ଆମର ଏକା ଲଢ଼ିବାର ଶକ୍ତି ଅଛି, ମୋ କଥାକୁ ଅନର୍ଥ କରାଯାଉଛି: ଦାମ
ଭୁବନେଶ୍ୱର: ମୋ କଥାର ଅର୍ଥରୁ ଅନର୍ଥ ବାହର କରାଯାଉଛି। ବିନା ସାହାଯ୍ୟରେ ନିର୍ବାଚନ ଲଢିବା ପାଇଁ ଆମର ଶକ୍ତି ଅଛି। କଂଗ୍ରେସ-ବିଜେଡି ମେଣ୍ଟ ପ୍ରସଙ୍ଗରେ ଆଜି ମନ୍ତ୍ରୀ ଦାମୋଦର ରାଉତ ଏପରି ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି,“ଦଳରେ କିଏ କ’ଣ ବୁଝନ୍ତି, ମୁଁ ଜାଣେ ନାହିଁ। ମୁଁ ପ୍ରଥମେ ଭାରତୀୟ, ପରେ ଓଡ଼ିଆ। ଓଡ଼ିଆ ସ୍ୱାର୍ଥ ଓ ସ୍ୱାଭିମାନଙ୍କୁ ଅବହେଳା କରାଗଲା ବୋଲି ବିଜୁ ପଟ୍ଟନାୟକ ଆଞ୍ଚଳିକ ଦଳ ଗଢ଼ିଥିଲେ। ବିଜୁ ବାବୁ ଜବାହାରଲାଲ ନେହେରୁଙ୍କ ସମର୍ଥକ ଥିଲେ,ସେ କଂଗ୍ରେସକୁ ବିରୋଧ କରୁ ନ ଥିଲେ। ଜବାହାରଲାଲ ନେହେରୁଙ୍କ ପରେ କଂଗ୍ରେସର ଯେଉଁ ନେତୃତ୍ୱ ଆସିଥିଲା ସେଥିପାଇଁ ସେ କଂଗ୍ରେସ ଛାଡି ଦେଇଥିଲେ।”
ସେ ଆହୁରି କହିଛନ୍ତି,“୨୦୦୯ ମସିହାରୁ କଂଗ୍ରେସ ଓ ବିଜେପଠାରୁ ସମଦୂରତା ରଖିଛୁ। ମୁଁ କଂଗ୍ରେସ ସମର୍ଥକ ନୁହେଁ, କଂଗ୍ରେସକୁ ସବୁବେଳେ ସମାଲୋଚନା କରି ଆସିଛି।”
ସେହିପରି ବିଜେପି ଉପରେ ବର୍ଷିଛନ୍ତି ଦାମଦୋର ରାଉତ।କହିଛନ୍ତି,“ତିନିବର୍ଷ ହେଲା ନରେନ୍ଦ୍ର ମୋଦି ସରକାର ସାଂପ୍ରଦାୟିକତା ବିଷ ମଞ୍ଜି ବୁଣି ଚାଲିଛନ୍ତି।”
୮୦ରୁ୯୦ ଦଶକରେ ବୈଜୟନ୍ତ କେଉଁଠି ଥିଲେ? ଯାହାକୁ ଯେମିତି ରସିଲା, ତାକୁ ସେମିତି ବାସିଲା ବୋଲି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଦାମ।
ଭର୍ତ୍ତୃହରିଙ୍କ କଂଗ୍ରେସ ଅଛୁଆଁ ପ୍ରସଙ୍ଗରେ ମଧ୍ୟ ମତ ରଖି କହିଛନ୍ତି-“ମୁଁ ଏବେବି କହୁଛି କଂଗ୍ରେସ ଅଛୁଆଁ ନୁହେଁ। ଓଡ଼ିଶାକୁ କଂଗ୍ରେସର ଅବହେଳା ପ୍ରସଙ୍ଗରେ ମୁଁ ସମାଲୋଚନା କରେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।