କିଛି ଲୋକଙ୍କୁ ସୁରକ୍ଷା ଦେବାକୁ ସିବିଆଇ ଚିଟ୍‌ଫଣ୍ଡ୍ ଦୁର୍ନୀତିର ତଦନ୍ତ ଖାମଖିଆଲ ଭାବେ କରୁଛି: ବିଜୟ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ସିବିଆଇର ତଦନ୍ତ ବାଟ ହୁଡ଼ିଛି। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ତଦନ୍ତ କରୁ ନାହିଁ। କେବଳ କିଛି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସଂସ୍ଥା ଖାମଖିଆଲ ଭାବେ ତଦନ୍ତ କରୁଛି। ଆଜି ଏଭଳି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି,“ପାଜେରୋ ଗାଡ଼ି ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ଯେଉଁ ନୋଟିସ୍ ଜାରି କରିଛି ତାହା କେବଳ ତାଙ୍କୁ ସୁରକ୍ଷା ଯୋଗାଇବା […]

bijay mohapatra

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 02:02 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ସିବିଆଇର ତଦନ୍ତ ବାଟ ହୁଡ଼ିଛି। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ତଦନ୍ତ କରୁ ନାହିଁ। କେବଳ କିଛି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସଂସ୍ଥା ଖାମଖିଆଲ ଭାବେ ତଦନ୍ତ କରୁଛି। ଆଜି ଏଭଳି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ସେ କହିଛନ୍ତି,“ପାଜେରୋ ଗାଡ଼ି ପ୍ରସଙ୍ଗରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ଯେଉଁ ନୋଟିସ୍ ଜାରି କରିଛି ତାହା କେବଳ ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଏଇଟା ସିବିଆଇ ଜାଣିଶୁଣି କରିଛି। ବର୍ତ୍ତମାନ ସଞ୍ଜୟ ଦାସବର୍ମା ଅଭିଯୁକ୍ତ ନୁହଁନ୍ତି, ବରଂ ସିବିଆଇ ଅଭିଯୁକ୍ତ ହୋଇଯାଇଛି।”

ବିଜୟ କହିଛନ୍ତି,“ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଆର୍ଥିକ କାରବାର ଓ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସଂପର୍କରେ ତଦନ୍ତ କରିବାକୁ ସୁପ୍ରିମ୍‌କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ଏହି ଦୁର୍ନୀତି ଘଟଣାର ତଦନ୍ତ ୨୦୧୪ ମେ’ ୯ ତାରିଖରୁ ଆରମ୍ଭ କଲାଣି। ଇତି ମଧ୍ୟରେ ତଦନ୍ତକୁ ୨ ବର୍ଷ ପୂରିବାକୁ ଯାଉଛି। କିନ୍ତୁ ଏଯାବତ ସିବିଆଇ ଖାମଖିଆଲ ଭାବେ ଏହାର ତଦନ୍ତ କରୁଛି। କିଛି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସିବିଆଇ ତଦନ୍ତକୁ ଅତି ମାମୁଲି ଭାବେ କରୁଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଯେଉଁ ତଦନ୍ତ କରିଥିଲା ସେହି ରିପୋର୍ଟକୁ ସିବିଆଇ ବିଶ୍ୱାସ କରିଥିଲା ଓ ତାହାକୁ ହିଁ କୋର୍ଟରେ ଦାଖଲ କରିଥିଲା। ଏହି ଦୁର୍ନୀତି ଘଟଣାରେ ସିବିଆଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅମାନ୍ୟ କରିଛି। କେବଳ କିଛି ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସିବିଆଇ ତଦନ୍ତ କରୁଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା।”

ସିବିଆଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଚିଟ୍‌ଫଣ୍ଡ୍ ଦୁର୍ନୀତିର ତଦନ୍ତ କରୁ ନାହିଁ ବୋଲି ଅଭିଯୋଗ କରି ବିଜୟ କହିଛନ୍ତି,“ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ରାଜ୍ୟର ଚାରି ଜଣ ଆଇପିଏସ୍ ଅଫିସ୍‌ରଙ୍କୁ ସିବିଆଇ ଜେରା କରିଛି। କ’ଣ ହେଲା ସେହି ମାମଲା? କିଛି ଉତ୍ତର ଅଛି ସିବିଆଇ ପାଖରେ? ସିବିଆଇ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କେବଳ ଲୋକ ଦେଖାଣିଆ ଭାବେ ଡାକି ଜେରା କରିଥିଲା। ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବି ସିବିଆଇ ଡାକି ଜେରା କରିପାରେ। କିନ୍ତୁ ତାହା ବି ଲୋକ ଦେଖାଣିଆ ହେବ।”

ସେ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ସିବିଆଇ ଅଧିକାରୀମାନେ ଚିଟ୍‌ଫଣ୍ଡ୍ ଦୁର୍ନୀତିର ତଦନ୍ତ କରୁଛନ୍ତି ସେମାନଙ୍କୁ ତୁରନ୍ତ ହଟାଯିବା ଦରକାର ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

ଅନ୍ୟପକ୍ଷରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି କହିଛନ୍ତି ଯେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସିବିଆଇ ନୋଟିସ୍ ନେଇ ଅଧିକ ମଜାମଜି କରିବାର ଆବଶ୍ୟକତା ନାହିଁ। ମନ୍ତ୍ରୀ ପଦରେ କିଏ ରହିବ ଅବା ନ ରହିବ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ।

Related story