ଖୁବଶୀଘ୍ର ହେବ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ବଦଳିବେ ୨ ବରିଷ୍ଠ ଓ ଜଣେ କନିଷ୍ଠ ମନ୍ତ୍ରୀ

ଭୁବନେଶ୍ୱର: ରଜ ପୂର୍ବରୁ କିମ୍ବା ତା’ପରେ ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ହୋଇପାରେ ଅଦଳବଦଳ। ବିଜେଡି ସରକାରଙ୍କ ଚତୁର୍ଥ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୱାରୀ ସମୀକ୍ଷା କରିସାରିଛନ୍ତି। ଏହି ସମୀକ୍ଷା ଶେଷ ହେବା ପରେ ପାୱାର କରିଡରରେ ଏବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଛି। ଏନେଇ ମୁଖ୍ୟମନ୍ତ୍ରୀ ବିଚାର ବିମର୍ଷ ଚଳାଇଥିବା ସୂଚନା ମିଳିଛି। ମନ୍ତ୍ରୀମଣ୍ଡଳୀରୁ କିଏ ବାଦ୍‌ ପଡିବ କିଏ ଓ ସାମିଲ ହେବ ତାକୁ ନେଇ ଆରମ୍ଭ […]

cmnaveen

Rakesh Mallick
  • Published: Sunday, 05 June 2016
  • , Updated: 05 June 2016, 09:43 PM IST

ଭୁବନେଶ୍ୱର: ରଜ ପୂର୍ବରୁ କିମ୍ବା ତା’ପରେ ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ହୋଇପାରେ ଅଦଳବଦଳ। ବିଜେଡି ସରକାରଙ୍କ ଚତୁର୍ଥ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୱାରୀ ସମୀକ୍ଷା କରିସାରିଛନ୍ତି। ଏହି ସମୀକ୍ଷା ଶେଷ ହେବା ପରେ ପାୱାର କରିଡରରେ ଏବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଛି। ଏନେଇ ମୁଖ୍ୟମନ୍ତ୍ରୀ ବିଚାର ବିମର୍ଷ ଚଳାଇଥିବା ସୂଚନା ମିଳିଛି। ମନ୍ତ୍ରୀମଣ୍ଡଳୀରୁ କିଏ ବାଦ୍‌ ପଡିବ କିଏ ଓ ସାମିଲ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା। ପ୍ରାୟତଃ ସରକାର ଗଠନର ୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ କରିଥିବା ନଜିର ରହିଛି। ତେଣୁ ଖୁବ୍‌ଶୀଘ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯିବାର ସମ୍ଭାବନା ରହିଛି।

ବିଜେଡି ସୂତ୍ରରେ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ, ଉତ୍ତର ଓ ପୂର୍ବ ଓଡ଼ିଶାରେ କିଛି ମନ୍ତ୍ରୀଙ୍କୁ ପରିବର୍ତ୍ତନ କରିପାରନ୍ତି ନବୀନ ପଟ୍ଟନାୟକ। ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଓ ଜଣେ କନିଷ୍ଠ ମନ୍ତ୍ରୀଙ୍କୁ ପଦ ହରେଇବାକୁ ପଡିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା। ତାହା ସହିତ କିଛି ମନ୍ତ୍ରୀଙ୍କ ବିଭାଗରେ ମଧ୍ୟ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି।

ଦଳ ଭିତରେ ଦେଖା ଦେଇଥିବା ଅର୍ନ୍ତଦ୍ୱନ୍ଦ୍ୱ, ବରିଷ୍ଠ-କନିଷ୍ଠ ଲଢେଇ ଓ ମନ୍ତ୍ରୀମାନଙ୍କର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ। ଏହାସହ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଦଳୀୟ ସଙ୍ଗଠନ ଦୁର୍ବଳ ରହିଛି ନବୀନ ସେହି ଅଞ୍ଚଳକୁ ପ୍ରାଧାନ୍ୟ ଦେଇପାରନ୍ତି।

ଏନେଇ ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ମନ୍ତ୍ରୀମଣ୍ଡଳ ଗଠନ କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ସେ ଯାହାକୁ ଚାହିଁବେ ତାଙ୍କ ମନ୍ତ୍ରୀମଣ୍ଡଳରେ ରଖିବେ ଓ ଯାହାକୁ ଚାହିଁବେ ବାହାର କରିବେ। ଯାହାର ଉପରୁ ମୁଖ୍ୟମନ୍ତ୍ରୀ ଆସ୍ଥା ହରାଇବେ ସେ ମନ୍ତ୍ରୀମଣ୍ଡଳରେ ରହିବେ ନାହିଁ। ମୁଁ ଦୁଇ ଦୁଇ ଥର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ମୁଖ୍ୟମନ୍ତ୍ରୀ ମୋତେ ଇସ୍ତଫା ଦେବାକୁ କହିଥିଲେ ଓ ମୁଁ ଦେଇଥିଲି।”

ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ମୁଖ୍ୟମନ୍ତ୍ରୀ ଆମକୁ ଯେଉଁ କାର୍ଯ୍ୟ ଦେଇଛନ୍ତି ଆମେ ତାକୁ ନିଷ୍ଠାର ସହ ସମ୍ପାଦନ କରିଛୁ। ତାଙ୍କ ନିର୍ଦ୍ଦେଶ ମୁତାବକ ମୁଁ କାର୍ଯ୍ୟ କରିଛି। ସବୁ ମନ୍ତ୍ରୀ ତାଙ୍କ କାର୍ଯ୍ୟକୁ ନିଷ୍ଠାର ସହ କରୁଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସେ ଠିକ୍‌ ବିଚାର କରିବେ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ମନ୍ତ୍ରୀମଣ୍ଡଳ ସମ୍ପର୍କିତ ସବୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର। ବିଶେଷ କରି ବିଜୁ ଜନତା ଦଳର ଏହି କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି। ସେଥିରେ କେହି ହସ୍ତକ୍ଷେପ କରନ୍ତି ନାହିଁ କି ଏନେଇ ଜାଣିବାର ଅବକାଶ ନାହିଁ।”

ଅନେକ ସମୟରେ ନବୀନ ଚକିତ କଲା ଭଳି ନିଷ୍ପତ୍ତି ନେଇଥାନ୍ତି। ତେଣୁ ଏଥର କାହାକୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ବିଦା କରୁଛନ୍ତି ଓ କାହାକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଉଛନ୍ତି ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

Related story