ବିଧାନସଭାରେ ଦେଖା ଦେଇଥିବା ଅଚଳାବସ୍ଥା ଦୂର ପାଇଁ ବାରମ୍ବାର ସର୍ବଦଳୀୟ ବୈଠକ ବସୁଛି, ହେଲେ କିଛି ଲାଭ ହେଉନାହିଁ। କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ନେଇ ସୁପାରିଶ କରିବାକୁ ଦାବି କରିଛି। ଏପରି ସ୍ଥିତିରେ ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ରାଜ୍ୟପାଳ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ପୂର୍ବାହ୍ନ ସାଢେ ୯ଟାକୁ ବାଚସ୍ପତି ଡକାଇ ଥିବା ସର୍ବଦଳୀୟ ବୈଠକରେ ଲାଗି ରହିଥିବା ଏହି ଅଚଳାବସ୍ଥା ଦୂର ହେବ କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଗୃହ ପରିଚାଳନା ପାଇଁ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି, ହେଲେ ହୋ-ହାଲ୍ଲା ଓ ଆରୋପ ପ୍ରତ୍ୟାରୋପରେ ଗୃହ ଅଚଳ। କୌଣସି ପ୍ରସଙ୍ଗ ଆଲୋଚନା ହୋଇ ପାରୁନାହିଁ। ଅଡୁଆ ତୁଟିବା ବଦଳରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଶାସକ ଦଳ ଦୁର୍ନୀତିରେ ଲିପ୍ତ ଥିବାରୁ ଭୟଭୀତ ହୋଇଯାଇଛି। ତେଣୁ ଗୃହ ସ୍ୱାଭାବିକ ଭାବେ ଚଳାଇବାକୁ ଦେଉନାହିଁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ଏସ୍ବିଆଇ ଆକାଉଣ୍ଟକୁ ନେଇ ବିଜେଡିକୁ ବିଜେପି ଟାର୍ଗେଟ କରିଛି। ଅନ୍ୟପକ୍ଷରେ ଗୃହରେ ଦେଖା ଦେଇଥିବା ଅଚଳାବସ୍ଥା ପାଇଁ ବିଜେଡି ବିରୋଧୀ ଦଳଙ୍କୁ ଦାୟୀ କରିଛି।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ମଙ୍ଗଳବାରଠାରୁ ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେଉ ଆମେ ଚାହୁଁଛୁ, ହେଲେ ସରକାର ଚାହୁଁ ନାହାନ୍ତି। ସେମାନେ ତ ଦୁର୍ନୀତିଗ୍ରସ୍ତ, ତାଙ୍କ ପାଖରେ କିଛି ଉତ୍ତର ନାହିଁ। ନିଜେ ସୃଷ୍ଟି କରିଥିବା ଅଚଳାବସ୍ଥା ପାଇଁ ବିରୋଧୀ ଦଳଙ୍କୁ ଦାୟୀ କରୁଛନ୍ତି। ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଆମେ ଆମ ପକ୍ଷ ରଖିଛୁ। ଆବଶ୍ୟକ ପଡିଲେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ରାଜଭବନକୁ ଡାକିବେ ଓ ବିହିତ ପଦକ୍ଷେପ ଗ୍ରହଣ କରିବେ।”
ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତି, “ଶାସକ ଦଳର ଅହଂକାର ଲାଗି ଏପରି ସମସ୍ୟା ବିଧାନସଭାରେ ଉପୁଜିଛି। ଚିଟ୍ଫଣ୍ଡ ଲିଙ୍କରେ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତି କଥା ହେଉ କି ଜଷ୍ଟିସ ଦାସଙ୍କ ପ୍ରସଙ୍ଗ ହେଉ ମୁଖ୍ୟମନ୍ତ୍ରୀ ଗୃହରେ ନିଜର ବକ୍ତବ୍ୟ ରଖନ୍ତୁ।”
ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “ଗୃହ ହିଁ ପ୍ରକୃଷ୍ଠ ସ୍ଥାନ। ଏଠାରେ ସବୁ କଥା ଆଲୋଚନା ହୋଇପାରିବ। ସରକାରୀ ଦଳ ବିରୋଧରେ ବିରୋଧୀ ଦଳ ପାଖରେ ଯଦି ପ୍ରକୃତରେ କିଛି ତଥ୍ୟ ରହିଛି ତାହାକୁ ଗୃହରେ ଉପସ୍ଥାପନ କରନ୍ତୁ। ଆଲୋଚନା କରାଯିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ।”
ଅନ୍ୟପକ୍ଷରେ ବିଜେଡି ଆକାଉଣ୍ଟକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜୟ କହିଛନ୍ତି, “ବିଜେଡି ଆକାଉଣ୍ଟକୁ ଚିଟ୍ଫଣ୍ଡ ସହିତ ଯୋଡ଼ା ଯାଉଥିବାରୁ ସିବିଆଇ ତଦନ୍ତ କରିବା କଥା। ସିବିଆଉ କାହିଁକି ଏହାର ତଦନ୍ତ କରୁନାହିଁ? ସ୍ୱଚ୍ଛତା ପାଇଁ ବିଜେଡି ନିଜ ଆଡୁ ସବୁ ତଥ୍ୟ ସିବିଆଇକୁ ଦେଇ ଦେବା କଥା।”
ବିଜୟଙ୍କ ମନ୍ତବ୍ୟକୁ ଶସ୍ତା ରାଜନୀତି ବୋଲି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। ଯଦି ଆନ୍ତରିକତା ଅଛି ତେବେ ସିବିଆଇକୁ ଲେଖି ଦେଉନାହାନ୍ତି କାହିଁକି ବୋଲି ଦାମ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “କେବଳ ଏହି ଆକାଉଣ୍ଟକୁ ଏତିକି ଟଙ୍କା ଯାଇଛି ବୋଲି କୁହାଯାଉଛି। ବିରୋଧୀ ଦଳ ନେତା, ବିଜେପି ନେତା ବିଜୟ ମହାପାତ୍ର ଏବଂ ମୁଁ, କେହି ଜାଣିନାହୁଁ କେତେ ଟଙ୍କା ଯାଇଛି, ସମସ୍ତେ କେବଳ କହୁଛନ୍ତି। ଏହା ପ୍ରମାଣିତ ହୋଇନାହିଁ। ଯଦି ଏହା ପ୍ରମାଣ ହେଉ ବୋଲି ଚାହୁଁଛ ସିବିଆଇକୁ ଲେଖି ଦେଇଦେଉନ?”
ବିଜେଡି ଆକାଉଣ୍ଟ ପ୍ରସଙ୍ଗ ବିଧାନସଭାରେ ଉଠିବା ପରେ ଆୟକର ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ସେହିପରି ନିର୍ବାଚନ କମିଶନ, ଗୃହ ମନ୍ତ୍ରାଳୟ, ସିଭସି ମଧ୍ୟ ଏହାର ଅନୁସନ୍ଧାନ କରିଥିବା ରୋରୋଧୀ ଦଳ ନେତା ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ବିଜେଡି ଆକାଉଣ୍ଟ ପ୍ରସଙ୍ଗ ଶାସକ ଦଳକୁ ଆଗକୁ ଅଡୁଆରେ ପକାଇବା ପରି ମନେ ହେଉଛି।