ବର୍ଷା ଦିନେ ବିଦ୍ୟୁତ୍ ସଂକଟ, ରାଜ୍ୟର ସବୁ ଅଞ୍ଚଳରେ ହେବ ବିଦ୍ୟୁତ୍ କାଟ

ଭୁବନେଶ୍ୱର: ବର୍ଷା ଦିନେ ରାଜ୍ୟରେ ଦେଖାଯାଇଛି ବିଜୁଳି ସଙ୍କଟ। ସେଥିପାଇଁ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ସବୁ ଅଞ୍ଚଳରେ ହେବ ବିଦ୍ୟୁତ୍ କାଟ। ସକାଳେ ଓ ସନ୍ଧ୍ୟା ବେଳେ କରାଯିବ ବିଦ୍ୟୁତ୍ କାଟ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ସଚିବ ସୁରେଶ ମହାପାତ୍ର। ସେ କହିଛନ୍ତି, ଚଳିତ ବର୍ଷ କମ୍ ବର୍ଷା ହୋଇଛି। ସେଥିପାଇଁ ବିଶେଷ କରି ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ କମ୍ ପାଣି ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ୨୭ ପ୍ରତିଶତ […]

suresh

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 05:22 AM IST

[caption id="attachment_31795" align="alignleft" width="300"] ଶକ୍ତି ସଚିବ ସୁରେଶ ମହାପାତ୍ର[/caption]

ଭୁବନେଶ୍ୱର: ବର୍ଷା ଦିନେ ରାଜ୍ୟରେ ଦେଖାଯାଇଛି ବିଜୁଳି ସଙ୍କଟ। ସେଥିପାଇଁ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ସବୁ ଅଞ୍ଚଳରେ ହେବ ବିଦ୍ୟୁତ୍ କାଟ। ସକାଳେ ଓ ସନ୍ଧ୍ୟା ବେଳେ କରାଯିବ ବିଦ୍ୟୁତ୍ କାଟ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତି ସଚିବ ସୁରେଶ ମହାପାତ୍ର।

ସେ କହିଛନ୍ତି, ଚଳିତ ବର୍ଷ କମ୍ ବର୍ଷା ହୋଇଛି। ସେଥିପାଇଁ ବିଶେଷ କରି ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ କମ୍ ପାଣି ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ୨୭ ପ୍ରତିଶତ ଜଳ ରହିଛି। ସେହିଭଳି ବାଲିମେଳା ଓ ଅପର କୋଲାବ ଜଲଭଣ୍ଡାରରେ ପ୍ରାୟ ୪୦ପ୍ରତିଶତ ଜଳ ରହିଛି।  ତେଣୁ ଜଳ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଦିନକୁ ପ୍ରାୟ ୧୫୦୦ ମେଗାୱାଟ ଜଳ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଏହା ୪୫୦ରୁ ୫୦୦ ମେଗାୱାଟକୁ କମି ଯାଇଛି। ସେହିପରି ଏନଟିପିସିର ଗୋଟିଏ ୟୁନିଟ୍ ସହିତ ତାଳଚେର ସ୍ଥିତି ଟିଟିପିଏସର କିଛି ୟୁନିଟ୍ ବନ୍ଦ ରହିଛି। ତେଣୁ ତାପଜ ବିଦ୍ୟୁତ୍ ଉତ୍ପାଦନ ବି ବାଧାପାଇଛି। ରାଜ୍ୟରେ ଦୈନିକ ପିକ୍ ସମୟଗୁଡ଼ିକରେ ୪୦୦୦ ମେଗାୱାଟ୍ ବିଦ୍ୟୁତ୍ ଦରକାର ହୋଇଥାଏ। କିନ୍ତୁ ବର୍ତ୍ତମାନ ୩୫୦୦ ମେଗାୱାଟ୍ ବିଦ୍ୟୁତ୍ ଉପଲବ୍ଧ ହେଉଛି। ତେଣୁ ଏହାକୁ ଭାଗବାଣ୍ଟି ସମସ୍ତଙ୍କୁ ଯୋଗାଇ ଦେବା ପାଇଁ ବିଦ୍ୟୁତ୍ କାଟ ଆବଶ୍ୟକ ହୋଇପଡ଼ିଛି।

ଶକ୍ତି ସଚିବ କହିଛନ୍ତି ଯେ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ସବୁ ଅଞ୍ଚଳରେ ବିଦ୍ୟୁତ୍ କାଟ ଆରମ୍ଭ ହୋଇଯିବ। ତେବେ ତା’ପୂର୍ବରୁ ଗଣମାଧ୍ୟମ ଓ ଅନ୍ୟ ଉପାୟରେ ବିଦ୍ୟୁତ୍ କାଟ ସମୟ ନେଇ ଲୋକଙ୍କୁ ଅବଗତ କରାଯିବ। ଲୋକମାନେ ମଧ୍ୟ ଏଥିରେ ସହଯୋଗ କରିବା ଆବଶ୍ୟକ। କାରଣ ବର୍ତ୍ତମାନ ରାଜ୍ୟର ଜଳଭଣ୍ଡାରଗୁଡ଼ିକରେ ଯେତିକି ଜଳ ଅଛି ତାହାକୁ ଗଚ୍ଛିତ କରି ନରଖିଲେ ଆଗକୁ ସମସ୍ୟା ଦେଖାଯିବ। ଆଗାମୀ ଖରାଦିନେ ବିଦ୍ୟୁତ୍ ସଂକଟ ଆହୁରି ବଢ଼ିଯିବ।

ତେବେ କେତେ ଦିନ ଧରି ରାଜ୍ୟରେ ବିଦ୍ୟୁତ୍ କାଟ ଜାରି ରହିବ ସେ ନେଇ ଶକ୍ତି ସଚିବ ସୁରେଶ ମହାପାତ୍ର କିଛି ସୂଚନା ଦେଇ ନାହାନ୍ତି। ସେ କହିଛନ୍ତି ଯେ ସେପ୍ଟେମ୍ବର ଶେଷ ଅବା ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଏ ସଂପର୍କରେ ଜାଣି ହେବ। କାରଣ ଏହା ପରେ ଆଉ ମୌସୁମୀ ବର୍ଷା ହେବାର ନାହିଁ। ଯଦି ଲଘୁଚାପ ଜନିତ ବର୍ଷା ହୁଏ ତା’ହେଲେ ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତା’ପରେ ଯାଇ କିଛି କହି ହେବ।

ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର, କଟକ ଓ ପୁରୀରେ  ଏକ ଘଣ୍ଟା ପାୱାର୍ କଟ୍ ହେବାକୁ ଥିବା ବେଳେ ଅନ୍ୟ ସହରାଞ୍ଚଳରେ ଦୁଇ ଘଣ୍ଟା ଧରି ପାୱାର କଟ୍ ହେବ। ଅବଶ୍ୟ କିଛି ଅଞ୍ଚଳରେ ବିଦ୍ୟୁତ୍ କାଟ ଆରମ୍ଭ ହୋଇଯାଇଥିବା ଖବର ମିଳିଛି।

Related story