ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପ୍ରଦେଶର ମୁଜାଫରନଗର ନିକଟସ୍ଥ ଖତୌଲିରେ ଗତକାଲି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ୧୩୦ ଜଣ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନାହାନ୍ତି। ଆଜି ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଚିହ୍ନଟ ହୋଇଥିବା ମୃତକମାନେ ହେଉଛନ୍ତି ସୁଖୀ ପ୍ରଜାପତି, ଆଲୋକ ସରକାର (ନୂଆଦିଲ୍ଲୀ), ଭଦ୍ର ସେନ, କରିସ୍ମା ଓ ବ୍ରିଜରାଜ ପାଣ୍ଡେ।
ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳବାଇର ମୁଖ୍ୟ ଲୋକସଂପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମୋଟ ୧୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୭ ଜଣଙ୍କୁ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ସେ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁସାରେ ୧୩୦ ଜଣ ଆହତଙ୍କ ମଧ୍ୟରେ ୩ ଜଣ ଓଡ଼ିଶାରୁ ଅଛନ୍ତି। ସେମାନେ ହେଉଛନ୍ତି ସବିତା ମଲ୍ଲିକ, ମଧୁ ମଣ୍ଡଳ ଓ ମୁବାରକ ଅଲ୍ଲୀ।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସର ୧୪ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ସେଥିରୁ ୬ଟି ବଗି (ସ୍ଲିପର କୋଚ୍) ଅଧିକମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା।
ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିବା ବେଳେ ଦୁର୍ଘଟଣାସ୍ଥଳରେ କ୍ଷତିଗ୍ରସ୍ତ ରେଳ ଲାଇନ୍ର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ରେଳବାଇର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ମରାମତି କାର୍ଯ୍ୟ ତଦାରଖ କରୁଛନ୍ତି। ଆଜି ରାତିସୁଦ୍ଧା ମରାମତି କାମ ଶେଷ ହୋଇଯିବ ବୋଲି ଅଧିକାରୀମାନେ କହିଛନ୍ତି।
ଘଟଣାସ୍ଥଳ ବୁଲି ଦେଖିବା ସହ ଆହତଙ୍କ ଭେଟିଲା ବିଜେପି ଟିମ୍
ଆଜି ରାଜ୍ୟ ବିଜେପିର ଏକ ଟିମ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛି। ବିଜେପି ବିଧାୟକ ରବି ନାଏକଙ୍କ ନେତୃତ୍ୱରେ ଏହି ଟିମ୍ ଆହତଙ୍କୁ ମଧ୍ୟ ଭେଟିଛି।
ରବି ନାଏକ କହିଛନ୍ତି,“ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ଓଡ଼ିଶାର ଦୁଇ ଜଣ ଆହତଙ୍କୁ ଭେଟିଲୁ। ସେମାନେ ହେଲେ ବାଲେଶ୍ୱରର ଆହତ ସବିତା ମଲ୍ଲିକ ଏବଂ ଖୋର୍ଦ୍ଧାର ମଧୁ ମଣ୍ଡଳ। ମଧୁ ମଣ୍ଡଳ ମୁଜାଫରନଗର ଜିଲ୍ଲା ଡାକ୍ତରଖାନାର ବେଡ୍ ନଂ ୧ରେ ଅଛନ୍ତି। ମୁଜାଫରନଗର ମେଡିକାଲ କଲେଜରେ ସବିତା ମଲ୍ଲିକ ଚିକତ୍ସିତ ହେଉଛନ୍ତି। ତାଙ୍କର ଗୋଡ଼ ଓ ଅଣ୍ଟାରେ ମାଡ଼ ହୋଇଥିବାରୁ ତାଙ୍କୁ କଷ୍ଟ ହେଉଛି। ତାଙ୍କ ଶରୀର କିଛି ଅଂଶ ଫୁଲି ଯାଇଛି। ରୋଗୀଙ୍କର ଚିକିତ୍ସାରେ ଅବହେଳା କରାଯାଇ ନାହିଁ।”
ଓଡ଼ିଶାରୁ ଏକ ଡାକ୍ତରୀ ଟିମ୍ ଉତ୍ତର ପ୍ରଦେଶ ଗଲା
ଓଡ଼ିଶାରୁ ଏକ ଡାକ୍ତରୀ ଟିମ୍କୁ ଉତ୍ତର ପ୍ରଦେଶ ପଠାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି- ଡାକ୍ତର ନିରଞ୍ଜନ ମିଶ୍ର (ସର୍ଜରୀ ସ୍ପେଶାଲିଷ୍ଟ), ଡାକ୍ତର କହ୍ନେଇ ମହାପାତ୍ର (ଅର୍ଥୋପେଡିସିଆନ୍) ଓ ଡାକ୍ତର ରାଜୀବ ଜେନା (ମେଡିସିନ୍ ସ୍ପେଶାଲିଷ୍ଟ)। ସେମାନଙ୍କ ସହିତ ଫାର୍ମାସିଷ୍ଟ କେଦାର ଜେନା ମଧ୍ୟ ଯାଇଛନ୍ତି। ଆହତମାନଙ୍କ ଚିକିତ୍ସା କରିବା ପାଇଁ ସେମାନଙ୍କୁ ମୁଜାଫରନଗରରେ ଅବସ୍ଥାପିତ କରାଯାଇଛି। ଚିକିତ୍ସା କରିବା ପାଇଁ ସେମାନଙ୍କୁ ଔଷଧ ମଧ୍ୟ ଦିଆଯାଇଛି।