017
  • , Updated: 25 September 2017, 08:07 AM IST

ବରଗଡ଼: ଜୀରା ନଦୀ ଉପରେ ନିର୍ମାଣାଧୀନ ସେତୁ ଭୁଶୁଡ଼ିବା ଘଟଣାରେ ବରଗଡ଼ ପୋଲିସ ଆଜି ଦୁଇ ଜଣ ଇଞ୍ଜିନିୟରଙ୍କୁ ଗିରଫ କରିଛି। ସେମାନେ ହେଲେ ଏସ୍‌ଡିଓ କମଳାକାନ୍ତ ତରିଆ ଓ କନିଷ୍ଠ ଯନ୍ତ୍ରୀ (ଜେଇ) ମନୋରଞ୍ଜନ ମହାପାତ୍ର। ଅନ୍ୟପକ୍ଷରେ ଏହି ଘଟଣା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଫେରାର ହୋଇଯାଇଛନ୍ତି। ସଂପୃକ୍ତ ଠିକାଦାରଙ୍କ ମଧ୍ୟ ପତ୍ତା ମିଳୁ ନାହିଁ। ପୋଲ ଭୁଶୁଡ଼ିବା ପରେ ଗତକାଲି ଏହି ତିନି ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଥିଲା।

ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଫ୍ ଇଞ୍ଜିନିୟର ଭରତ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ତାଙ୍କୁ ସେଠାରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ବିଭାଗୀୟ ସଚିବଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ସେ କହିଛନ୍ତି।

ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ସଂପୃକ୍ତ ଠିକାଦାରଙ୍କୁ ବ୍ଲାକ୍‌ଲିଷ୍ଟେଡ୍ କରାଯିବ। ସେ ଆଉ ଯାହା ଟଙ୍କା ପାଇବାର ଥିଲା ତାହା ଦିଆଯିବନି। ଭବିଷ୍ୟତରେ ତାଙ୍କୁ ଆଉ କାମ ଦିଆଯିବ ନାହିଁ।

ଭେଡ଼େନ୍ ବ୍ଲକ ଜାମ୍‌ଡୋଳ-ଧୁବେନପାଲି ମଝିରେ ଯାଇଥିବା ଜୀରା ନଦୀରେ ନିର୍ମାଣାଧୀନ ଏହି ସେତୁରେ ଗତକାଲି ସଂଧ୍ୟାରେ ସ୍ଲାବ୍ ପଡୁଥିବା ବେଳେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା।  ବିଜୁ ସେତୁ ଯୋଜନାରେ ଜିରାନଦୀ ଉପରେ ଗତ ଦେଢ଼ ବର୍ଷ ତଳୁ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଗତକାଲି ଏଥିରେ ଶେଷ ସ୍ଲାବ୍ ପଡୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସେତେବେଳେ ସେଠାରେ ପ୍ରାୟ ୮୦ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ୫ ଜଣ ଶ୍ରମିକ ଆହତ ହୋଇଛନ୍ତି।

Related story