ବର୍ଷା କମିବା ପରେ ବନ୍ୟା ସ୍ଥିତିରେ ଆସିଛି ସୁଧାର

କଳାହାଣ୍ଡି/କୋରାପୁଟ/ନବରଙ୍ଗପୁର: ବର୍ଷା କମିବା ପରେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । କଳାହାଣ୍ଡି ଜିଲ୍ଲାରେ ଆସିଥିବା ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ହୋଇଛି । ତେବେ ଏନ୍ଏଚ୍-୨୬ ହାତୀନଦୀ ପୋଲ ଉପରେ ପାଣି ଚାଲିଥିବାରୁ ନୂଆଁଖାଇ ପାଇଁ ଘରକୁ ଫେରୁଥିବା ବହୁ ଲୋକ ଅଧାବାଟରେ ଫସି ରହିଛନ୍ତି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ୧୦ଟି ଓ  ନବରଙ୍ଗପୁର ଜିଲ୍ଲାର ୨୬ଟି ଗାଁ ପାଣି ଘେରରେ ରହିଛି। ତେବେ ବନ୍ୟା […]

b4

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 03:03 PM IST

କଳାହାଣ୍ଡି/କୋରାପୁଟ/ନବରଙ୍ଗପୁର: ବର୍ଷା କମିବା ପରେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । କଳାହାଣ୍ଡି ଜିଲ୍ଲାରେ ଆସିଥିବା ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ହୋଇଛି । ତେବେ ଏନ୍ଏଚ୍-୨୬ ହାତୀନଦୀ ପୋଲ ଉପରେ ପାଣି ଚାଲିଥିବାରୁ ନୂଆଁଖାଇ ପାଇଁ ଘରକୁ ଫେରୁଥିବା ବହୁ ଲୋକ ଅଧାବାଟରେ ଫସି ରହିଛନ୍ତି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ୧୦ଟି ଓ  ନବରଙ୍ଗପୁର ଜିଲ୍ଲାର ୨୬ଟି ଗାଁ ପାଣି ଘେରରେ ରହିଛି।

ତେବେ ବନ୍ୟା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ବେଳେ ବହୁ ଲୋକ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ସେଥିପାଇଁ ହାଇଦ୍ରାବାଦରୁ ଗାଁକୁ ଆସିଥିଲେ ସୌରଭ। ହେଲେ ହାତୀ ନଦୀରେ ବନ୍ୟା ଯୋଗୁଁ ଅଧାବାଟରେ ଅଟକି ରହିଛନ୍ତି। ଜୁନାଗଡ଼ ହାତୀ ନଦୀ ପୋଲ ଉପରେ ୪ ଫୁଟ୍ ଉଚ୍ଚରେ ପାଣି ଚାଲୁଛି। ଫଳରେ ଭବାନୀପାଟଣାରୁ ନବରଙ୍ଗପୁର ମଧ୍ୟରେ ଏନ୍ଏଚ୍ ୨୬ରେ ଯାତାୟାତ ବନ୍ଦ ହୋଇଯାଇଥିବାରୁ ଅଧାରାସ୍ତାରେ ଶହ ଶହ ଯାତ୍ରୀ ଫସି ରହିଛନ୍ତି । ହାତୀ ନଦୀରେ ବନ୍ୟା ପାଣି ହଠାତ ଚାଲି ଆସିବାରୁ ୪ଜଣ ଯୁବକ ଏକ ଉଚ୍ଚ ସ୍ଥାନରେ ଫସି ରହିଥିଲେ । ଆଜି ସେମାନଙ୍କୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରୁ ଏହି ଯୁବକମାନେ ଜୁନାଗଡ଼ଠାରେ ଏକ ଉଚ୍ଚା ସ୍ଥାନରେ ଆଶ୍ରୟ ନେଇଥିଲେ। ସେହିପରି ପାଣି ଘେରରେ ଥିବା କଲମପୁର ବ୍ଲକର ୫ଟି ଗାଁର ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତେଲ୍ ନଦୀରେ ବନ୍ୟା ଯୋଗୁଁ ବନ୍ଧାଗାଁଠାରେ ବହୁ ଲୋକ ଫସି ରହିଛନ୍ତି। କାଁ ଭାଁ କେଉଁଠି ରନ୍ଧା ଖାଦ୍ୟ ମିଳିଥିବା ବେଳେ ଅନେକ ସ୍ଥାନରେ ଲୋକେ ଭୋକ ଉପାସରେ ପଡ଼ି ରହିଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ୍ ବ୍ଲକରେ ବନ୍ୟା ଯୋଗୁଁ ୫ଟି ପଞ୍ଚାୟତର ୧୦ଟି ଗାଁ ପାଣି ଘେରରେ ରହିଛି। ବନ୍ୟାରେ ସାଡରଙ୍ଗ।, ଗୁଆଳି, ଗୁମୁଡ଼ା, ଆଙ୍କୁଲା ଓ ଖପୁରୀଗୁଡ଼ା ପଞ୍ଚାୟତର ପ୍ରାୟ ୪ହଜାର ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଏହି ବ୍ଲକର ୪ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଯାଇଛି। ସେପଟେ ଘାଟଗୁଡ଼ା ନିକଟରେ କୋଲାବ ଜଳଭଣ୍ଡାରକୁ ମାଛ ଧରିବାକୁ ଯାଇ ନିଖୋଜ ଥିବା ରବୀନ୍ଦ୍ର ମୁଦୁଲିଙ୍କ ମୃତଦେହକୁ ଆଜି ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।

ନବରଙ୍ଗପୁର ଜିଲ୍ଲାରେ ବି ବନ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ନବରଙ୍ଗପୁର ବ୍ଲକର ୨ଟି, ତେନ୍ତୁଳିଖୁଣ୍ଟି ବ୍ଲକର ୫ଟି ଗାଁ ଓ କୋଷାଗୁମୁଡ଼ା ବ୍ଲକର ୧୯ଟି ଗାଁର ପ୍ରାୟ ସାଢେ ୬ହଜାର ଲୋକ ବିପନ୍ନ ହୋଇଛନ୍ତି।  ତେନ୍ତୁଳିଖୁଣ୍ଟି ବ୍ଲକରେ ୪୨ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Related story